Unknown

 

 

 

 

 

 

 

 

 

 

ଗତ ଶତାବ୍ଦୀର ଓଡ଼ିଶା

(ପ୍ରଥମ ଭାଗ)

ସୂର୍ଯ୍ୟନାରାୟଣ ଦାଶ

 

ଇଂରେଜମାନଙ୍କର ଓଡ଼ିଶା ଅଧିକାର

 

ଉତ୍ତରପୂର୍ବ ସୀମାନ୍ତ ରକ୍ଷା

 

ବାଲେଶ୍ୱରର ଉତ୍ତରଆଡ଼ୁ ‘‘କଟକ ପ୍ରଦେଶ’’ ଭିତରକୁ ପଶିବାକୁ ହେଲେ ମେଦିନୀପୁର ଜିଲା, ସିଂହଭୂମ ଜିଲା ଓ ଓଡ଼ିଶାର ଉତ୍ତର ଅଞ୍ଚଳର ଗଡ଼ଜାତ ରାଜ୍ୟମାନଙ୍କୁ ନିଜ ଆୟତ୍ତରେ ରଖିବାର ଆବଶ୍ୟକତା ଇଂରେଜ ସରକାର ଆଗରୁ ଉପଲବ୍‌ଧି କରିନଥିଲେ । ୧୮୦୩ ପୂର୍ବରୁ ମେଦିନୀପୁର ଜିଲା ସେମାନଙ୍କ ହାତକୁ ଚାଲି ଆସିଥିଲା । ମୟୂରଭଞ୍ଜ, କେଉଁଝର ଓ ନୀଳଗିରି ଗଡ଼ଜାତ ରାଜାମାନେ ମରହଟ୍ଟାଙ୍କ ଅଧୀନରେ ଥିଲେ । ସିଂହଭୂମର ରାଜା ଧଳଭୂମର ରାଜା ପ୍ରଭୃତି ଇଂରେଜମାନଙ୍କ ବଶ୍ୟତା ଆହୁରି ସ୍ୱୀକାର କରି ନ ଥିଲେ । ମରହଟ୍ଟାମାନେ ସେଠାରେ ନାମତଃ ସରକାରୀ କ୍ଷମତା ଜାରି କରୁଥିଲେ ମଧ୍ୟ ଖଜଣା ଆଦାୟ ସୁବିଧାରେ ହୋଇ ପାରୁନଥିଲା-। ଇଂରେଜ ଓ ମରହଟ୍ଟା ବିବାଦରେ ସିଂହଭୂମ ଓ ଧଳଭୂମ ରାଜାମାନେ ଫାଇଦା ଉଠାଇବାକୁ ଚାହୁଁଥିଲେ । ସମୟ ସମୟରେ ଉଭୟଙ୍କୁ ଠକିବା ପାଇଁ ପ୍ରୟାସ କରୁଥିଲେ । ନାଗପୁର କଲିକତା ଭିତରେ ଯେଉଁ ରାଜପଥଟି ଥିଲା ତାହା ସିଂହଭୂମ ଜିଲା ଭିତର ବାଟେ ଯାଇଥିବାରୁ ଇଂରେଜମାନେ ଏହି ପଥଟିକୁ ନିରାପଦ ରଖିବାପାଇଁ ବହୁତ ଚେଷ୍ଟା କରିଥିଲେ । ନାଗପୁର ଆଡ଼ୁ ଯଦି ମରହଟ୍ଟା ସୈନ୍ୟ ମାଡ଼ି ଆସନ୍ତି ତାହାହେଲେ ପ୍ରଥମେ ସେମାନେ ଇଂରେଜଶାସିତ ମେଦିନୀପୁର ଜିଲା ଉପରେହିଁ ଆକ୍ରମଣ କରିବେ । ପଞ୍ଚେଟର ରାଜା ଇଂରେଜମାନଙ୍କ ସପକ୍ଷରେ ନ ଥିଲେ । ଯଦି ସିଂହଭୂମ ଜିଲାର ଜମିଦାରମାନେ ମରହଟ୍ଟାମାନଙ୍କୁ ବାଟ ନ ଛାଡ଼ନ୍ତି ତାହାହେଲେ ଇଂରେଜମାନେ ଅତି ସହଜରେ କଟକ ପ୍ରଦେଶ ଭିତରେ ପଶିଯାଇ ପାରିବେ । ଏହି କାରଣରୁ ଏହି ଜିଲ୍ଲାର ଜମିଦାରମାନଙ୍କୁ ଇଂରେଜ ପକ୍ଷକୁ ଟାଣି ଆଣିବା ପାଇଁ ଖୁବ୍‌ ଉଦ୍ୟମ ହୋଇଥିଲା ।

 

ସୁବର୍ଣ୍ଣରେଖା ଅଞ୍ଚଳରେ ଗୃହବିବାଦ

 

ସୁବର୍ଣ୍ଣରେଖା ନଦୀର ଉଭୟ ପାର୍ଶ୍ୱରେ ଇଂରେଜ ଓ ମରହଟ୍ଟାସରକାର ମାନଙ୍କର ଜମିଥିଲା । ସମୁଦ୍ର କୂଳଠାରୁ ଆରମ୍ଭ କରି ଧଳଭୂମ ସୀମା ପର୍ଯ୍ୟନ୍ତ ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାର (ଇଂରେଜ ସରକାର) ଓ ମରହଟ୍ଟା ସରକାରଙ୍କ ଜମି ଲଗାଲଗି ହୋଇ ରହିଥିଲା । ନଦୀର ପୂର୍ବ କୂଳର ପ୍ରାୟ ସବୁ ଓ ପଶ୍ଚିମ କୂଳର ଅଧିକରୁ କିଛି ବେଶି ଅଞ୍ଚଳ ଇଂରେଜମାନଙ୍କ ଅଧୀନକୁ ଆସି ଯାଇଥିଲା । ସୁବର୍ଣ୍ଣରେଖାର ଆର କୂଳରେ ମେଦିନୀପୁର ଜିଲାକୁ ଲାଗି ମୟୂରଭଞ୍ଜ ରାଜାଙ୍କର ନୟାବଶାଣ ନାମରେ ଯେଉଁ ଜମିଦାରୀଟି ଥିଲା ତାହା କମ୍ପାନୀଙ୍କ ରାଜ୍ୟ-ଶାସନ ଭିତରକୁ ଆସି ଯାଇଥିଲା । କେବଳ ସୁବର୍ଣ୍ଣରେଖାର ଦକ୍ଷିଣ କୂଳରେ ଥିବା ମୟୂରଭଞ୍ଜର ସବୁ ଅଞ୍ଚଳ (ପାହାଡ଼ିଆଅଞ୍ଚଳ) ସମେତ ମରହଟ୍ଟାଙ୍କ ରାଜ୍ୟଶାସନ ଅଧୀନରେ ଥିଲା । ମୟୂରଭଞ୍ଜ ରାଜା ମଧ୍ୟ ମରହଟ୍ଟାମାନଙ୍କ ଦୁର୍ବଳ ଅବସ୍ଥା ଦେଖି ସେମାନଙ୍କୁ ରାଜସ୍ୱ ଦେବାରେ ବହୁତ ହଇରାଣ କରୁଥିଲେ । ରାଜା ଦାମୋଦର ଭଞ୍ଜ ୧୨୦୦ ସାଲ (ଖ୍ରୀ ୧୭୯୨)ରେ ନୟାବଶାଣରେ ରାଜସ୍ୱ ମଧ୍ୟ ଇଂରେଜମାନଙ୍କୁ ନ ଦେଇ ବହୁତ ହଇରାଣ କରିଥିଲେ । ପାଇକମାନଙ୍କୁ ନେଇ ଇଂରେଜ ରାଜ୍ୟ ଲୁଣ୍ଠନ କରିଥିଲେ । ତାଙ୍କୁ ଜବତ୍‌ କରିବା ପାଇଁ ମେଦିନୀପୁରରୁ ସୈନ୍ୟବାହିନୀ ମଧ୍ୟ ପଠାଯାଇ ଥିଲା ଏଥିରେ ତାଙ୍କର ଜମିଦାରୀ ବାଜ୍ୟାପ୍ତ ହୋଇଯାଇଥିଲା । ଦାମୋଦରଙ୍କ ମୃତ୍ୟୁ ପରେ ତାଙ୍କ ପୋଷ୍ୟପୁତ୍ର ବିକ୍ରମଭଞ୍ଜ ଦାମୋଦରଙ୍କ ସ୍ତ୍ରୀ ରାଣୀ ସୁମିତ୍ରା ଦେବୀଙ୍କ ବିରୁଦ୍ଧରେ ରହିଲେ । ମା’ ପୁଅଙ୍କ ଭିତରେ ବିବାଦ ଲାଗିବାରୁ ମା’ ମୟୂରଭଞ୍ଜ ଛାଡ଼ି ନୟାବଶାଣ ଜମିଦାରୀରେ ଆସିରହିଲେ । ଗୋପୀବଲ୍ଲଭପୁର ତାଙ୍କର ଆଶ୍ରୟ ସ୍ଥଳ ହେଲା । ସେଠାର ମହନ୍ତ ବିକ୍ରମାନନ୍ଦ ଜଣେ ପ୍ରସିଦ୍ଧ ବ୍ୟକ୍ତି ଥିବାରୁ ତାଙ୍କର ସାହାଯ୍ୟ ନେବାପାଇଁ ଇଂରେଜ ଶାସକ ସବୁ ପ୍ରକାର ଉଦ୍ୟମ କରିଥିଲେ । ମେଦିନୀପୁରର ଜିଲା କଲେକ୍ଟର ୧୮୦୩ ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର ୨୩ ତାରିଖରେ ମହନ୍ତଙ୍କ ଠାକୁ ଯେଉଁ ଚିଠି ଦେଇଥିଲେ ସେଥିରୁ ଜଣାଯାଉଅଛି ଯେ ରାଣୀ ସୁମିତ୍ରା ଦେବୀଙ୍କ ପକ୍ଷରେ ମହନ୍ତଙ୍କର ପରାମର୍ଶ କମ ମୂଲ୍ୟବାନ୍‌ ନୁହେଁ । ମା’ ପୁଅଙ୍କ ଭିତରେ ଯେଉଁ ମନାନ୍ତର ହୋଇଛି ତାହା ଶୀଘ୍ର ନ ତୁଟିଲେ ଇଂରେଜମାନଙ୍କର ସେତେ ସୁବିଧା ହେଇ ପାରିବ ନାହିଁ, ଏହା ନିଶ୍ଚିତ । ସେହି ହେତୁ ମା’ ପୁଅଙ୍କ ଭିତରେ ମିଳାମିଶା କରାଇଦେବା ପାଇଁ ଇଂରେଜ ଶାସକ ଏତେ ବ୍ୟଗ୍ର ହେଲେ ।

 

ମୟୂରଭଞ୍ଜ ବିବାଦରେ ଇଂରେଜଙ୍କ ହସ୍ତକ୍ଷେପ

 

ଗୋପୀବଲ୍ଲଭପୁରର ମହନ୍ତ ବିକ୍ରମାନନ୍ଦ ଗୋସ୍ୱାମୀଙ୍କ ପ୍ରତିପତ୍ତି ସେତେବେଳେ କିଛି କମ ନ ଥିଲା । ତାଙ୍କ ସାହାଯ୍ୟ ମଧ୍ୟ ଇଂରେଜ ସରକାର ଦରକାର ମନେ କଲେ । ସେତେବେଳେ ତ କଲିକତାର ପୋର୍ଟ ଉଇଲିୟମ୍‌ରେ ବଙ୍ଗ ସରକାର ଓ କାଉନ୍‌ସିଲ ହାଉସରେ ଭାରତ ସରକାର (ଇଂରେଜ) ଙ୍କ କେନ୍ଦ୍ର ଅଫିସ ଥିଲା । ଇଂରେଜୀ, ଫାର୍ସି ଓ ବଙ୍ଗଳାରେ ବଙ୍ଗ, ବିାହାର ଓ ଓଡ଼ିଶା ପାଇଁ ଚିଠିପତ୍ର ସବୁ ଲେଖା ହେଉଥିଲା । ମେଦିନୀପୁରର ଜିଲା ମାଜିଷ୍ଟ୍ରେଟ୍‌ ମହନ୍ତଙ୍କଠାକୁ ଏହି ଚିଠି ଖଣ୍ଡିକ ଲେଖିଲେ-

 

ଫୌଜଦାରୀ (ବିଭାଗ) ଜିଲା ମେଦିନୀପୁର, ୧୨୦୦ ମେହେରବାନ୍‌ ଦୋସ୍ତାନ ଶ୍ରୀଜୁ [ଯୁ] ତ ମହନ୍ତ ବିକ୍ରମାନନ୍ଦ ଗୋସ୍ୱାମୀ ଛଲ୍ଲମହୁ । ଶୂନାଗେଲ ଜୋ ତୁମି ଶ୍ରୀଜୁତ କୁମ୍ପାନି ଇଙ୍ଗରେଜ ବାହାଦୁରେର ମୁଲକେ ଗୋପୀବଲ୍ଲବପୁର ମୋକାମେ ବସତି କରହ ଆର ଓଖାନ୍‌କାର ହରେକମତେ ପ୍ରଧାନକର୍ତ୍ତା ଭାର ତୋମାକେ ଆଛେ [।] ଇହାତେ ହୁଜୁରେର ବହୁତ ଖୁସି ହଇଲ ସଂପ୍ରତି ଶ୍ରୀଯୁତ କୁମ୍ପାନି ଇଙ୍ଗରେଜ ବାହାଦୁରେର ସହିତ ଓ ଶ୍ରୀଜୁତ ମହାରାଜା ରଘୁଜୀ ଭୋଷଲା ବାହାଦୂରେର ସହିତ ବେଏଓଫାକି ହଇୟା ଜଙ୍ଗ ଉପସ୍ଥିତ ହଇଆଛେ [।] ଏ କାରଣ କଟକ ମୁଲକ ଲଇବାର ଜନ୍ୟ ଇଙ୍ଗରେଜ ଫୌଜ ତଏରୀ ହଇଆଛେ [।] ପରଗନେ ମୋରଭଞ୍ଜେର ଜମିଦାର ଶ୍ରୀ ରାଜାରାନି ସୁମିତ୍ରା ଦେଇ ଆପନ ପୁଷ୍ୟପୁତ୍ର ଶ୍ରୀ ବିକ୍ରମ ଭଞ୍ଜେର ସହିତ ବେଏଓଫାକୀ କରିୟା ରାନି ମଜକୁରା ଗୋପୀବଲ୍ଲଭପୁର ମୋକାମେ ରହି ଆଛେନ-ଭଞ୍ଜ ମଜକୁର ପ୍ରଗନେ ମୋରଭଞ୍ଜର ସମସ୍ତ ଜମିଦାର ଲୋକକେଆପନ ଏକାନ୍ତରେ ଆନିୟା ପରଗନା ମଜକୁର ଦଖଲ କରିଆଛେ [।] ଅତୟେବ ଆପସେର ମଧ୍ୟେ ବେଏଓଫାକୀ ଓ କାଜୀୟା ହଓୟା ବହୁତ ବେମନାସିବ ଓ ସବଜମିର ମଧ୍ୟେ ସକଲେ ତୋମାକେ ମାନେ ଓ ତୋମାର କଥା ରାଖେ ଏ କାରନ ତୋମାକେ ଲେଖାଯାଇତେଛେ ଏବଂ ହୁଜୁର ଦଇତେ ଏଇ ସବ.....ଜନ୍ୟ ଶ୍ରୀ ବୈଦ୍ୟନାଥ ଚୌଧୁରୀକେ ପାଠାନ ଜାଇତେଛେ । ତୁମି ଆପନ ତରଫ ଏକଜନ ମାତ୍‌ଙ୍କର ଲୋକ ପଠାଇୟା ବିକ୍ରମ ମଜକୁରକେ ଖାତିରଦାରି କରିୟା ଗୋପୀବଲ୍ଲଭପୁରେ ଆନିୟା ତୁମି ଓ ଚୌଧୁରୀ ମଜକୁର ମତଫକ ହଇୟା ଭଞ୍ଜ ମଜକୁରେର ରାନି ମଜକୁର କୁମ୍ପାନୀର ଖୟେରଖାହି ଓ ମଦତ୍‌ କରିଲେ ଦୁଇର ଭାଲ ହଇବେକ ଆର ମାରହଟ୍ଟାର ତରଫ ହଇତେ ଜଦି ତାହାର ଦିଗେର ପର ଜୁଲମ ଓ ବଦିୟତ ହଇୟା ଥାକେ ତାହାର ଇନ୍‌ସାଫ୍‌ ଓ ତଦାରଖ ହଇବେକ । ଆର ତାହାର ଦିଗରେ ମାରହାଟ୍ଟାର ମୁଲକେ ଯେ ଛୁରତେ ବନ୍ଦୋବସ୍ତ ଆଛେ ସେହି ଛୁରତେ ଥାକିବେକ । ତାହାର ଅତିକ୍ରମ ହେଇବେକ ନା ଇତି ଶନ ୧୮୦୩ ଶାଲ ତାରିଖ ୨୩ ସେତେମ୍ବର ମୋତାବକେ ଶନ୍‌ ୧୨୧୮ ଶାଲ ୯ ଆଶ୍ୱିନ ।

 

ସୁମିତ୍ରା ଦେଈ ଓ ବିକ୍ରମ ବିବାଦରେ ଇଂରେଜ ଓ ମରହଟ୍ଟାମାନେ ନିଜ ନିଜ ସ୍ୱାର୍ଥ ଦୃଷ୍ଟିରୁ ହସ୍ତକ୍ଷେପ କରିବା ସ୍ୱାଭାବିକ । ନୟାବଶାଣ ଇଂରେଜ ରାଜ୍ୟ ଭିତରେ ଥିବାରୁ ସୁମିତ୍ରା ଦେବୀଙ୍କୁ ଇଂରେଜମାନେ ସାହାଯ୍ୟ କରିବା ସହଜ ଓ ଶ୍ରେୟସ୍କର ମଧ୍ୟ । ମୟୂରଭଞ୍ଜର ଅନ୍ୟ ଅଞ୍ଚଳ ସବୁ ମରହଟ୍ଟାଙ୍କ ଅଧୀନରେ ଥିବାରୁ ବିକ୍ରମଙ୍କୁ ମରହଟ୍ଟାମାନେ ସାହାଯ୍ୟ କରିବା ମଧ୍ୟ ସେହିପରି ସହଜ ଓ ଶ୍ରେୟସ୍କର । ଇଂରେଜମାନେ ଉଭୟଙ୍କୁ ସନ୍ତୁଷ୍ଟ କରିବାପାଇଁ ଉଦ୍ୟମ ଚଳାଇଲେ ଓ ସେତେବେଳେ ମୟୂରଭଞ୍ଜରେ ଛୋଟ ବଡ଼ ହୋଇ ୨୨ଟି ଜମିଦାର ଥିବାର ଜଣାଯାଏ । ସେମାନେ ଆପଦବିପଦବେଳେ ରାଜାଙ୍କୁ ସୈନ୍ୟ ସାମଗ୍ରୀ ଯୋଗାଇ ଲଢ଼େଇରେ ସାହାଯ୍ୟ କରିବାକୁ ବାଧ୍ୟ ଥିଲେ । ଏହି ଜମିଦାରମାନେ ବିକ୍ରମ ଭଞ୍ଜଙ୍କୁ ରାଜା ବୋଲି ସ୍ୱୀକାର କରି ନେଇଥିବାରୁ ଇଂରେଜମାନେ ଟିକିଏ ଅଡ଼ୁଆରେ ପଡ଼ିଲେ । ଏହାଛଡ଼ା ବିକ୍ରମ ଭଞ୍ଜଙ୍କ ବଡ଼ ଭାଇ କେଉଁଝରର ରାଜା ଥିଲେ । ତାଙ୍କର ଶକ୍ତି ମଧ୍ୟ କମ ନ ଥିଲା । ସିଂହଭୂମ ଓ ଧଳଭୂମ ରାଜାମାନେ ଓଡ଼ିଆ ଓ ରାଜ୍ୟ ଓଡ଼ିଆ ଥିବାରୁ କଟକ ଆକ୍ରମଣ କଲେ ମୈତ୍ରୀଭାବ ଜାଗ୍ରତ ହୋଇ କାଳେ ସମସ୍ତେ ମିଳିମିଶି ଇଂରେଜଙ୍କ ବିରୁଦ୍ଧରେ ମରହଟ୍ଟାଙ୍କୁ ସାହାଯ୍ୟ କରିବେ, ଏହି ଭୟ ମଧ୍ୟ ଇଂରେଜମାନଙ୍କର ରହିଥିବା ସ୍ୱାଭାବିକ । ସେହି କାରଣରୁ ମୟୂରଭଞ୍ଜର ମା-ପୁଅ ବିବାଦ ନିଷ୍ପତ୍ତି ପାଇଁ ଇଂରେଜଶାସକମାନେ ଏତେ ବ୍ୟାକୁଳ ଥିଲେ ।

 

ଧଳଭୂମିର ରାଜା ଜଗନ୍ନାଥ ଧଳ ମଧ୍ୟସ୍ଥ ହେବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଥିଲେ । ବିକ୍ରମ ଭଞ୍ଜଙ୍କୁ ସେ ପ୍ରକାଶ୍ୟ ଭାବରେ ସାହାଯ୍ୟ କରୁଥିଲେ । ୧୮୦୩ ସେପ୍‌ଟେମ୍ବର ୨୪ ତାରିଖରେ ମେଦିନୀପୁରର ଅସ୍ଥାୟୀ ଜିଲା କଲେକ୍‌ଟର ବଙ୍ଗସରକାରଙ୍କ ଚିଫ୍ ସେକ୍ରେଟେରୀ ଜନ ଲୁମ୍‌ସଡ଼େନଙ୍କଠାକୁ ପତ୍ର ଲେଖି ଜଣାଇଲେ ଯେ ଗୋପୀବଲ୍ଲଭ ପୁରର ଦାରୋଗା ତାଙ୍କଠାକୁ ୧୮ ତାରିଖଦିନ ଚିଠିରେ ଜଣାଇଛନ୍ତି ଯେ ରାଜା ବିକ୍ରମ ଭଞ୍ଜ ଏକ ହଜାର ପାଇକଙ୍କୁ ସାଙ୍ଗରେ ନେଇ ବାରିପଦାରେ ଅଛନ୍ତି । ବେରାର ରାଜା (ମରହଟ୍ଟା ରାଜା) ଓ ଇଂରେଜମାନଙ୍କ ଭିତରେ ସଂଘର୍ଷ ଲାଗି ଯାଇଥିବା ଘୋଷଣା ଶୁଣି ରାଜା ବିକ୍ରମ ଭଞ୍ଜ ଖବର ଦେଇଛନ୍ତି ଯେ ଯଦି ଇଂରେଜମାନେ ତାଙ୍କୁ ସାହାଯ୍ୟ କରିବା ପ୍ରତିଶ୍ରୁତି ଦିଅନ୍ତି ତାହାହେଲେ ଯୁଦ୍ଧରେ ସିଂହଭୂମ ଓ ଧଳଭୌମରାଜାମାନେ ଇଂରେଜମାନଙ୍କୁ ସାହାଯ୍ୟ କରିବେ । ରାଜା ଜଗନ୍ନାଥ ଧଳ ମଧ୍ୟ ଏହି କଥା ମାଜିଷ୍ଟ୍ରେଟଙ୍କୁ ଜଣାଇବା ପାଇଁ ଓକିଲ ପଠାଇଥିଲେ । ଏଥିରେ ଆଶାନ୍ୱିତ ହୋଇ ଇଂରେଜମାନେ ଗୋପୀବଲ୍ଲଭପୁରରେ ସୁମିତ୍ରା ଦେବୀଙ୍କ ସହିତ ବିକ୍ରମଙ୍କ ଭେଟ କରାଇ ମା’ ପୁଅଙ୍କ ଭିତରେ ଆପୋଷ ମୀମାଂସା କରିବା ପାଇଁ ଚେଷ୍ଟା କଲେ । ଏହା ସତ୍ତ୍ୱେ ଇଂରେଜମାନଙ୍କ ମନରୁ ସନ୍ଦେହ ଯାଇ ନ ଥିଲା । ମୟୂରଭଞ୍ଜ ଓ କେଉଁଝର ରାଜାଙ୍କ ଶକ୍ତି କେତେ ସେ ଖବର ଗୁପ୍ତଭାବରେ ସଂଗ୍ରହ କରିବା ପାଇଁ ବୈଦ୍ୟନାଥ ଚୌଧୁରୀ ନାମକ ଜଣେ ବିଶ୍ୱସ୍ତ ଲୋକଙ୍କୁ ନିଯୁକ୍ତ କଲେ । ଯଦି ଏହି ଦୁଇ ରାଜ୍ୟର ଜମିଦାରାମାନେ ଇଂରେଜମାନଙ୍କୁ ସାହାଯ୍ୟ କରନ୍ତି, ତାହାହେଲେ କିଏ କେତେ ଓ କିଭଳି ଭାବରେ ସାହାଯ୍ୟ ଦେବେ ତାହା ମଧ୍ୟ ବୁଝି ନେବା ପାଇଁ ବୈଦ୍ୟନାଥଙ୍କୁ ଆଦେଶ ଦିଆଯାଇଥିଲା ।

 

ଏ ଭିତରେ ବୈଦ୍ୟନାଥଙ୍କ ଦାୟିତ୍ୱହିଁ ବେଶି ଥିବାର ଜଣାଯାଏ । ଇଂରେଜଶାସକଙ୍କ ଇଚ୍ଛା ଥିଲା ଯେ ରାଣୀ ସୁମିତ୍ରାଦେବୀ ଯଦି ବିକ୍ରମଙ୍କୁ ପୋଷ୍ୟପୁତ୍ର ରୂପେ ସ୍ୱୀକାର କରିବାକୁ ରାଜି ନ ହୁଅନ୍ତି ତାହାହେଲେ ପ୍ରଥମେ ନୟାବଶାଣକୁ ତାଙ୍କର (ରାଣୀଙ୍କର) ବିଶ୍ୱସ୍ତ କର୍ମଚାରୀମାନଙ୍କ ଦ୍ୱାରା ଶାସିତ ହେଉ; ପୁଣି ଯଦି ଏଥିରେ ସୁମିତ୍ରା ଦେବୀ ଅରାଜି ହୁଅନ୍ତି ତାହାହେଲେ ଏହି ଯୁଦ୍ଧ ସମୟରେ ବିକ୍ରମ ଭଞ୍ଜଙ୍କ ସହିତ ଏକ ଅସ୍ଥାୟୀ ବ୍ୟବସ୍ଥା କରିବାକୁ ହେବ; ରାଣୀଙ୍କର ଅଧୀନରେ ଥିବା ଜମିଦାରୀଗୁଡ଼ିକ ବିକ୍ରମଙ୍କ ଅଧୀନରେ ରଖି ସର୍ତ୍ତ ରହୁ ଯେ ଯୁଦ୍ଧ ପରେ ଇଂରେଜମାନେ ଏହି ଜମିଦାରୀଗୁଡ଼ିକ ବିକ୍ରମଙ୍କ ଅଧୀନରେ ରଖି ସର୍ତ୍ତ ରହୁ ଯେ ଯୁଦ୍ଧ ପରେ ଇଂରେଜମାନେ ଏହି ଜମିଦାରୀ ବିଷୟରେ ଯାହା ନିଷ୍ପତ୍ତି କରିବେ ତାହା ବିକ୍ରମ ମାନିବେ । ବିକ୍ରମ ଇଂରେଜମାନଙ୍କୁ ସାହାଯ୍ୟ କରିବା ପାଇଁ ହଜାରେ ପାଇକ ଦେବେ ବୋଲି ଆଗରୁ କହିଥିଲେ ଏବଂ ଧଳଭୂମର ରାଜା ଜଗନ୍ନାଥ ଧଳ କେତେକ ପାଇକ ପଠାଇଥିଲେ । ଏହି ପାଇକମାନଙ୍କୁ ନିଜ ଅଧୀନରେ ରଖି ସରକାରୀ କାର୍ଯ୍ୟବେଳରେ ସେମାନଙ୍କୁ ଖୋରାକୀ ଦେବା ନିମିତ୍ତ ଗଭର୍ଣ୍ଣର ଜେନେରାଲ ଆଦେଶ ଦେଇଥିବା କଥା ସରକାରଙ୍କ ଚିଫ୍‌ ସେକ୍ରେଟେରୀ ମେଦିନୀପୁର ଜିଲା ମାଜିଷ୍ଟ୍ରେଟ ଥୋମସ ହେନରି ଆର୍ଣ୍ଣଷ୍ଟଙ୍କୁ ସେପ୍‌ଟେମ୍ବର ୨୮ ତାରିଖରେ ଜଣାଇ ଦେଇଥିଲେ ।

 

ଗୋଠିଆ-ଗୋଠଖଣ୍ଡିଆ

 

ସିଂହଭୂମ (ପୋଡ଼ାହାଟ) ରାଜା ଅଭିରାମ ସିଂହ ନାମକୁ ମାତ୍ର ଇଂରେଜମାନଙ୍କୁ ଶାସକରୂପେ ମାନିବାକୁ ରାଜିଥିବାର ଜାଣିପାରି ଇଂରେଜମାନେ ଆଶ୍ୱସ୍ତ ହେଲେ ।

 

ମୟୂରଭଞ୍ଜର କେତେ ଜମିଦାରଙ୍କ ଭିତରୁ ଦାମୋଦର ଭଞ୍ଜଙ୍କ ସହିତ କେତେଜଣଙ୍କର ବେଶି ସୌହାର୍ଦ ଥିଲା । ସେମାନେ ସୁମିତ୍ରା ଦେବୀଙ୍କ ପ୍ରତି ଇଂରେଜମାନଙ୍କ ବ୍ୟବହାର ସନ୍ତୋଷଜନକ ନ ହେଲେ ମରହଟ୍ଟା ମାନଙ୍କୁ ସାହାଯ୍ୟ କରି ପାରନ୍ତି , ଏହି ଆଶଙ୍କା ଇଂରେଜମାନଙ୍କର ଥିଲା । ଜମିଦାର ରଘୁନାଥ ପାଇକରାୟ ଭୂୟାଁ, ଜାମକୁଣ୍ଡା ଜମିଦାର ରାମାନନ୍ଦ ଭୂୟାଁ, କିରଚାନ୍ଦ ଜମିଦାର, ନୟାଗାଁ ଜମିଦାର ପ୍ରଭୃତି ବରାବର ଇଂରେଜମାନଙ୍କ ବିପକ୍ଷରେ ଥିଲେ-। କିରଚାନ୍ଦର ଜମିଦାର ଓ ଜାମକୁଣ୍ଡା ଜମିଦାର କେତେଥର ସୁବର୍ଣ୍ଣରେଖା ଅପର ପାର୍ଶ୍ୱରେ ଥିବା ଇଂରେଜ ରାଜ୍ୟ ଭିତରେ ପଶି ଲୁଟତରାଜ ମଧ୍ୟ କରିଥିଲେ । ଏହି ହେତୁ ଏମାନଙ୍କୁ ତଳିତଳାନ୍ତ କରିବା ପାଇଁ ଇଂରେଜମାନଙ୍କ ଇଚ୍ଛା ଥିଲା ।

 

ବିକ୍ରମ ଭଞ୍ଜ, ଜଗନ୍ନାଥ ଧଳ, ଅଭିରାମ ସିଂହ ପ୍ରଭୃତି ରାଜାମାନଙ୍କ ଠାରୁ ସାହାଯ୍ୟ ପାଇବାର ନିର୍ଭର ଯବାବ ମିଳିବାରୁ ଇଂରେଜମାନେ ଉତ୍ତରପୂର୍ବ ସୀମାନ୍ତ ଅଞ୍ଚଳ ନିରାପଦ ମନେ କରି ‘‘କଟକ ପ୍ରଦେଶ’’ ଶୀଘ୍ର ଆକ୍ରମଣ କରିବାରେ ସାହାସ କଲେ ।

 

ଇଂରେଜମାନଙ୍କ ଆୟୋଜନ

 

ସେତେବେଳେ ଗଞ୍ଜାମ ସହର ଗଞ୍ଜାମଜିଲାର ରାଜଧାନୀ ହୋଇଥାଏ । ବର୍ତ୍ତମାନ ଏହି ସହର ଧ୍ୱଂସମୁଖରେ ପଡ଼ିଲାଣି । ଏଠାରୁ ରାଜଧାନୀ ଉଠି ଛତ୍ରପୁରରେ ରହିଛି । ଇଂରେଜ କର୍ଣ୍ଣେଲ ହାରକୋର୍ଟ ସୈନ୍ୟବାହିନୀ ଧରି ଖ୍ରୀ ୧୮୦୩ ସେପ୍‌ଟେମ୍ବର ୩ ତାରିଖ ଦିନ ଓଡ଼ିଶା ଅଧିକାର କରିବା ଉଦ୍ଦେଶ୍ୟରେ ୩୦୦୦ ଯୋଦ୍ଧା ସାଙ୍ଗରେ ନେଇ ଗଞ୍ଜାମରୁ ବାହାରିଲେ । ସେଥିରେ ହିନ୍ଦୁ, ମୁସଲମାନ ଓ ଇଂରେଜସୈନ୍ୟ ଥିଲେ । ତୋପ, ବନ୍ଧୁକ ଘୋଡ଼ା, ବଳଦଗାଡ଼ି, ଥୋରିଆବଳଦ ପ୍ରଭୃତି ମଧ୍ୟ ବ୍ୟବହୃତ ହୋଇଥିଲା । ସମୁଦ୍ର କୂଳେ କୂଳେ ଚିଲିକା ବାଟରେ ପୁରୀରେ ପହଞ୍ଚିବା ପାଇଁ ସେନାପତି ସ୍ଥିର କରିଥିଲେ । ସେତେବେଳେ ପୁରୀ, କଟକ, ବାଲେଶ୍ୱରହିଁ ଓଡ଼ିଶାର ବଡ଼ ସହର ଥାଏ । ଏ ତିନୋଟି ଅଧିକାର କଲେ ଓଡ଼ିଶା ଅଧିକୃତ ହେଲା ବୋଲି ଧରାଯାଉଥିଲା ।

 

ମାଣିକପାଟଣା ଦଖଲ

 

୧୫ ତାରିଖ ଦିନ ହାରକୋର୍ଟ ସାହେବଙ୍କ ସୈନ୍ୟବାହିନୀ ମାଣିକପାଟଣା ପାଖରେ ପହଞ୍ଚିଲେ । ସେଠାରେ ମରହଟ୍ଟାମାନଙ୍କ ତରଫରୁ ଜଗୁଆଳି ଥିଲେ ମାଲୁଦର ଫତେ ମହମ୍ମଦ । ମରହଟ୍ଟାମାନେ ସେଠାରେ ଇଂରେଜଙ୍କର ଅଗ୍ରଗତିର ପ୍ରତିରୋଧ କରିଥିଲେ ଅବସ୍ଥା କଣ ହୋଇ ଥାଆନ୍ତା କହି ହେଉ ନାହିଁ; ହୁଏ ତ ଇଂରେଜମାନେ ଏତେ ସହଜରେ ପୁରୀଜିଲାରେ ପଶିପାରି ନ ଥାଆନ୍ତେ; ମରହଟ୍ଟାମାନେ ମଧ୍ୟ ଏଠାରେ ଆଉ ସୈନ୍ୟ ରଖି ନ ଥିଲେ । ଏହି ସବୁ କାରଣରୁ ସହଜରେ ଇଂରେଜମାନେ ମାଣିକ ପାଟଣା ଦଖଲ କରି ନେଲେ ।

 

ମାଣିକପାଟଣା ପରେ ନରସିଂହ ପାଟଣା ଦ୍ୱିତୀୟ ଛାଉଣି । କିନ୍ତୁ ବାଟରେ ଚିଲିକା ମୁହାଣ ଇଂରେଜ ସୈନ୍ୟମାନଙ୍କୁ ବହୁତ ହଇରାଣ କରିଦେଲା । ୧୬ ଓ ୧୭ ତାରିଖ ଏ ଦୁଇଦିନ ମୁହାଣ ପାରିରେ ଲାଗିଲା ୧୭ ତାରିଖ ଦିନ ନରସିଂହ ପାଟଣାରେ ହାରକୋର୍ଟ ପହଞ୍ଚିଲେ । ସେଠାରେ ମଧ୍ୟ କୌଣସି ପ୍ରକାର ପ୍ରତିରୋଧ ହୋଇ ନଥିଲା ।

 

ପୁରୀ ଅଧିକାର

 

ଇଂରେଜ ସୈନ୍ୟ ୧୮ ତାରିଖ ଦିନ ନରସିଂହ ପାଟଣା ଛାଡ଼ି ପୁରୀରେ ପହଞ୍ଚିଲେ । ସେତେବେଳେ ପୁରୀରେ କେତେକ ମରହଟ୍ଟା ସୈନ୍ୟ ଥିଲେ । କିନ୍ତୁ ହାଇକୋର୍ଟଙ୍କ ତିନି ହଜାର ସୈନ୍ୟଙ୍କୁ ଅଟକାଇବା ଭଳି ଶକ୍ତି ସେମାନଙ୍କର ନଥିଲା । ମରହଟ୍ଟା ସୈନ୍ୟ ସହରରୁ ବାହାର ହୋଇ ସହର ତଳିରେ ଉତ୍ତରକୁ ଥିବା ଅଠରନଳା ଶଙ୍ଖର ଆର ପଟରେ ଗୋପୀନାଥପୁର ଅଞ୍ଚଳରେ ଜଗି ରହିଲେ । ମରହଟ୍ଟା ସୈନ୍ୟ ସହରରୁ ଅପସରି ଯିବାର ଦେଖି ସହରବାସୀ ଟିକିଏ ଆତଙ୍କିତ ହୋଇପଡ଼ିଲେ ଏବଂ ଇଂରେଜମାନଙ୍କ ଗତିରେ ବାଧା ଦେବାପାଇଁ ସାହସ କଲେ ନାହିଁ ।

 

ହାରକୋର୍ଟ ଖୁବ୍‌ ଚତୁରତା ସହକାରେ ପ୍ରଜାମାନଙ୍କୁ ଅଭୟବାଣୀ ଶୁଣାଇଲେ ଏବଂ ଇଂରେଜ ରାଜତ୍ୱରେ ପ୍ରଜାଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି ଜଣାଇଲେ । ବିଖ୍ୟାତ ଜଗନ୍ନାଥ ମନ୍ଦିରକୁ ସହରବାସୀ ଇଂରେଜମାନଙ୍କ ହାତରେ ସମର୍ପଣ କରିଦେଲେ । ମନ୍ଦିର ରକ୍ଷା ପାଇଁ କେତେଜଣ ହିନ୍ଦୁ ସୈନିକଙ୍କୁ ପୁରୀ ସହରରେ ଛାଡ଼ିଦେଇ ପୁରୀରେ ଦୁଇଦିନ ରହିବା ପରେ ହାରକୋର୍ଟ କଟକ ଅଭିମୁଖରେ ଯାତ୍ରା କଲେ । ୧୦ ତାରିଖ ଦିନ ଅଠରନଳା ପାଖରେ ଇଂରେଜ ସୈନ୍ୟ ପହଞ୍ଚିବା ମାତ୍ରେ ମରହଟ୍ଟାମାନେ ଗୁଳି ଫଏର କଲେ । କିନ୍ତୁ ସେମାନଙ୍କ ପାଖରେ ତୋପ ନଥିବାରୁ ଅଳ୍ପ ସମୟ ଭିତରେ ସେମାନଙ୍କୁ ଇଂରେଜମାନେ ହଟାଇଦେଲେ । ଅଠରନଳାଠାରୁ ମରହଟ୍ଟାମାନେ ପଳାଇଯାଇ ଜଗନ୍ନାଥ ସଡ଼କର ଦୁଇକଡ଼ରେ ଥିବା ପଟନାଇକିଆ ଜଙ୍ଗଲରେ ଦଳ ଦଳ ହୋଇ ଲୁଚି ରହିଲେ । ଦାଣ୍ଡମୁକୁନ୍ଦପୁର ପାଖରେ ଆଉ ଦଳେ ମରହଟ୍ଟା ସୈନ୍ୟ ଘାଟୀ କରି ଜଗି ରହିଲେ । ଏଠାରେ ମରହଟ୍ଟା ସୈନ୍ୟସଂଖ୍ୟା ତିନିହଜାରରୁ ବେଶି ଥିଲା ।

 

କଟକ ଅଭିମୁଖରେ ଇଂରେଜ ସୈନ୍ୟ

 

ହାରକୋର୍ଟ ଜଗନ୍ନାଥ ସଡ଼କରେ ଅତିକଷ୍ଟରେ ଅଗ୍ରସର ହେଲେ । ସଡ଼କର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିଲା । ଖାଲ, ଢିପ, ପାଣି କାଦୁଅରେ ତୋପଲଗା ବଳଦଗାଡ଼ି ଚାଲିବା କିଛି ସହଜ ନୁହେଁ । ବହୁ ପରିଶ୍ରମ କରି ଇଂରେଜ ପକ୍ଷର ସୈନ୍ୟମାନେ ଦାଣ୍ଡମୁକୁନ୍ଦପୁର ଆଡ଼କୁ ଚାଲିଲେ । ବାଟରେ ଜଙ୍ଗଲ ଭିତରେ ଲୁଚିଥିବା ମରହଟ୍ଟା ସୈନ୍ୟମାନେ ସେମାନଙ୍କୁ ବହୁତ ହଇରାଣ କଲେ, କିନ୍ତୁ ଗାଡ଼ିକୁ ରୋକି ପାରିଲେ ନାହିଁ ।

 

ଅକ୍‌ଟୋବର ମାସ ୨ ତାରିଖ ଦିନ ମରହଟ୍ଟା ସୈନ୍ୟମାନେ ରାତିରେ ଖୁସି ଗପ କରି ଭୋଜନ କରୁଥିବାବେଳେ ଇଂରେଜ ସୈନ୍ୟ ସେମାନଙ୍କୁ ଆକ୍ରମଣ କଲେ । ମରହଟ୍ଟାମାନେ ଭାତ ଥାଳି ଛାଡ଼ି ଦେଇ କିଏ କୁଆଡ଼େ ପଳାଇଲେ । ପିପିଲିଠାରେ ସେତେବେଳେ ମରହଟ୍ଟା ନାଏବ ସୁବାଦାରଙ୍କର କଚେରୀ ଥିଲା । ସେଠାରେ ଦଳେ ଇଂରେଜ ସୈନ୍ୟ ରହିଲେ ।

 

୪ ତାରିଖରେ ମରହଟ୍ଟାମାନେ ପୁଣି ଇଂରେଜମାନଙ୍କୁ ଆକ୍ରମଣ କଲେ । ସେତେବେଳକୁ ମରହଟ୍ଟାଙ୍କ ସୈନ୍ୟସଂଖ୍ୟା ମଧ୍ୟ କମ ନ ଥିଲା; କିନ୍ତୁ ଇଂରେଜମାନଙ୍କ ତୋପ ଆଗରେ ସେମାନେ ଠିଆ ହୋଇ ପାରିଲେ ନାହିଁ, ଛତ୍ରଭଙ୍ଗ ଦେଇ । ଏମାନେ କଟକ ଆଡ଼କୁ ନହଟି ଖୋର୍ଦ୍ଧା ଆଡ଼କୁ ଚାଲିଗଲେ ।

 

ଦାଣ୍ଡମୁକୁନ୍ଦପପୁର ଯୁଦ୍ଧ ପରେ କଟକରେ ପହଞ୍ଚିବା ପର୍ଯ୍ୟନ୍ତ ଇଂରେଜ ସୈନ୍ୟ ଆଉ କୌଣସି ବାଧା ପାଇ ନଥିଲେ । ପିପିଲି ପାର ହୋଇଯିବା ପରେ ଦୟା (ମହାନଦୀର ପ୍ରଶାଖା) କୂଳରେ ଇଂରେଜମାନେ ଛାଉଣି ପକାଇଲେ । କୋଟରାଙ୍ଗର ଜମିଦାର ବଳରାମ ଚୌଧୁରୀଙ୍କୁ ଏହି ସମୟରେ ଇଂରେଜମାନେ କଟକକୁ ବାଟ ଦେଖାଇବାପାଇଁ ଅନୁରୋଧ କଲେ । ଚୌଧୁରୀ ନିଜେ ନ ଯାଇ ଗଣେଶ୍ୱର ମିଶ୍ରଙ୍କୁ ପଠାଇଲେ । ସେ ଇଂରେଜସୈନ୍ୟଙ୍କୁ ମରହଟ୍ଟାମାନଙ୍କ ଗୁପ୍ତ ପରାମର୍ଶରେ ଭୁଲ ବାଟ ଦେଖାଇ ନଈ କୂଳକୁ ନେଇଗଲେ । ଯେଉଁଠାରେ ନଈ ପାର ହେବା ସୁବିଧାଜନକ ବୋଲି ମିଶ୍ରେ କହିଲେ, ସେଠାରେ ବହୁତ ପାଣି ଥିଲା । ସେଠାରେ ଡଙ୍ଗା ବୁଡ଼େଇ ଇଂରେଜମାନଙ୍କୁ ଶେଷ କରିବାକୁ ସେ କୁଆଡ଼େ ଭାବିଥିଲେ । ଏହାର ଟେର ପାଇ ଇଂରେଜ ସୈନ୍ୟ ସେଠାରେ ନଈ ପାରି ହେଲେ ନାହିଁ ।

 

ପିପିଲି ଛାଡ଼ି ହାରକୋର୍ଟ ସାହେବ ବାରଙ୍ଗଗଡ଼ଠାରେ ପହଞ୍ଚିଲେ: ସେଠାରେ ମଧ୍ୟ ବେଶି ପ୍ରତିରୋଧ ପାଇଲେ ନାହିଁ । ଅକ୍‌ଟୋବର ୮ ତାରିଖରେ କାଠଯୋଡ଼ୀ ନଦୀର ଦକ୍ଷିଣ କୂଳରେ ଛାଉଣି ପକାଇଲେ । ସେତେବେଳେ କାଠଯୋଡ଼ୀ ଓ କୂଆଖାଈ ଏତେ ଓସାର ନଥିଲା ।

 

ବାଲେଶ୍ୱର ଦଖଲ

 

ଯେଉଁ ସମୟରେ (୧୮୦୩ ସେପ୍‌ଟେମ୍ବର ୧୫ ତାରିଖ) କର୍ଣ୍ଣେଲ ହାରକୋର୍ଟ ଗଞ୍ଜାମରୁ ଓଡ଼ିଶା ଅଭିମୁଖରେ ଯାତ୍ରା କଲେ ଠିକ୍‌ ସେହି ସମୟରେ କଲିକତାରୁ କେପ୍‌ଟନ୍‌ ମୋରଗାନ୍‌ ୫୦୦ ସିପାହୀ, ୨୧ ଜଣ ବନ୍ଧୁକଧାରୀ, ୪ ଗୋଟା ଛଅ ପାଉଣ୍ଡିଆ ତୋପ ସାଙ୍ଗରେ ନେଇ ତିନୋଟି ଜାହାଜରେ ସମୁଦ୍ର ପଥରେ ବାଲେଶ୍ୱର ଆଡ଼କୁ ଅଗ୍ରସର ହେଲେ । ପାଞ୍ଚ ଦିନ ପରେ ଇଂରେଜ ସୈନ୍ୟ ବାଲେଶ୍ୱର ସହର ନିକଟରେ (ପ୍ରାୟ ୩ ମାଇଲ ଦୂରରେ) ଥିବା ଜାମପଡ଼ାରେ ଓହ୍ଲାଇଲେ । ନଈ କୂଳେ କୂଳେ ସୈନ୍ୟମାନେ ଚାଲି ସହର ତଳିରେ ବାଲିଘାଟଠାରେ ପହଞ୍ଚିବା ମାତ୍ରେ ମରହଟ୍ଟାମାନେ ପ୍ରତିରୋଧ କରିଥିଲେ । କେତେ ଜଣ ଅଶ୍ୱାରୋହୀ ମରହଟ୍ଟା ସୈନିକ ଆକ୍ରମଣକାରୀମାନଙ୍କ ଉପରେ ଗୁଳି ବର୍ଷଣ କଲେ । ଏଥିରେ ଜଣେ ଇଂରେଜ ସୈନିକ ପ୍ରାଣ ହରାଇଥିଲେ; କିନ୍ତୁ ଇଂରେଜମାନେ ଜୋରରେ ଆକ୍ରମଣ ଚଳେଇବାରୁ ବାଟରେ ସେମାନଙ୍କୁ ଅଟକାଇ ଦିଆଯାଇ ପାରିଲା ନାହିଁ । ଆକ୍ରମଣକାରୀମାନେ ମରହଟ୍ଟାମାନଙ୍କ ଦୁର୍ଗଦ୍ୱାରଠାରେ ପହଞ୍ଚି ଆକ୍ରମଣ ଚଳେଇଲେ । ପ୍ରତିରୋଧ କରିବାର କ୍ଷମତା ମରହଟ୍ଟାମାନଙ୍କର ନଥିଲା । ଅକ୍ଳେଶରେ ଇଂରେଜମାନେ ଦୁର୍ଗ ଦଖଲ କରିନେଲେ ମରହଟ୍ଟାମାନଙ୍କୁ ସହରରୁ ତଡ଼ିଦେଲେ ।

 

ବାଲେଶ୍ୱରର ସୁବାଦାର ସହର ଛାଡ଼ି କଟକ ଆଡ଼କୁ ପଳେଇଲେ । ଇଂରେଜମାନେ ସେପ୍ଟେମ୍ବର ୨୧ ତାରିଖ ଦିନ ବାଲେଶ୍ୱର ଦଖଲ କଲେ ।

 

ଦଳେ ଇଂରେଜ ସୈନ୍ୟ ଜଳେଶ୍ୱର ବାଟେ କର୍ଣ୍ଣେଲ ଫରଗୁସନ୍‌ଙ୍କ ଅଧିନାୟକତ୍ୱରେ ବାଲେଶ୍ୱରରେ ବିନା ବାଧାରେ ପହଞ୍ଚିଲେ । ତା ପରେ ସୋର ଦଖଲ କଲେ । ସେଠାର ମରହଟ୍ଟା କର୍ମଚାରୀ ମୟୂର ପଣ୍ଡିତ (ମୋରାର ପଣ୍ଡିତ) ସହର ଛାଡ଼ି କଟକ ଆଡ଼କୁ ପଳାଇ ଆସିଲେ । ଇଂରେଜ ସୈନ୍ୟ ଦ୍ରୁତ ଗତିରେ କଟକରେ ପହଞ୍ଚି କର୍ଣ୍ଣେଲ ହାରକୋର୍ଟଙ୍କ ସହିତ ଯୋଗ ଦେଇ ବାରବାଟୀ ଦୁର୍ଗ ଆକ୍ରମଣରେ ସାହାସ୍ୟ କରିଥିଲେ ।

 

କଟକ ଦଖଲ

 

ହାରକୋର୍ଟ ମୁକାମ ସହରରେ ପହଞ୍ଚିବା ପୂର୍ବରୁ ମରହଟ୍ଟାମାନେ ଲାଲବାଗ ଛାଡ଼ି ବାରବାଟି ଦୁର୍ଗ ଭିତରେ ରହିଲେ ଏବଂ ଦୁର୍ଗକୁ ରକ୍ଷା କରିବା ପାଇଁ ଉଦ୍ୟମ କଲେ । ସହର ରକ୍ଷା ପାଇଁ ମରହଟ୍ଟାମାନଙ୍କର କୌଣସି ଉଦ୍ୟମ ନ ଦେଖି ସହରବାସୀ ଭୀତତ୍ରସ୍ତ ହୋଇ ସହର ଛାଡ଼ି ଟାଙ୍ଗି ଆଡ଼କୁ ପଳାଇଲେ । ଇଂରେଜମାନେ ୮ ତାରିଖ ଦିନ ଲାଲବାଗ ସିଧା କାଠଯୋଡ଼ୀ ପାରହୋଇ ନଈର ଉତ୍ତରକୂଳରେ ପହଞ୍ଚିଲେ ଓ ପ୍ରଥମେ ଲାଲବାଗ ଦଖଲ କଲେ । ସେତେବେଳକରୁ ଲାଲବାଗ କିମ୍ବା ସହର ଭିତରେ କେହି ଲୋକ ନ ଥିଲେ । କଟକ ସହର ପ୍ରାୟ ଜନଶୂନ୍ୟ ହୋଇ ଯାଇଥିଲା । ବିନା ରକ୍ତପାତରେ ଲାଲବାଗ ଓ କଟକ ସହର ଦଖଲ ହୋଇଯିବା ଦେଖି ଇଂରେଜମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

 

ବାରବାଟୀ ଆକ୍ରମଣ

 

ମରହଟ୍ଟାମାନେ ବାରବାଟୀ ଦୁର୍ଗ ଭିତରେ ରହିଥିବା ଦେଖି ଦୁର୍ଗକୁ ଦଖଲ କରିବା ପାଇଁ ହାରକୋର୍ଟ ଆୟୋଜନ ଆରମ୍ଭ କଲେ । ୮ ତାରିଖ ଠାରୁ ୧୪ ତାରିଖ (ଅକ୍ଟୋବର) ପର୍ଯ୍ୟନ୍ତ ଇଂରେଜମାନେ ଦୁର୍ଗ ଆଗରେ ତୋପ ସଜେଇ ରଖିଲେ ଏବଂ ଗୋଳାବାରୁଦ ଲଗାଇବା ବ୍ୟବସ୍ଥା କଲେ ।

 

ମରହଟ୍ଟାମାନେ ଦୁର୍ଗ ଭିତରେ ପଶି ସବୁ କବାଟ ବନ୍ଦ କରିଦେଲେ । ସେତେବେଳକୁ ଦୁର୍ଗର ଅବସ୍ଥା ଭଲ ଥିଲା । ଦୁର୍ଗର ପଥର କାନ୍ଥ ଭେଦ କରିବା କିଛି ସହଜ ବ୍ୟାପାର ନଥିଲା ।

 

୧୩ ତାରିଖ ରାତି ସୁଦ୍ଧା ଇଂରେଜମାନେ ଦୁର୍ଗର ପ୍ରାୟ ୫୦୦ ଗଜ ଦୁରରେ ତୋପ ବନ୍ଧୁକ ସଜେଇଦେଲେ । ୧୪ ତାରିଖ ସକାଳୁ ଦୁର୍ଗ ଉପରକୁ ଗୋଳା ବର୍ଷଣ ଚାଲିଲା । ମରହଟ୍ଟାମାନେ ଦୁର୍ଗ ଭିତରୁ ଏହାର ଉତ୍ତର ଦେଲେ । ପ୍ରଥମେ କେତେଘଣ୍ଟା ଯୁଦ୍ଧ ଭୀଷଣ ଆକାର ଧାରଣ କଲା । ଏଗାରଟା ବେଳକୁ ମରହଟ୍ଟାମାନେ ଦୁର୍ବଳହୋଇ ପଡ଼ିଥିବା ଜଣାପଡ଼ିବାରୁ ଇଂରେଜମାନେ ପୂର୍ବ ଦ୍ୱାର ଭାଙ୍ଗି ଦୁର୍ଗ ଭିତରକୁ ପଶିବା ଉଦ୍ଦେଶ୍ୟରେ ଅଗ୍ରସର ହେଲେ । ଆଗରେ ଛଅ ପାଉଣ୍ଡିଆ କମାଣଟିଏ ଧରି ୪୦୦ ଜଣ ସିପାହୀ ଓ କେତେଜଣ ଇଂରେଜ ସୈନିକ ଦ୍ୱାର ଆଗରେ ଥିବା ଗଡ଼ଖାଇ ପୋଲ ନିକଟରେ ପହଞ୍ଚିଲେ । ଆକ୍ରମଣକାରୀମାନେ ପୋଲ ପାଖରେ ପହଞ୍ଚିବା ମାତ୍ରେ ଉପରୁ ମରହଟ୍ଟାମାନେ ଅତି ଜୋରରେ ବନ୍ଧୁକ ଚଳେଇଲେ । ୪୦ ମିନିଟ ପର୍ଯ୍ୟନ୍ତ ଭୀଷଣ ତୋପ ବନ୍ଧୁକ ଲଢ଼େଇ ହେବା ପରେ ଦ୍ୱାରରେ ଫାଟ ଦେଖାଗଲା । ଏହି ଫାଟ ବାଟେ ଜଣେ ମନୁଷ୍ୟ ପଶିପାରିବା ଭଳି ହୋଇଯିବାରୁ ଇଂରେଜ ସୈନିକମାନେ ଜଣ ଜଣ ହୋଇ ତୀରବେଗରେ ଦୁର୍ଗ ଭିତରେ ପଶିଗଲେ । ଦୁର୍ଗର ଭିତର ଦ୍ୱାରମାନଙ୍କଠାରେ ମଧ୍ୟ ସାମାନ୍ୟ ଲଢ଼େଇ ହୋଇଥିଲା । ଅଳ୍ପ ସମୟ ଭିତରେ ମରହଟ୍ଟା ତରଫର ପ୍ରତିରୋଧ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଥିଲା ।

 

ଦୁର୍ଗ ଭିତରେ ଇଂରେଜ ସୈନ୍ୟ ପଶିବା ସମୟକୁ ସେଠାରେ ବେଶି ମରହଟ୍ଟା ସୈନ୍ୟ ନ ଥିଲେ । ପୂର୍ବ ରାତିରୁ ଅଧିକାଂଶ ଲୋକ ନଦୀ ପାର ହୋଇ ଗଡ଼ଜାତ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ ।

 

ଓଡ଼ିଶାକୁ ଏତେ ସହଜରେ ଅଧିକାର କରି ପାରିବେ ବୋଲି ଇଂରେଜମାନେ ଭାବିପାରି ନ ଥିଲେ । ଏହି ଅଭାବନୀୟ ସୁଯୋଗ ଘଟିଥିବା ଦେଖି କେତେଜଣ ଇଂରେଜ ଶାସକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପୂର୍ବ ସରକାର (ମରହଟ୍ଟାମାନଙ୍କ) ଅମଳରେ ଓଡ଼ିଶାରେ ପ୍ରଜାମାନେ ଅଶାନ୍ତିରେ ଜୀବନ ଯାପନ କରୁଥିବାରୁ ଇଂରେଜମାନେ ପହଞ୍ଚିବାକ୍ଷଣି ଶାନ୍ତି ଆଶାରେ ସେମାନଙ୍କୁ ଶାସକରୂପେ ସ୍ୱୀକାର କରିଥିଲେ । ଓ୍ୱେଲସ୍‌ଲି ସାହେବ ଲେଖିଛନ୍ତି ଯେ ଏହି କାରଣ ଯୋଗୁ ଆକ୍ରମଣକାରୀ ଇଂରେଜମାନଙ୍କୁ ପ୍ରଜାମାନେ ନାନାପ୍ରକାର ସାହାଯ୍ୟ କରିଥିଲେ ।

 

ପ୍ରଥମେ ପ୍ରଥମେ ଏହାହିଁ ଜଣା ପଡ଼ୁଥିଲା; କିନ୍ତୁ ୧୮୦୪ ପରେ ଓଡ଼ିଶାରେ ଯେ କେତୋଟି ବିଦ୍ରୋହ ଘଟିଥିଲା, ସେଥିରୁ କେତେକ ଅଞ୍ଚଳରେ ପ୍ରଜାମାନଙ୍କର ମନୋଭାବ ଇଂରେଜମାନଙ୍କ ବିରୁଦ୍ଧରେ ଥିବାହିଁ ଜଣାପଡ଼େ ।

 

୧୮୦୪ ଖ୍ରୀଷ୍ଟାବ୍ଦ । ସେତେବେଳକୁ ଇଂରେଜ ଶାସନ ଓଡ଼ିଶାରେ ପ୍ରବର୍ତ୍ତିତ ହୋଇ ସାରିଲାଣି । ଆମ ଦେଶର ଲୋକମାନଙ୍କ ରୀତିନୀତି ଓ ମତିଗତି ଜାଣିବା ପାଇଁ ଇଂରେଜ ଅଫିସରମାନେ ବହୁତ ଚେଷ୍ଟା କରୁଥାଆନ୍ତି । ରାଜ୍ୟଶାସନ ଦୃଢ଼ କରିବାକୁ ହେଲେ ଖଜଣା ଆଦାୟ ପ୍ରଧାନ ବିଷୟ । ଏଥିରୁ ଲୋକଙ୍କର ଆନୁଗତ୍ୟର ମାତ୍ରା ଭଲ ଭାବରେ ଜଣାପଡ଼େ । କଟକ ନାଁରେ କଟକ, ପୁରୀ; ବାଲେଶ୍ୱର ଓ କେତେକ ଗଡ଼ଜାତ ଶାସିତ ହେଉଥିଲା । ବଙ୍ଗ ସରକାରଙ୍କ ଅଧୀନରେ ‘‘କଟକ ପ୍ରଦେଶ’’ ଶାସିତ ହେଉଥିଲା । କଟକ ହାଲଚାଲ ଚଳେଇବା ପାଇଁ ଗୋଟିଏ ବୋର୍ଡ଼ ଗଠିତ ହୋଇଥିଲା । ଜଣେ ସାମରିକ ଓ ଜଣେ ବେସାମରିକ ଅଫିସର ବୋର୍ଡ଼ରେ ଥିଲେ । ସେମାନଙ୍କ ଅଧୀନରେ ଦୁଇଜଣ କଲେକ୍‌ଟର ପ୍ରଥମେ ପ୍ରଥମେ କାମ କରୁଥିଲେ । ପରେ ତିନିଜଣ କଲେକ୍‌ଟର ରହିଲେ । ଉତ୍ତର କଟକ, ମଧ୍ୟ କଟକ, ଦକ୍ଷିଣ କଟକ ନାଁରେ ତିନୋଟି ଜିଲା ଗଠିତ ହୋଇ ବାଲେଶ୍ୱରରେ, କଟକରେ ଓ ପୁରୀରେ କଲେକ୍‌ଟରମାନଙ୍କୁ ରଖାଗଲା । କଲେକ୍‌ଟରମାନେ ଜିଲାମାନଙ୍କରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ବନ୍ଦୋବସ୍ତ କରିବା ଆଦେଶ ଦେଉଥିଲେ । ଓଡ଼ିଶାରେ ପୂର୍ବ ଶାସକମାନେ ଯେଉଁ ରୀତିରେ ଭୂରାଜସ୍ୱ ଆଦାୟ କରୁଥିଲେ, ସେହି ରୀତିକୁ ଏକାବେଳକେ ତ୍ୟାଗ କରିଦେବା ପାଇଁ ଅଫିସରମାନେ ଇଚ୍ଛା କରୁ ନ ଥିଲେ ।

 

ସୁନିଆଁ ଦିନ ଜମିଦାରମାନେ ପ୍ରଜାଙ୍କଠାରୁ ଟଙ୍କାକେ ପ୍ରାୟ ୪ ଅଣା ଖଜଣା ଆଦାୟ କରି ନେଉଥିଲେ । ସେଥିରେ ପୁଣି ଭେଟି ବେଠୀ ଥିଲା । ସୁନିଆଁରେ ପ୍ରଜା ଜମିଦାରଙ୍କ ଦରବାରରେ ଉପସ୍ଥିତ ହେଲେ ପ୍ରଜା ଅନୁଗତ ଅଛି ବୋଲି ଧରା ଯାଉଥିଲା । ଇଂରେଜ ହାକିମମାନେ ଏହି ରୀତିକୁ ପ୍ରଥମେ ପ୍ରଥମେ କାର୍ଯ୍ୟରେ ଲଗେଇଥିଲେ । ମରହଟ୍ଟାମାନେ ଏହି ସୁନିଆଁ ପର୍ବର ପୂରା ସୁଯୋଗ ନେଉଥିଲେ । ୧୮୦୪ ଅକ୍‌ଟୋବର ମାସରେ ଦକ୍ଷିଣ କଟକ କଲେକ୍‌ଟର ଜେ. ହଣ୍ଟର ଦକ୍ଷିଣ କଟକ ଗସ୍ତରେ ବାହାରିଲେ । ତା ୧୪ ରିଖରେ ପିପିଲିରେ ପହଞ୍ଚି ବନ୍ଦୋବସ୍ତ କଥା ଉଠେଇଲେ । ସେହିଠାରେ ସୁନିଆଁ ପୂର୍ବ କଲେକ୍‌ଟରଙ୍କ ଉପସ୍ଥିତିରେ ପାଳିତ ହୋଇଥିଲା ଏବଂ ସରକାରୀ କୋଷରୁ ଏ ବାବତ୍‌ ଚର୍ଚ୍ଚା ଦିଆଯାଇଥିଲା । ଏତିକିବେଳେ କିଏ ରାଜଭକ୍ତ, କିଏ ବିଦ୍ରୋହୀ, କିଏ ବାଧ୍ୟ, କିଏ ଅବାଧ୍ୟ ପ୍ରଭୃତି ବିଷୟର ପ୍ରସ୍ତାବ ଉଠିଲା ।

 

ସିରେଇ, ଲେମ୍ବଇ, ଚବିଶକୁଦ, ରାହାଙ୍ଗ ଏ ଚାରି ପରଟଣାର ବନ୍ଦୋବସ୍ତ, ପ୍ରସ୍ତାବ ଉଠିବାରୁ ହାକିମମାନେ ମତ ଦେଲେ ଯେ ଖୋର୍ଦ୍ଧା ରାଜା ଇଂରେଜମାନଙ୍କର ବିରୋଧାଚରଣ କରିଥିବା ଯୋଗୁଁ ତାଙ୍କ ସହିତ ବନ୍ଦୋବସ୍ତ କରିବା ଠିକ୍‌ ହେବ ନାହିଁ । ଏହି ମତଲବରେ କଲେକ୍‌ଟର ମଧ୍ୟ ଅନ୍ୟ କାରଣ ଖୋଜି ବସିଲେ । ସେ କମିଶନରମାନଙ୍କୁ ଲେଖିଲେ ଯେ ଏ ଚାରି ପରଗଣା ପୂର୍ବେ ଖୋର୍ଦ୍ଧା ରାଜାଙ୍କ ଜମିଦାରୀରେ ଥିଲା ସତ୍ୟ, କିନ୍ତୁ ମରହଟ୍ଟା ସରକାରଙ୍କ ଅମଳରେ ପ୍ରାୟ ପଞ୍ଚତିରିଶ ବର୍ଷ ପୂର୍ବେ ଖଜଣା ଦେଇ ନ ପାରିବାରୁ ମରହଟ୍ଟା ସୁବାଦାର ନାରାୟଣ ଦେଓ ଏହି ପରଗଣାଗୁଡ଼ିକ କୋରଖ କଲେ । ରାଜା ମରହଟ୍ଟା ସୁବା ସେଓଭଟ୍ଟଙ୍କୁ ପ୍ରସ୍ତାବ ଦେଲେ ଯେ ସେ ଖଜଣା ଦେଇପାରିବେ ନାହିଁ, କେବଳ ତାଙ୍କୁ ନାମତଃ ଜମିଦାର ବୋଲି ସ୍ୱୀକାର କରି ମରହଟ୍ଟା ସରକାର ନିଜେ ରାଜସ୍ୱ ଆଦାୟ କରିନିଅନ୍ତୁ । ସେଓଭଟ୍ଟ ଏଥିରେ ସମ୍ମତ ହୋଇ ସେହି ଅନୁସାରେ ରାଜସ୍ୱ ଆଦାୟ କରି ଆସୁଥିଲେ । କଲେକ୍‌ଟର ଯୁକ୍ତି କଲେ, ଯେତେବେଳେ ଖୋର୍ଦ୍ଧା ରାଜା ରାଜସ୍ୱ ନିଜେ ନେଉ ନାହାନ୍ତି, ତେବେ ଜାଗିର ଓ ପ୍ରଜାମାନଙ୍କ ସହିତ ବନ୍ଦୋବସ୍ତ କରିବା ଠିକ୍‌ ହେବ । ଏ ସମ୍ବନ୍ଧରେ ବହୁତ ଲେଖା ଲେଖି ବହୁବର୍ଷ ଚାଲିଲା । ଶେଷକୁ ରାଜାଙ୍କ ଜମିଦାରତ୍ନ ସ୍ୱୀକୃତ ହୋଇ ନ ଥିଲା । ଏହା ପଛରେ ରାଜଦ୍ରୋହ ଦମନ ଓ ରାଜଦ୍ରୋହୀ ଉପରେ ପ୍ରତିଶୋଧ ନେବା ମନୋଭାବ ଯେ ବିଶେଷ ଭାବରେ କାର୍ଯ୍ୟ କରିଥିଲା, ଏଥିରେ କୈାଣସି ସନ୍ଦେହ ନାହିଁ ।

 

ପ୍ରତାରଣା ଅଭିଯୋଗରେ ଦଣ୍ଡ

 

ପିପିଲି ଅଞ୍ଚଳକୁ ଲାଗି ସେତେବେଳେ କୋଟରାଙ୍ଗର ସୀମା ଥିଲା । କୋଟରାଙ୍ଗର ଜମିଦାର ବଳରାମ ଚୌଧୁରୀ ବନ୍ଦୋବସ୍ତ ପ୍ରାର୍ଥୀ ହେବାରୁ ସେ ରାଜଭକ୍ତ କି ରାଜଦ୍ରୋହୀ, ତାର ଅନୁସନ୍ଧାନ ହେଲା । ଜଗନ୍ନାଥ ଜିଲ୍ଲା କଲେକ୍‌ଟର ହଣ୍ଟର ସାହେବ କମିଶନରମାନଙ୍କୁ ଜଣାଇଲେ ଯେ, ବଳରାମ ଚୌଧୁରୀଙ୍କ ସହିତ ବନ୍ଦୋବସ୍ତ କରିବା ଠିକ୍‌ ହେବ ନାହିଁ; କାରଣ ସେ ଜଣେ ରାଜଦ୍ରୋହୀ ଥିଲେ । ଯଦି ତାଙ୍କ ସହିତ ବନ୍ଦୋବସ୍ତ କରାଯାଏ, ତାହାହେଲେ ଅନ୍ୟ ଜମିଦାରମାନେ ଭାବିବେ ଯେ, ଇଂରେଜମାନେ ରାଜଦ୍ରୋହକୁ ବେଶି ଗୁରୁତ୍ୱ ଦିଅନ୍ତି ନାହିଁ ଏବଂ ଏହା ଫଳରେ ବେଶି ଅଶାନ୍ତି ସୃଷ୍ଟି ହେବ । ଏହି ଜମିଦାରଙ୍କୁ ରାଜଦ୍ରୋହ ଦଣ୍ଡ ସ୍ୱରୂପ ଜମିଦାରି ହାତରୁ ଛଡ଼ାଇ ନେବା ସ୍ଥିର ହେଲା । ଜଗନ୍ନାଥ ଜିଲ୍ଲାର ଜୁନିଅର କଲେକ୍‌ଟର ଚଲେସ୍‌ ଗ୍ରୋମ୍‌ଙ୍କ ତଦନ୍ତ ରିପୋର୍ଟ ବଡ଼ କୌତୁକପୂର୍ଣ୍ଣ । ଗ୍ରୋମ୍‌ ସାହେବ ୧୮୦୪ ଖ୍ରୀଷ୍ଟାବ୍ଦ ଅକ୍‌ଟୋବର ତା୩୧ରିଖରେ ଚୌଧୁରୀଙ୍କୁ ଡକାଇ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କୈଫିୟତ୍‌ ତଲବ କରିଥିଲେ । ଚୌଧୁରୀ କଟକ କଚେରୀରେ ହାଜର ହୋଇ ମୌଖିକରେ କୈଫିୟତ ଦେଇଥିଲେ ।

 

ଇଂରେଜ ସୈନ୍ୟବାହିନୀ ପୁରୀ ଦଖଲ କରିସାରି କଟକ ଆଡ଼କୁ ଅଗ୍ରସର ହେଉଥିଲାବେଳେ ବାଟରେ ପିପିଲି ଅଞ୍ଚଳରେ ଛାଉଣି ପକେଇଲେ । ପିପିଲି ଗ୍ରାମରେ ସେତେବେଳେ ମରହଟ୍ଟା ହାକିମଙ୍କର କଚେରୀ ଥାଏ । ଇଂରେଜ ସୈନ୍ୟ କୋଟରାହାଙ୍ଗ ଜମିଦାରୀ ଭିତରେ ପଶି ଉତ୍ତର ଆଡ଼କୁ ଯିବାପାଇଁ ସ୍ଥିର କରି ଜମିଦାର ଚୌଧୁରୀଙ୍କୁ ଡକାଇ ବାଟ ଦେଖେଇବାପାଇଁ ଆଦେଶ ଦେଲେ; କିନ୍ତୁ ଚୌଧୁରୀଏ ନିଜେ ନ ଯାଇ ଗଣେଶ ମିଶ୍ର ନାମରେ ଜଣେ ଗୁମାସ୍ତାଙ୍କୁ ପଠାଇଲେ । ଗଣେଶ ମିଶ୍ର ଇଂରେଜ ଛାଉଣିକୁ ଯାଇ ସେଠାରେ ଇଂରେଜମାନଙ୍କୁ ବାଟ ଦେଖାଇବାରେ ସାହାସ୍ୟ କରିବେ ବୋଲି ଜବାବ ଦେଲେ । କିନ୍ତୁ ସେ କୁଆଡ଼େ ଇଂରେଜ ସୈନ୍ୟମାନଙ୍କୁ ଭୁଲ ବାଟ ଦେଖାଇ ମହାନଦୀ ପାଣିରେ ସେମାନଙ୍କୁ ବୁଡ଼ାଇ ମାରିଦେବା ପାଇଁ ଚକ୍ରାନ୍ତ କରୁଥିଲେ । ସେ ଦେଖାଇବା ବାଟରେ ଇଂରେଜ ସୈନ୍ୟ ଯାଇ କୁଆଡ଼େ ନଈକୂଳରେ ପହଞ୍ଚି ବାଟ ଠିକ ନ ଥିବା ବୁଝିପାରି ଅନ୍ୟ ବାଟ ଦେଖି ଚାଲିଗଲେ ।

 

ଚୌଧୁରୀ କହିଲେ ଯେ, ସେ ନିଜେ ଯେତେବେଳେ ଯାଇ ନାହାନ୍ତି, ସେତେବେଳେ ମିଶ୍ରଙ୍କ କାର୍ଯ୍ୟକଳାପ ପାଇଁ ସେ କିପରି ଦାୟୀ ହେବେ ? ସେ ପୁଣି କହିଲେ ଯେ ଗଣେଶ ମିଶ୍ରଙ୍କୁ ତାଙ୍କ (ଜମିଦାରଙ୍କ) ସମ୍ବନ୍ଧରେ କିଛି ଜଣାଇବା ପାଇଁ କେବଳ ପଠାଯାଇଥିଲା, ବାଟ ଦେଖେଇବା ପାଇଁ ନୁହେଁ ।

 

ପ୍ରଶ୍ନ–ଯଦି ଗଣେଶ ମିଶ୍ରଙ୍କୁ ତୁମ ଅବସ୍ଥା ବର୍ଣ୍ଣନା କରିବା ପାଇଁ ପଠାଇଥିଲ, ତାହାହେଲେ ବାଟ ଦେଖାଇବା ପାଇଁ କାହାକୁ ନିଯୁକ୍ତ କରିଥିଲ ?

 

ଉତ୍ତର–କାହାକୁ ନିଯୁକ୍ତ କରି ନାହିଁ ।

 

ପ୍ରଶ୍ନ–ଗଣେଶ ମିଶ୍ର ବର୍ତ୍ତମାନ କାହାନ୍ତି ?

 

ଉତ୍ତର–ସେ ମଲେଣି ।

 

ପ୍ରଶ୍ନ–ସେ କେବେ ମଲେ ?

 

ଉତ୍ତର–ଚାରି ପାଞ୍ଚ ମାସ ତଳେ ।

 

ପ୍ରଶ୍ନ–ଜଣେ ଲୋକ ନିଶ୍ଚୟ ଇଂରେଜ ସୈନ୍ୟମାନଙ୍କୁ ଭୁଲ ବାଟ ଦେଖେଇଛି । ସେ କିଏ କହି ପାରିବ କି ? ସେ କାହାର କର୍ମଚାରୀ କହି ପାରିବ କି ?

 

ଉତ୍ତର–ମୁଁ ଜାଣେ ନାହିଁ । କାରଣ ମୁଁ ଇଂରେଜମାନଙ୍କୁ ଦେଖା କରି ଘରକୁ ଫେରୁଥିବା ବେଳେ ମରହଟ୍ଟାମାନେ ମୋତେ ଧରିନେଲେ । ମୋ କୁଟୁମ୍ବଙ୍କୁ ଧରି ଆଣିଲେ । ମୋତେ ଓ ମୋ କୁଟୁମ୍ବଙ୍କୁ ପିପିଲିରେ ବନ୍ଦୀ କରି ରଖିଦେଲେ ।

 

ପ୍ରଶ୍ନ–ସେତେବେଳେ ଇଂରେଜ ସୈନ୍ୟମାନେ କେଉଁଠାରେ ଥିଲେ ?

 

ଉତ୍ତର–ମହାନଦୀ କୂଳରେ, ପିପିଲିଠାରୁ ତିନିକୋଶ ଦୂରରେ ।

 

ପ୍ରଶ୍ନ–ତୁମକୁ ଯେଉଁ ସ୍ଥାନରୁ ଇଂରେଜମାନେ ଡାକି ଆଣିଲେ, ସେଠାରୁ ତୁମ ଘର କେତେ ବାଟ ହେବ ?

 

ଉତ୍ତର–କୋଶେ ।

 

ପ୍ରଶ୍ନ–ପ୍ରଧାନ ରାସ୍ତା ଉପରେ, ନା ଅନ୍ୟ ରାସ୍ତାଉପରେ ?

 

ଉତ୍ତର–ପ୍ରଧାନ ରାସ୍ତାଠାରୁ କିଛି ଦୂରରେ ।

 

ପ୍ରଶ୍ନ–ପିପିଲି ବଡ଼ସଡ଼କ ପାଖରେ ତୁମକୁ ବନ୍ଦୀକରି ରଖାଯାଇଥିଲା କି ?

 

ଉତ୍ତର–ହଁ ।

 

ପ୍ରଶ୍ନ–ତୁମକୁ କାହିଁକି ବନ୍ଦୀ କରାଗଲା ?

 

ଉତ୍ତର–ମୁଁ ଇଂରେଜ ଛାଉଣିକୁ ଯାଇଥିବାରୁ ।

 

ପ୍ରଶ୍ନ–ତୁମେ ତ ପ୍ରଥମେ ଇଂରେଜ ଛାଉଣିକୁ ଗଲ । ତୁମେ ଜାଣ ଯେ ଏକଥା ମରହଟ୍ଟାମାନେ ଜାଣିଲେ ତୁମ ଉପରେ ପ୍ରତିଶୋଧ ନେବେ । ଜାଣି ଜାଣି ତୁମେ କାହିଁକି ଇଂରେଜ ଛାଉଣି ଛାଡ଼ିଲ ?

 

ଉତ୍ତର–ପ୍ରଥମେ ମରହଟ୍ଟାଙ୍କ ଭୟରେ ଗଲି । ମରହଟ୍ଟାମାନେ ମୋ ଉପରେ କୌଣସି ଅତ୍ୟାଚାର କଲେ ସେ ସମ୍ବାଦ ଇଂରେଜମାନଙ୍କୁ ଜଣାଇ ଦେବାପାଇଁ ଗଣେଶ ମିଶ୍ରଙ୍କୁ ଇଂରେଜ ଛାଉଣିକୁ ପଠାଇଥିଲି । ମୋ ଘରକୁ ଫେରିଯିବା ମୋର ଇଚ୍ଛା ଥିଲା ।

 

ପ୍ରଶ୍ନ–ଇଂରେଜ ଓ ମରହଟ୍ଟାମାନଙ୍କ ଭିତରେ ଯେଉଁ ସଂଘର୍ଷ ଏଠାରେ ଲାଗିଛି, ତାହା ନିଷ୍ପତ୍ତି ହେବା ପୂର୍ବରୁ ତୁମେ କାହିଁକି ଘରକୁ ଫେରିଯିବାକୁ ଇଚ୍ଛା କରିଥିଲ ?

 

ଏହି ପ୍ରଶ୍ନର ଉପଯୁକ୍ତ ଉତ୍ତର କୁଆଡ଼େ ଚୌଧୁରୀଏ ଦେଇ ପାରିଲେ ନାହିଁ । ସେ କୁଆଡ଼େ କହିଲେ ଯେ ‘‘ମୁଁ ଘରେ ରହିବା ଯାହା, ଇଂରେଜ ଛାଉଣିରେ ରହିବା ତାହା ।’’

 

ପୁଣି ପ୍ରଶ୍ନ ହେଲା–ତୁମ୍ଭେ ‘‘ଆମ ଇଂରେଜ ସୈନ୍ୟମାନଙ୍କୁ ବାଟ ଦେଖେଇବାପାଇଁ ଗଣେଶଙ୍କୁ ଆଦେଶ ଦେଇଥିଲ କି ?

 

ଉ-ନାହିଁ, ମୁଁ ଯେଉଁ ସବୁ ସମ୍ବାଦ ପାଇବି, ତାକୁ ଇଂରେଜ ଛାଉଣିରେ ଜଣାଇବା ଓ ଇଂରେଜମାନଙ୍କ ସବୁ ଆଦେଶ ମୋତେ ଜଣାଇବା ନିମିତ୍ତ ତାଙ୍କୁ ମୁଁ ଇଂରେଜ ଛାଉଣିକୁ ପଠାଇଥିଲି ।

 

ବଳରାମ ଚଉଧୁରୀଙ୍କ କୈଫିୟତରେ ହାକିମ ସନ୍ତୋଷ ଲାଭ କରି ପାରିଲେ ନାହିଁ । ସ୍ଥାନେ ସ୍ଥାନେ ଏଭଳି ଲୋକ ଥିବାର ମଧ୍ୟ ସନ୍ଦେହ କଲେ । ମୂଳରୁ ସତର୍କ ନ ହେଲେ ଭବିଷ୍ୟତରେ ଆସନ ଟଳି ପଡ଼ିବ, ଏହି ଆଶଙ୍କା ହାକିମମାନଙ୍କ ମନରେ ଜାଗ୍ରତ ହୋଇଥିଲା । ଚୌଧୁରୀଙ୍କ ପରି ଆଉ କେତେ ଲୋକ ଜମିଦାରୀ ଜାଗିରୀ ହରେଇଲେ ।

 

ମାଲୁଦ ଜାଗିରଦାର ଇଂରେଜ ସୈନ୍ୟଙ୍କୁ ବାଟ ଛାଡ଼ିଦେଇ ସୁନା ପୁଅ ହେଲେ, ଜାଗିରୀ ପାଇଲେ । କୋଟରାଙ୍ଗ ଜମିଦାର ଇଂରେଜ ସୈନ୍ୟଙ୍କୁ ବାଟ ଭୁଲେଇ ଜମିଦାରୀ ଜାଗିରୀ ହରେଇଲେ ।

 

ଛୋଟ ଛୋଟ ଘଟଣା ସବୁବେଳେ ଆଖିରେ ପଡ଼େ ନାହିଁ । କିନ୍ତୁ ତାହାର ତାତ୍ପର୍ଯ୍ୟ କମ ନୁହେଁ । ସେହି ଦୃଷ୍ଟିରୁ ଏଥିରୁ କିଛି କିଛି ପାଠକଙ୍କ ଆଗରେ ଥୁଆହେଲା ।

Image

 

ଖୋର୍ଦ୍ଧାରାଜା–ଇଂରେଜ ସଂଘର୍ଷ

 

ବେରାର ରାଜାଙ୍କ ଗୁପ୍ତ ଉଦ୍ୟମ

 

ଖ୍ରୀ: ୧୮୦୩ ଓ ୧୮୦୪ ରେ ଓଡ଼ିଶାରେ ଅଧିକାଂଶ ଗଡ଼ଜାତ ରାଜା ଇଂରେଜ ସରକାରଙ୍କ ସହିତ ସନ୍ଧିସୂତ୍ରରେ ଆବଦ୍ଧ ହୋଇ ଇଂରେଜ ସରକାରଙ୍କ ବଶ୍ୟତା ସ୍ୱୀକାର କରି ନେଇଥିଲେ; କିନ୍ତୁ ଏମାନଙ୍କ ଭିତରୁ କେତେ ଜଣ ସନ୍ତୁଷ୍ଟ ନଥିବାର ଜଣାଯାଏ । ଏମାନଙ୍କ ଭିତରୁ ବଉଦ ଓ ସୋନପୁରର ରାଜାମାନେ ଓ ପାଟଣା ଅନ୍ତର୍ଗତ ବୁରାର ଜମିଦାର ସୁବିଧା ପାଇବା ମାତ୍ରେ ଇଂରେଜମାନଙ୍କୁ ଦବେଇ ଦେବାର ମସୁଧା ମଧ୍ୟ କରୁଥିଲେ । ଇଂରେଜମାନଙ୍କ ସହିତ ବେରାର ରାଜା ରାଘୋଜୀ ଭୋଁସଲାଙ୍କର ଦେଓଗାଁ ସନ୍ଧି ସମ୍ପାଦିତ ହୋଇ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ବେରାର ରାଜା ଇଂରେଜମାନଙ୍କ ପ୍ରତି ଗୁପ୍ତରେ ଷଡ଼ଯନ୍ତ୍ର କରିବା ଉଦ୍ୟମ ମଧ୍ୟ କରୁଥିଲେ । ଇଂରେଜମାନେ ମଧ୍ୟ ବେରାର ରାଜାଙ୍କୁ ନାନା ଭାବରେ ସନ୍ତୁଷ୍ଟ କରି ରଖିବାକୁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ବେରାର ରାଜାଙ୍କ ଶତ୍ରୁ ମାନଙ୍କ ସହିତ ସହଯୋଗ କରି ସେମାନଙ୍କୁ ତାଙ୍କ ବିରୁଦ୍ଧରେ ମତାଇବା ଉଦ୍ୟମ କରୁଥିଲେ । ଉଭୟେ ଛକାପଞ୍ଝା ନୀତିରେ ଚାଲୁଥିଲେ ।

 

ବେରାର ରାଜାଙ୍କ ଓଡ଼ିଶା ପୁନଃପ୍ରାପ୍ତି ଆଶା

 

ସମ୍ବଲପୁରର ରାଜା ଜଇତ ସିଂହ ଓ ତାଙ୍କ ପୁତ୍ର ମହାରାଜ ସିଂହଙ୍କୁ ବେରାର ରାଜା ଆଠବର୍ଷ ତଳେ (୧୭୯୭ ରେ) ବନ୍ଦୀ କରି ନାଗପୁରରେ ରଖିଥିଲେ । ସମ୍ବଲପୁର ରାଜାଙ୍କୁ ବେରାର ରାଜାଙ୍କ କବଳରୁ ମୁକ୍ତ କରିପାରିଲେ ସମ୍ବଲପୁର ଓ ତାର ନିକଟବର୍ତ୍ତୀ ଗଡ଼ଜାତଗୁଡ଼ିକ ଇଂରେଜମାନଙ୍କ ପ୍ରତି ଅନୁରକ୍ତ ରହିବେ ଏହି ଧାରଣା ଇଂରେଜମାନଙ୍କର ଥିଲା । ଦେଓଗାଁ ସନ୍ଧି ଅନୁସାରେ ସମ୍ବଲପୁର ଓ ନିକଟବର୍ତ୍ତୀ ଗଡ଼ଜାତଗୁଡ଼ିକ ମରହଟ୍ଟାମାନଙ୍କ ହାତରୁ ଇଂରେଜମାନଙ୍କ ଅଧୀନକୁ ଆସି ଯାଇଥିଲେ ମଧ୍ୟ ୧୮୦୫ରେ ବେରାର ରାଜାଙ୍କୁ ଖୁସି କରିବା ଉଦ୍ଦେଶ୍ୟରେ ସମ୍ବଲପୁର ଓ ପାଟଣା ଏ ଦୁଇଟି ରାଜ୍ୟକୁ ଇଂରେଜମାନେ ପୁଣି ବେରାର ରାଜାଙ୍କୁ ଫେରାଇ ଦେଲେ । ଏହି ଘଟଣାର ସୁବିଧା ନେଇ ଓଡ଼ିଶାରେ ପୁନର୍ବାର ମରହଟ୍ଟା ଶାସନ ପ୍ରବର୍ତ୍ତନ କରିବା ପାଇଁ ବେରାର ରଜା ଗୁପ୍ତ ଉଦ୍ୟମ କରୁଥିବା ସନ୍ଦେହ ଇଂରେଜ ଶାସକମାନଙ୍କ ମନରେ ଜାଗ୍ରତ ହେଲା । ପାଟଣା, ବଉଦ, ସୋନପୁରର ରାଜାମାନେ ଯଦି ମରହଟ୍ଟା ଅଧୀନତା ସ୍ୱୀକାର କରିଯାଆନ୍ତି ତାହାହେଲେ ସମ୍ବଲପୁରଠାରୁ ନୟାଗଡ଼ ପର୍ଯ୍ୟନ୍ତ ଗଡ଼ଜାତ ଅଞ୍ଚଳରେ ପୁନର୍ବାର ମରହଟ୍ଟା ରାଜତ୍ୱ ପ୍ରତିଷ୍ଠିତ ହୋଇଯିବାର ଆଶଙ୍କା ରହିଥିଲା । ଯଦି ଖୋର୍ଦ୍ଧାର ରାଜା ଏମାନଙ୍କ ସହିତ ସହଯୋଗ କରନ୍ତି ତାହାହେଲେ ପୁରୀ ପର୍ଯ୍ୟନ୍ତ ମରହଟ୍ଟାରାଜ୍ୟ ବିସ୍ତୃତ ହୋଇଯିବ । ଏହି ଭୂଖଣ୍ଡ ସ୍ୱ ଅଧୀନକୁ ଆସିଗଲେ କଟକରୁ ଇଂରେଜମାନଙ୍କୁ ହଟେଇ ଦେଇ ସମଗ୍ର ଓଡ଼ିଶାରେ ମରହଟ୍ଟାରାଜତ୍ୱ ପୁନର୍ବାର ପ୍ରତିଷ୍ଠିତ ହୋଇପାରିବ ବୋଲି ମରହଟ୍ଟା ଶାସକମାନେ ଧାରଣା କରିନେଲେ ।

 

ବେରାର ରାଜାଙ୍କ ଖୋର୍ଦ୍ଧାରାଜାଙ୍କୁ ଗୁପ୍ତବାର୍ତ୍ତା

 

ଏହି ମତଲବରେ ଖୋର୍ଦ୍ଧା, ବଉଦ, ସୋନପୁର, ନୟାଗଡ଼ ଓ ସେ ତରଫର ଅନ୍ୟାନ୍ୟ ଗଡ଼ଜାତର ମନୋଭାବ ଜାଣିବା ପାଇଁ ବେରାର ରାଜା କେତେକ ଗୁପ୍ତଚରଙ୍କୁ ପଠାଇଥିଲେ । ସେଥିରୁ ଜଣକୁ ୧୮୧୫ ଫେବୃଆରୀ ମାସରେ ସମ୍ବଲପୁରରେ କର୍ଣ୍ଣେଲ ବ୍ରାଉଟନ ଧରି ଅଟକ କରିଥିଲେ ।

 

ସମ୍ବଲପୁରର ରାଣୀ ତାଙ୍କୁ କୌଶଳରେ ଧରି ବ୍ରାଉଟନଙ୍କ ଜିମା ଦେଇଦେଲେ । ସେହି ଗୁପ୍ତଚରର ନାମ ଆଣ୍ଟାଜୀ ନାଇଜ । ତାହାଠାରୁ ବ୍ରାଉଟନ ଯେଉଁ ଜବାନବନ୍ଦି ନେଇଥିଲେ ତାହା ଇଂରେଜୀରେ ଅନୁବାଦ କରି ସରକାରଙ୍କ ଅବଗତି ନିମନ୍ତେ କଲିକତାକୁ ପଠାଇଥିଲେ । ଇଂରାଜୀରେ ଲିଖିତ ସେହି ଜମାନବନ୍ଦିର ଓଡ଼ିଆ ମର୍ମାନୁବାଦ ନିମ୍ନରେ ଦିଆଗଲା । ୧୮୦୫ ଫିବୃଆରୀ ୧୪ ତାରିଖରେ ସମ୍ବଲପୁର ନିକଟରେ ବ୍ରାଉଟନ ସାହେବ ତାଙ୍କ ଠାଣାରେ ଜମାନବନ୍ଦି ନେଇଥିଲେ ।

 

ପ୍ରଶ୍ନ–ତୁମର ନାମ କଣ ? କେଉଁ ଜାତି ? କେଉଁ ଦେଶର ଲୋକ ?

 

ଉତର–ମୋର ନାମ ଆଣ୍ଟାଜୀ ନାଇକ । ଜାତି-ମରହଟ୍ଟା କୁନବୀ । ମୋର ନିବାସସ୍ଥାନ-ଲିଲଗାଁଓ । ପରଗନା-ମଲକାପୁର । ପୂର୍ବେ ମୁଁ ବେରାରର ମହାରାଜା ରାଘୋଜୀ ଭୋଁସଲାଙ୍କ ଅଧୀନରେ ଚାକିରୀ କରୁଥିଲି । ମୋ ଅଧୀନରେ କଟକରେ ୧୫ ଜଣ ହରକରା ଥିଲେ । ଇଂରେଜମାନେ ଏହି ପ୍ରଦେଶ (ଓଡ଼ିଶା) ଜୟ କରିବାରୁ ମୁଁ ବାଲାଜୀ ଗୋନୀରଙ୍କ ସାଙ୍ଗରେ ନାଗପୁର ରାଜା ରାଘୋଜୀଙ୍କ ପାଖକୁ ଚାଲିଗଲି । ସେହି ସମୟରେ ମୋର କୁଟୁମ୍ବ ଲିଲଗାଁଓରୁ ଆସି ସେଠାରେ ଉପସ୍ଥିତ ହେଲେ । ବେରାରରେ ଜନିଷପତ୍ର ଦରଦାମ ମହର୍ଗ ଯୋଗୁଁ ଚଳିବା ପକ୍ଷେ କଷ୍ଟ ହେବାରୁ ରତନପୁରକୁ କୁଟୁମ୍ବ ଧରି ଯିବାପାଇଁ ସଂକଳ୍ପ କଲି । ଏହି ସମୟରେ ସବୁ ହରକରାମାନଙ୍କର ସର୍ଦାର ମାହାଜୀ ନାଇକ ମୋତେ କହିଲେ, ‘‘ତୁମେ ପୂର୍ବେ ମହାରାଜାଙ୍କ ସହିତ ହଜାରେ ଥର ଦେଖା କରିଛ । ଏବେ ରତନପୁର ଯିବା ପୂର୍ବରୁ ତାଙ୍କ ସହିତ ଦେଖା କରି ତୁମ ସମ୍ମାନ ଜଣାଇବା ଉଚିତ ।’’

 

ଏହାପରେ ଏହାଙ୍କ ସହିତ ମୁଁ ରାଜାଙ୍କ ପାଖକୁ ଗଲି । ସେ ମୋତେ ରାଜାଙ୍କ ଆଗରେ ଭେଟ କରାଇଦେଇ ରାଜାଙ୍କୁ କହିଲେ, ‘‘ଏହି ଲୋକକୁ ବର୍ତ୍ତମାନ କି କାର୍ଯ୍ୟରେ ଲଗାଇ ପାରିବି ?’’

 

ରାଜା କହିଲେ,‘‘ତାର ଯାହା ଖୁସି ତାହା କରୁ ।’’ ମାହାଜୀ କହିଲେ, ‘‘ସେ କୁଟୁମ୍ବ ସହିତ ରତନପୁର ବାହାରି ଯାଉଛି । ସେଠାରେ ଖାଦ୍ୟ ସାମଗ୍ରୀ ଶସ୍ତାରେ ମିଳୁଛି ।’’ ରାଜା କହିଲେ, ‘‘ସେ ତ ରତନପୁର ଯାଉଛନ୍ତି, ସେଠାରୁ କଟକ କେତେ ବାଟ ?’’ ମୁଁ କହିଲି, ‘‘କୋଡ଼ିଏ ଦିନର ବାଟ ।’’ ରାଜା କହିଲେ, ‘‘ଯଦି ତାହା ହୁଏ, ତାହାହେଲେ ଖୋର୍ଦ୍ଧା ଯାଇ ପାରିବ କି ?’’ ତାଙ୍କ ଆଜ୍ଞାକୁ ମୁଁ ମାନିନେଲି । ରାଜା କହିଲେ, ‘‘ତୁମେ ଖୋର୍ଦ୍ଧା ଯାଇ ରାଜାଙ୍କୁ ମୁଁ କହିଛି ବୋଲି କହିବ, ‘ମୋ ଅଧୀନରେ ତୁମେ ସତୁରୀ ବର୍ଷ ଜମିଦାର ହୋଇଥିଲ । ତୁମେ କିପରି ଅକୃତଜ୍ଞଭାବରେ ଇଂରେଜମାନଙ୍କ ସହିତ ଯୋଗ ଦେଲ ? କିଛି ପରବାୟ ନାହିଁ, ତୁମର ଏହି କାର୍ଯ୍ୟର ଫଳ ଭୋଗ କରିବ । ହଉ, ଯଦି ଏହି ସମୟରେ ମୁଁ ସେହି ରାଜ୍ୟକୁ ପୁନର୍ବାର ହାତ କରି ନିଏ ତାହାହେଲେ ତୁମୋ ମୋ ସହିତ ରହିବ, ନା ଇଂରେଜମାନଙ୍କ ଅନୁରକ୍ତ ହେବ ?’ ଏହି ବାର୍ତ୍ତାଟି ତାଙ୍କୁ ଜଣାଇ ଦେଇ ଏଠାକୁ ଫେରିଆସ ଏବଂ ତାଙ୍କ ଉତ୍ତର ମୋତେ ଜଣାଅ ।’’

 

ଏହି ଅନୁସାରେ ମୁଁ କୁଟୁମ୍ବକୁ ଧରି ରତନପୁର ଗଲି । ସେଠାରେ ସେମାନଙ୍କୁ ଛାଡ଼ି ଦେଇ ବୋଡ଼ାସମ୍ବର, ସୋନପୁର ଓ ବୌଦ ବାଟେ କଟକ ପ୍ରଦେଶରେ ବଡ଼ମ୍ବୀରେ (ବଡ଼ମ୍ବାରେ?) ପହଞ୍ଚିଲି । ସେଠାରେ ମୋର ଗୋଟିଏ କୁଟୁମ୍ବ ଥିଲେ । ସେଠାରୁ ମୁଁ ପ୍ରଥମେ ଖୋର୍ଦ୍ଧା ରାଜାଙ୍କୁ ଦେବାନ ରାଜଗୁରୁଙ୍କ ସହିତ ଦେଖା କରି ମହାରାଜା ମୋତେ ଯେଉଁ ବାର୍ତ୍ତା କହିଥିଲେ ତାହା ଶୁଣେଇଦେଲି । ରାଜଗୁରୁ ମୋତେ ରାଜାଙ୍କ ଆଗରେ ହାଜର କରାଇଲେ । ମହାରାଜା (ବେରାର) ଙ୍କ ବାର୍ତ୍ତା ରାଜାଙ୍କୁ ଶୁଣାଇଦେଲି । ରାଜା ରାଜଗୁରୁଙ୍କୁ ଏହାର ଉତ୍ତର ଦେଇ ମୋତେ ତାହା ଶୁଣାଇ ଦେବା ପାଇଁ ଆଦେଶ ଦେଲେ । ରାଜା କହିଲେ, ‘‘ସବୁଠାରୁ ବଳବାନ ଯେ ତାହା ସଙ୍ଗେ ରହିବା ମୋର ଅଭ୍ୟାସ । ଯଦି ମହାରାଜା ସେପରି ବଳୀୟାନ ହୁଅନ୍ତି ତାହାହେଲେ ମୁଁ ତାଙ୍କର ଅଧୀନତା ସ୍ୱୀକାର କରିବି । ଯେଉଁ ଆଡ଼େ ବର୍ଷା ସେ ଆଡ଼େ ସବୁବେଳେ ଛତା ।’’

 

ଏହି କଥାବାର୍ତ୍ତା କାନାଜୀଙ୍କ ଉପସ୍ଥିତିରେ ହୋଇଥିଲା । କାନାଜୀ ସେତେବେଳେ ସାଙ୍ଗର ୩୦ଟି ଘୋଡ଼ା ଧରି ଖୋର୍ଦ୍ଧାରେ ଉପସ୍ଥିତ ଥିଲେ । ତାଙ୍କର ଲୋକେ ସାଙ୍ଗେ ସାଙ୍ଗେ ଏହି କଥା ମହାରାଜା (ବେରାର) ଙ୍କୁ ଜଣାଇବା ପାଇଁ ବାହାରିଗଲେ ।

 

ଖୋର୍ଦ୍ଧାରୁ ମୁଁ ବିଦାୟ ନେବା ପରେ ମୁଁ ବଡ଼ମ୍ବୀ (ବଡ଼ମ୍ବା) ମୋ କୁଟୁମ୍ବଙ୍କ ପାଖକୁ ଆସିଲି । ଅଳ୍ପ କେତେ ଦିନ ପରେ ସେଠାରୁ ନୟାଗଡ଼ ଗଲି ଏବଂ ସେଠାରେ ପନ୍ଦର ଦିନ ରହିଲି । ରାଜାଙ୍କ ସହିତ ମୋର ଥରେ ଦେଖା ହୋଇଥିଲା ଏବଂ ବେରାର ରାଜା ଖୋର୍ଦ୍ଧା ରାଜାଙ୍କୁ ଯେଉଁ ବାର୍ତ୍ତା ଶୁଣେଇବାପାଇଁ କହିଥିଲେ ସେହି କଥା ତାଙ୍କୁ କହିଲି । ଖୋର୍ଦ୍ଧା ରାଜା ଯେଉଁ ଉତ୍ତର ଦେଲେ ଠିକ ସେହିପରି ଉତ୍ତର ନୟାଗଡ଼ ରାଜା ଦେଲେ । ସେ ମୋତେ....ଦେଲେ । ସେହି ସମୟରେ ଖୋର୍ଦ୍ଧା ଓ ନୟାଗଡ଼ ନିକଟରେ ଇଂରେଜ ସୈନ୍ୟ ଥିଲେ । ସେହିକାରଣରୁ ସେମାନେ ବେରାର ରାଜାଙ୍କ ସହିତ ସହଯୋଗ କରିବା ସପକ୍ଷରେ ମୋତେ ଉତ୍ସାହବାଣୀ ଶୁଣାଇ ପାରିଲେ ନାହିଁ । ସେମାନେ ମଧ୍ୟ ମୋତେ (ବେରାର) ମହାରାଜାଙ୍କର ଲିଖିତ ପ୍ରମାଣପତ୍ର ମାଗିଲେ । କାରଣ ସେମାନେ ମୋ କଥାରେ ଆସ୍ଥା ସ୍ଥାପନ କଲେ ନାହିଁ । କିନ୍ତୁ ମହାରାଜାଙ୍କ ଠାରୁ ମୁଁ କୌଣସି ଚିଠି କାଗଜ ପାଇ ନଥିବାରୁ ସେମାନଙ୍କୁ ପ୍ରମାଣପତ୍ର ଦେଖାଇ ପାରିଲି ନାହିଁ । ବଡ଼ମ୍ବୀ (ବଡ଼ମ୍ବା) ଫେରି ଆସିବା ପରେ ମୁଁ ରତନପୁର ଫେରିବା ଯାତ୍ରା ଆରମ୍ଭ କଲି । କଟକ ଫେରିବା ରାସ୍ତାରେ ବୌଦରେ ପହଞ୍ଚିଲି । ସେ ରାଜ୍ୟ ଭିତରେ ନିରାପଦରେ ଯାତ୍ରା କରିବା ପାଇଁ ରାଜା ବ୍ୟବସ୍ଥା କରି ଦେଇଥିଲେ । ଫେରିବା ବାଟରେ ବୌଦ ନିକଟରେ ଥିବା ଘୋରା ଘାଟରେ ଆଠଦିନ ରହିଲି । ସେତେବେଳକୁ ରାଜା ଗଡ଼ଠାରୁ ଛଅ କୋଶ ଦୂରରେ ଥିଲେ । ମୋତେ ତାଙ୍କ ରାଜ୍ୟ ଭିତରେ । (ମୋ ଦେଶକୁ) ପୁନର୍ବାର ଯାତ୍ରା କରିବାରେ ସୁବିଧା କରି ଜଗୁଆଳି ପଠାଇବା ପାଇଁ ବାର୍ତ୍ତାଦ୍ୱାରା ଅନୁରୋଧ ଜଣାଇଲି । ମୁଁ ଯେଉଁ ଲୋକଟିକୁ ବାର୍ତ୍ତା ଦେଇ ପଠାଇଥିଲି ତାହା ହାତରେ ତିନୋଟି ଟଙ୍କା ଓ ତିନିଦିନର ରସଦ ଦେଇ ରାଜା ମୋଠାକୁ ଖବର ଦେଲେ ଯେ ମୁଁ ମୋର ଇଚ୍ଛାନୁଯାୟୀ ତାଙ୍କ ରାଜ୍ୟରେ ଯାତ୍ରା କରିପାରେ । ସାଙ୍ଗରେ ଯିବା ପାଇଁ ମଧ୍ୟ ଜଣେ ଜଗୁଆଳି ଦେଲେ । ସେଠାରୁ ମୁଁ ବୈରାଗଡ଼ ଗଲି; ସେଠାରେ ଚାରିଦିନ ରହିଲି । ବୌଦ ରାଜାଙ୍କ ଜଗୁଆଳି ନିରାପଦରେ ବୌଦ ରାଜ୍ୟ ପାର କରେଇ ଦେଲା ।’’

 

କର୍ଣ୍ଣେଲ ବ୍ରାଉଟନ(Col-Broughton)ଙ୍କ ସହକାରୀ କାପ୍‌ଟେନ ରାଫ୍‌ ସେଡ଼ଜ୍‌ (Captain Roughsedge)ଙ୍କ ସାମନାରେ ମୂଳ ଜମାନବନ୍ଦିରେ ଆଣ୍ଟାଜୀ ନାଇକ ଦସ୍ତଖତ କରିଥିଲେ ।

 

ଖୋର୍ଦ୍ଧା ରାଜାଙ୍କ ଅବସ୍ଥା

 

୧୮୦୪ ଖ୍ରୀଷ୍ଟାବ୍ଦରେ ଏହି ଘଟଣା ଘଟିଥିଲା । ଏଥିରୁ ଜଣା ଯାଉଛି, ଓଡ଼ିଶାର ଗଡ଼ଜାତ ରାଜାମାନେ ତ୍ରିଶଙ୍କୁ ଅବସ୍ଥାରେ ଥିଲେ । ଏଆଡ଼େ ଖୋର୍ଦ୍ଧା ରାଜାଙ୍କ ସହିତ ସହଯୋଗ କରି ବ୍ରିଟିଶଙ୍କ ବିରୁଦ୍ଧରେ ଯିବା ମଧ୍ୟ ସେମାନେ ନିରାପଦ ମନେକରୁ ନ ଥିଲେ । ସେଆଡ଼େ ବେରାରର ମରହଟ୍ଟା ରାଜା ଦୀଘୋନୀ ଭୋଁସଲା ଓଡ଼ିଶାକୁ ଛାଡ଼ି ପଳାଇଯିବା ପରେ ସେ ପୁଣି ଫେରି ଓଡ଼ିଶାରେ ରାଜତ୍ୱ କରିବେ ସେ ଆଶା ମଧ୍ୟ ନଥିଲା । ମରହଟ୍ଟାମାନଙ୍କ ଭିତରେ ଗୃହବିବାଦ ଓ ଖୋଦ ରାଘୋଜୀଙ୍କ ଅବ୍ୟବସ୍ଥିତ ନୀତି ସେମାନଙ୍କୁ କୌଣସି ନିର୍ଦ୍ଦିଷ୍ଟ ପନ୍ଥା ଅବଲମ୍ବନ କରିବାରେ ସାହାଯ୍ୟ କରି ନାହିଁ । ଖୋର୍ଦ୍ଧା ରାଜା ମଧ୍ୟ ସେହି ଅବସ୍ଥାରେ ପଡ଼ିଥିଲେ । ସେଥିପାଇଁ ସେ ବେରାର ଚରକୁ ଉତ୍ତର ଦେଇଥିଲେ, ‘‘ଯୁଆଡ଼େ ବର୍ଷା ସେ ଆଡ଼କୁ ଛତା ।’’

 

ମରହଟ୍ଟା ଅମଳରେ ଖୋର୍ଦ୍ଧା ରାଜାଙ୍କ ଗଣ୍ଡଗୋଳ

 

ମରହଟ୍ଟା ଅମଳରେ ଖୋର୍ଦ୍ଧା ରାଜାଙ୍କ ଉପରେ ସେମାନଙ୍କ ପ୍ରଭୁତ୍ୱ ବେଶି ନ ଥିଲା । ଖଜଣା ଆଦାୟ କେବଳ ମରହଟ୍ଟା ରାଜତ୍ୱର ଏକ ପ୍ରଧାନ ଲକ୍ଷ୍ୟ ଥିଲା । ପୁରୀ କଟକ ମଧ୍ୟରେ ଯେତେ ଜମି ଅଛି, ସେଥିରୁ ଅଧକାଂଶ ଭାଗ ନିଜର ବୋଲି ଦାବୀ କରି ଖୋର୍ଦ୍ଧାରାଜା ସବୁବେଳେ ମରହଟ୍ଟାମାନଙ୍କ ସହିତ ଝଗଡ଼ା କରୁଥିଲେ । ମରହଟ୍ଟା ଶାସକମାନେ ନିଜ ଦେଶର ଲୋକଙ୍କ ଦ୍ୱାରା ଗଠିତ ହୋଇଥିବା ସୈନ୍ୟବାହିନୀ ଉପରେ ନିର୍ଭର କରୁଥିଲେ । ମରହଟ୍ଟା ଅଶ୍ୱାରୋହୀ ସୈନ୍ୟମାନେ ଯୁଦ୍ଧକ୍ଷେତ୍ରରେ ଖୁବ ପାରଙ୍ଗମ ଥିଲେ । ବଣ ଜଙ୍ଗଲରେ ଯୁଦ୍ଧ କରିବାରେ ମରହଟ୍ଟା ସୈନ୍ୟ ଓଡ଼ିଆ ପାଇକଙ୍କ ଠାରୁ ସରସ ଥିଲେ । କିନ୍ତୁ ଖୋଲା ମଇଦାନରେ ଲଢ଼େଇରେ ଓଡ଼ିଆ ପାଇକଙ୍କୁ ମରହଟ୍ଟା ପଦାତିକମାନେ ପରାସ୍ତ କରି ପାରୁ ନ ଥିଲେ । ଏହି କାରଣରୁ ମରହଟ୍ଟା ଶାସକମାନେ ସବୁବେଳେ ଏ ଦେଶର ଜମିଦାରୀମାନଙ୍କ ବିରୁଦ୍ଧରେ କ୍ରମାଗତ ଅଭିଯାନ ଚଳାଇବା ପାଇଁ ପଛେଇ ଯାଉଥିଲେ । ମରହଟ୍ଟା ଶାସକମାନଙ୍କର ଏହି ଦୁର୍ବଳତାର ସୁଯୋଗ ନେଇ ଖୋର୍ଦ୍ଧାର ରାଜା କଟକ-ପୁରୀ ଭିତରେ ବରାବର ଗଣ୍ଡଗୋଳ ସୃଷ୍ଟି କରୁଥିଲେ । ଖଜଣା ନ ଦେବା, ଅନ୍ୟ ଜମିଦାରୀରୁ ବଳପୂର୍ବକ ଖଜଣା ଆଦାୟ କରିବା ପ୍ରଭୃତି ଗଣ୍ଡଗୋଳିଆ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଖୋର୍ଦ୍ଧା ରାଜାଙ୍କ ଯାତନାରୁ ରକ୍ଷା ପାଇବା ପାଇଁ ମରହଟ୍ଟାମାନେ କଟକର ଦକ୍ଷିଣ ଦିଗରେ କାଠଯୋଡ଼ିର ଦକ୍ଷିଣକୁ ପ୍ରାୟ ୪ ମାଇଲ ଦୂରରେ ସାରଙ୍ଗଗଡ଼ (ବର୍ତ୍ତମାନ ବାରଙ୍ଗ ଷ୍ଟେସନ ନିକଟ) ନାମକ ଦୁର୍ଗକୁ ସୁଦୃଢ଼ କରି ସେଠାରେ ଘାଟି ବସାଇଥିଲେ ।

 

ଇଂରେଜଙ୍କ ସହିତ ଖୋର୍ଦ୍ଧା ରାଜାଙ୍କ ସଂଘର୍ଷ

 

ଇଂରେଜମାନେ ୧୮୦୩ ରେ ଓଡ଼ିଶା ଆକ୍ରମଣ କରି ଦଖଲ କଲାବେଳେ ଖୋର୍ଦ୍ଧାରାଜା କୌଣସି ପ୍ରକାର ଆପତ୍ତି ବା ଗଣ୍ଡଗୋଳ ନ କରି ଇଂରେଜମାନଙ୍କର ବଶ୍ୟତା ସ୍ୱୀକାର କରିଥିଲେ । କିନ୍ତୁ ତାର ପର ବର୍ଷ ରାହାଙ୍ଗ, ଚବିଶକୁଦ, ଲେମ୍ବାଇ, ସିରେଇ ପ୍ରଭୃତ ଖାସ ସରକାରୀ ପରଗନାରୁ ଜୋର ଜବରଦସ୍ତି ଖଜଣା ଆଦାୟ କରିବାକୁ ଆରମ୍ଭ କଲେ । ମରହଟ୍ଟାମାନଙ୍କ ସହିତ ତାଙ୍କର ଯେଉଁ ସଂଘର୍ଷ ହେଉଥିଲା ତାହା ଇଂରେଜ ରାଜତ୍ୱ ଭିତରକୁ ମଧ୍ୟ ଗଡ଼ି ଆସିଲା ।

 

ଏହି ସଂଘର୍ଷର ଅୟମାରମ୍ଭ ହେଲା ପୁରୀ ନିକଟର ବାଟଗାଁ ସମ୍ପର୍କରେ । ପୂର୍ବରୁ ବାଟଗାଁ ମୋଗଲବନ୍ଦୀ ପ୍ରଗନ୍ନାରେ ଥିଲା । ଓଡ଼ିଶା ସରକାର ସେଠାରୁ ଖଜଣା ଆଦାୟ କରୁଥିଲେ-। ମରହଟ୍ଟାମାନଙ୍କ ଅମଳରେ ରାଜକୋଷରେ ସେ ଗାଁର ଖଜଣା ଦାଖଲ ହେଉଥିଲା । ଇଂରେଜମାନେ ଓଡ଼ିଶା ଦଖଲ କରିବା ଓ ଖୋର୍ଦ୍ଧା ରାଜା ଇଂରେଜ ରାଜତ୍ୱର ଆନୁଗତ୍ୟ ବିନା ବାଧାରେ ସ୍ୱୀକାର କରିବାର ଏକବର୍ଷ ଭିତରେ ମୋଗଲବନ୍ଦୀ ଅଞ୍ଚଳରେ ଖୋର୍ଦ୍ଧାରାଜା ସଂଘର୍ଷ ଆରମ୍ଭ କରିଦେଲେ ।

 

ପ୍ରଥମେ ଖୋର୍ଦ୍ଧା ରାଜା ଦାବୀ କଲେ ଯେ ବାଟଗାଁରୁ ଖଜଣା ଆଦାୟ କରିବାର ଅଧିକାର ତାଙ୍କର ଅଛି ଏବଂ ସେ ସେଥିନିମନ୍ତେ ଜଣେ ମକଦ୍ଦମ ନିଯୁକ୍ତ କରିବେ । ବାଲି ଜେନା ସେ ଗ୍ରାମର ମକଦ୍ଦମ । ସେ ପନ୍ଦର ବର୍ଷ ହେଲା ସନନ୍ଦ ପାଇ (ମରହଟ୍ଟା ଅମଳରୁ) ମକଦ୍ଦମି କରୁଥିଲେ । ଖୋର୍ଦ୍ଧା ରାଜା ବାଟଗାଁରେ ନିଜର ଆଧିପତ୍ୟ ବିସ୍ତାର କରିବା ଉଦ୍ଦେଶ୍ୟରେ ସେଠାରେ ଜଣେ ନୂତନ ମକଦ୍ଦମ ନିଯୁକ୍ତ କରିବା ନିଶ୍ଚୟ କରି ଅଚ୍ୟୁତ ବାରିକଙ୍କୁ ପଠାଇଲେ । ରାଜାଙ୍କଠାରୁ ପରୁଆନା ନେଇ ଅଚ୍ୟୁତ ବାରିକ ମକଦ୍ଦମ ହେବା ପାଇଁ ସେ ଗ୍ରାମରେ ପହଞ୍ଚିବା ମାତ୍ରେ ବାଲି ଜେନା ପୁରୀର କଲେକ୍‌ଟରଙ୍କ ପାଖରେ ଆପତ୍ତି କଲେ । ପୁରୀ କଲେକ୍‌ଟର କଟକ କମିଶନର ବୋର୍ଡ଼ଙ୍କୁ ଏହି କଥା ଅବଗତ କରାଇ ନିର୍ଦ୍ଦେଶ ଅପେକ୍ଷାରେ ରହିଲେ । ଭିତରେ ଅଚ୍ୟୁତ ବାରିକ ନିଜକୁ ମକଦ୍ଦମ ବୋଲି ପରିଚୟ ଦେଇ ଖୋର୍ଦ୍ଧା ରାଜାଙ୍କ ତରଫରୁ ଜୋର ଜବରଦସ୍ତି ଖଜଣା ଆଦାୟ କରିବାକୁ ଲାଗିଲେ । କମିଶନର ବୋର୍ଡ଼ (୧୮୦୪) ଜୁଲାଇ ମାସ ଶେଷ ଆଡ଼କୁ ପୁରୀ କଲେକ୍‌ଟରଙ୍କୁ ଜଣାଇଲେ ଯେ, ବାଟଗାଁରେ ମକଦ୍ଦମ ନିଯୁକ୍ତ କରିବା ଅଧିକାର ଖୋର୍ଦ୍ଧା ରାଜାଙ୍କର ନାହିଁ ଏବଂ ଅଚ୍ୟୁତ ବାରିକ ଯେ ଏତେଦିନ ମକଦ୍ଦମ ବୋଲି ପରିଚୟ ଦେଇ ଖଜଣା ଆଦାୟ କଲେ ତାହା କିପରି ବା କଲେକ୍‌ଟର ବରଦାସ୍ତ କଲେ ? ସେଥିରେ ବୋର୍ଡ଼ ବିସ୍ମୟ ପ୍ରକାଶ କଲେ । ବୋର୍ଡ଼ଙ୍କ ଆଦେଶ ଅନୁସାରେ ଅଚ୍ୟୁତ ବାରିକଙ୍କୁ ବାଟଗାଁରୁ ଶୀଘ୍ର ବାହାରିଯିବାକୁ କଲେକ୍‌ଟର ହୁକୁମ କଲେ । ଏହା ସଙ୍ଗେ ସଙ୍ଗେ ବାରିକଙ୍କୁ ମଧ୍ୟ ତାକିତ କରି ଦିଆଗଲା କି ଭବିଷ୍ୟତରେ ସେ ଯଦି ସରକାରଙ୍କ ଆଜ୍ଞାକୁ ଅବମାନନା କରନ୍ତି ତାହାହେଲେ ସେଥିପାଇଁ ଦଣ୍ଡ ଭୋଗ କରିବାକୁ ପଡ଼ିବ । ସରକାରଙ୍କ ବିନା ହୁକୁମରେ ସରକାରଙ୍କ ରାଜ୍ୟରେ ଖୋର୍ଦ୍ଧା ରାଜା କିମ୍ବା ତାଙ୍କର ଲୋକେ ଯେପରି କୌଣସି କ୍ଷମତା ବିସ୍ତାର ନ କରନ୍ତି ସେଥିପ୍ରତି କଡ଼ା ନଜର ରଖିବାକୁ କଲେକ୍‌ଟରଙ୍କୁ ହୁକୁମ ଦିଆଗଲା । ରାଜାଙ୍କୁ ମଧ୍ୟ ଏହି ବିଷୟ ଜଣାଇ ଦିଆଗଲା । ଅଚ୍ୟୁତ ବାରିକଙ୍କୁ ଜବରଦସ୍ତି ବାଟଗାଁର ମକଦ୍ଦମ ପଦରୁ ସରକାର ଅନ୍ତର କରିଦେଲେ ।

 

ରାହାଙ୍ଗ, ଚବିଶକୁଦ, ସିରେଇ, ଲିମ୍ବେଇ ପ୍ରଗନ୍ନା ଉପରେ ଖୋର୍ଦ୍ଧା ରାଜା ମାଲିକତ୍ୱ ଦାବି କରିଥିଲେ । କିନ୍ତୁ ସରକାର ତାହା ସ୍ୱୀକାର କଲେ ନାହିଁ । ସରକାର କହିଲେ ଯେ ଏହି ଚାରି ପ୍ରଗନ୍ନା ଖୋର୍ଦ୍ଧା ରାଜାଙ୍କର ନ ଥିଲା । ମରହଟ୍ଟା ଅମଳରେ ପ୍ରାୟ ଚାଳିଶ ବର୍ଷ ପୂର୍ବେ (ଅର୍ଥାତ୍‌ ପ୍ରାୟ ୧୭୬୫) ଖୋର୍ଦ୍ଧା ରାଜାଙ୍କ ଏହି ଚାରୋଟି ପ୍ରଗନ୍ନା ଖଜଣା ବାକି ଯୋଗୁଁ ନିଲାମ ହୋଇ ଖାସ ହୋଇ ଯାଇଥିଲା । ମରହଟ୍ଟା ଶାସକମାନେ ଏହି ପ୍ରଗନ୍ନାମାନଙ୍କରୁ ମାଲିକାନା ଆଦାୟ କରୁଥିଲେ । ଖୋର୍ଦ୍ଧା ରାଜାଙ୍କର ଏଥିରେ କିଛି ସମ୍ପର୍କ ନ ଥିଲା । କିନ୍ତୁ ଖୋର୍ଦ୍ଧାରାଜା ବାରମ୍ବାର ଏହି ପରଗଣାମାନଙ୍କ ଉପରେ ମାଲିକତ୍ୱ ଦାବୀ କଲେ ।

 

ସେ ସମୟର ବ୍ରିଟିଶ ଶାସନର ଜମିଜମା ବନ୍ଦୋବସ୍ତ ନୀତିରୁ ଯେ ବହୁ ଉପଦ୍ରବ ଉପୁଜିଥିଲା, ଏଥିରେ ସନ୍ଦେହ ନାହିଁ । ୧୮୦୩ରେ ବ୍ରିଟିଶ ଶାସନ ଓଡ଼ିଶାରେ ଚଳିବା ସଙ୍ଗେ ସଙ୍ଗେ ଶାସକମାନେ ଜମି ବନ୍ଦୋବସ୍ତ ପ୍ରତି ନଜର ଦେଉଥିଲେ । ମରହଟ୍ଟା ଅମଳରେ ଯେଉଁ ରୀତିରେ ଜମିଜମା ବନ୍ଦୋବସ୍ତ ହୋଇଥିଲା ତାକୁ ପୂର୍ଣ୍ଣଭାବରେ ଗ୍ରହଣ କରାଯିବା ପାଇଁ ବ୍ରିଟିଶ ଶାସକମାନଙ୍କ ଇଚ୍ଛା ନଥିଲା । କିଛି ନୂତନ ବ୍ୟବସ୍ଥା କରି ପରିବର୍ତ୍ତନ ଆଣିବାର ଇଚ୍ଛା ଶାସକମାନଙ୍କର ଥିଲା; କିନ୍ତୁ ଏଥିପାଇଁ ଯେଉଁ ସମୟ ଓ ଯେତେ ସଂଖ୍ୟାରେ ଯୋଗ୍ୟ କର୍ମଚାରୀ ଦରକାର ତାହା ସରକାରଙ୍କର ନଥିଲା । ସେଥିପାଇଁ ସେମାନେ ସହଜରେ ଖଜଣା ଆଦାୟ ହେବାଭଳି ପନ୍ଥା ଉଦ୍‌ଭାବନ କରିବାକୁ ଚେଷ୍ଟା କଲେ । ୧୮୦୪ ସେପ୍‌ଟେମ୍ବର ପୂର୍ବରୁ ସରକାରୀ ମହଲରେ ବନ୍ଦୋବସ୍ତ ନୀତି ନେଇ ଆଲୋଚନା ଚାଲିଥିଲା । ସେତେବେଳେ ସରକାରଙ୍କ ଉପର ମହଲରେ ବିଚାର ହେଲା ଯେ ଜମିଦାର, ମକଦ୍ଦମ, ଜାଗିରଦାର, ରାଜା ପ୍ରଭୃତି ଶ୍ରେଣୀର ମାଲିକମାନଙ୍କ ସହିତ ଅସ୍ଥାୟୀଭାବରେ ବନ୍ଦୋବସ୍ତ କରାଯାଉ । ବଡ଼ ଜମିଦାରୀ ଭିତରେ ଯେଉଁସବୁ ଛୋଟ ଜମିଦାର ଅଛନ୍ତି ସେମାନଙ୍କ ସହିତ ସ୍ୱତନ୍ତ୍ର ଭାବର ବନ୍ଦୋବସ୍ତ ବ୍ୟବସ୍ଥା କରାଯାଉ । ଯେଉଁ ମାନେ ଜମିର ସ୍ୱତ୍ୱର ପ୍ରକୃତ ଦଖଲକାର ଅଛନ୍ତି ସେମାନଙ୍କ ସହିତ ବନ୍ଦୋବସ୍ତ ବ୍ୟବସ୍ଥା ହେଉଥିବା ଖବର ପ୍ରଚାର ହେବା ସଙ୍ଗେ ସଙ୍ଗେ କେତେଜଣ ବଡ଼ ବଡ଼ ଜମିଦାର ଟିକିଏ ଫଡ଼କିଲେ । କେହି କେହି ଜମିର ସ୍ୱତ୍ୱର ଦଖଲକାର ପ୍ରମାଣ କରିବା ପାଇଁ ଚେଷ୍ଟା କଲେ । ଯାହାର ପୂର୍ବରୁ ଯେଉଁ ସମ୍ପତ୍ତି ଉପରେ ଅଧିକାର କୌଣସି କାରଣରୁ ତୁଟି ଯାଇଥିଲା ସେ ମଧ୍ୟ ବନ୍ଦୋବସ୍ତ ଲୋଭରେ ସ୍ୱତ୍ୱ ଦଖଲ କରିବାକୁ ଚେଷ୍ଟା କଲେ । ପୁଣି ବଡ଼ ବଡ଼ ଜମିଦାର ଓ ଜାଗିରଦାରମାନେ ସରକାରଙ୍କ ନୂତନ ବନ୍ଦୋବସ୍ତ ନୀତିରେ ସେମାନଙ୍କର ସତ୍ତାଲୋପର ସୂଚନା ଦେଖିଲେ । ଖୋର୍ଦ୍ଧାରାଜାଙ୍କ ଅବସ୍ଥା ତାହାହିଁ ହୋଇଥିଲା ।

 

ଏହି ଚାରି ପରଗଣା ଉପରେ ସେ ଯଦି ନିଜର ମାଲିକତ୍ୱ ପ୍ରମାଣ ନ କରନ୍ତି ତାହାହେଲେ ବନ୍ଦୋବସ୍ତର ଆଉ କୌଣସି ଆଶା ରହିବ ନାହିଁ; ଏହି ଆଶଙ୍କାରେ ସେ ସେହି ଅଞ୍ଚଳରୁ ଖଜଣା ଆଦାୟ କରିବାର ଚେଷ୍ଟା କରୁଥିଲେ । ପୁଣି ଯେଉଁ ଜମିଦାର ଓ ଜାଗିରଦାରମାନେ ବ୍ରିଟିଶ ସରକାରଙ୍କ ପ୍ରତି ଅନୁରକ୍ତ ନ ଥିବା ପ୍ରମାଣ ମିଳିଛି ସେମାନଙ୍କୁ ବନ୍ଦୋବସ୍ତରେ ଅସ୍ୱୀକାର କରି ସେମାନଙ୍କର ଜମିକୁ ଖାସ କରିଦେବା ନିଷ୍ପତ୍ତି ପୂର୍ବରୁ ସରକାର ଗ୍ରହଣ କରିଥିବାରୁ ସଂଘର୍ଷ ଆଉ ଟିକିଏ ଘନେଇ ଗଲା ।

 

ପୁରୀମନ୍ଦିର ପରିଚାଳନାରେ ବିଭ୍ରାଟ ସୃଷ୍ଟି ?

 

ସେହି ବର୍ଷ (୧୮୦୪) ସେପ୍‌ଟେମ୍ବର ମାସରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନାରେ ବିଭ୍ରାଟ ସୃଷ୍ଟି କରିବାପାଇଁ ଖୋର୍ଦ୍ଧା ରାଜା ଷଡ଼ଯନ୍ତ୍ର କରୁଥିଲେ ବୋଲି ସରକାର ଖବର ପାଇଲେ । ଇଂରେଜମାନେ ଦକ୍ଷିଣରୁ ଓଡ଼ିଶା ଆକ୍ରମଣ କରି ପୁରୀ ଓ ପୁରୀ ମନ୍ଦିରକୁ ଜୟ କରି ଦେଲେ । ଜୟ କରିବା ପରେ ମନ୍ଦିରର ପରିଚାଳନା ଭାର ନିଜ ହାତକୁ ନେଇଥିଲେ । ସେଥିରେ ଖୋର୍ଦ୍ଧାରାଜାଙ୍କର ଅଧିକାର ନ ଥିଲା । କିନ୍ତୁ ପୂର୍ବରୁ ସେବକମାନଙ୍କ ଉପରେ ରାଜାଙ୍କର ପ୍ରଭାବ ଥିବାରୁ ତାହାର ସୁଯୋଗ ନେଇ କୁଆଡ଼େ ରାଜା ଇଂରେଜମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ପାଇଁ ଚେଷ୍ଟା କରିଥିଲେ । ସେହି ବର୍ଷ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣପାଇଁ ଯେଉଁ କାଠ ଗଡ଼ଜାତ ଅଞ୍ଚଳରୁ ଆସିବା କଥା ସେଥିରେ କିଛି ଅସୁବିଧା ଉପୁଜିଗଲା । ରଥ ତିଆରି କରିବା ପାଇଁ ଯେଉଁ ରଥ ପରିଛା ନିଯୁକ୍ତ ଥିଲେ ସେ ରଥ ତିଆରି ବାବତ୍‌ରେ କୁଆଡ଼େ ଏଣୁ ତେଣୁ ବାଜେ ଖର୍ଚ୍ଚର ତାଲିକା ଦେଇ ଖର୍ଚ୍ଚ ବୃଦ୍ଧି କରିବା ଚେଷ୍ଟା କରିଥିଲେ ଏବଂ ତାଙ୍କ ତାଲିକା ମୁତାବକ ଧନ ନ ମିଳିଲେ ରଥ ନିର୍ମାଣ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ଜଣାଇଥିଲେ ।

 

ପୁଣି ସେହି ସମୟରେ ଶ୍ରୀମନ୍ଦିର ବେଢ଼ା ଭିତରେ ଥିବା ବିମଳାଙ୍କ ମନ୍ଦିରର ତ୍ରିଶୂଳ ଉପରେ ଶାଗୁଣା ବସିଲା ଏବଂ ବିମଳାଙ୍କ ଶାଢ଼ୀ ଝାଳରେ ତିନ୍ତିଗଲା । ଏହି ଅଶୁଭଦ୍ୱାରା ଦେଶରେ ଦୁର୍ଭିକ୍ଷ ଓ ଅଶାନ୍ତିର ଆଶଙ୍କା ଥିବା କଥା ଦେଉଳ ପରିଛାମାନେ ସରକାରଙ୍କୁ ଜଣାଇ ଶାନ୍ତି ପାଇଁ ଦାନ ଦକ୍ଷିଣାର ବ୍ୟବସ୍ଥାପତ୍ର ଦାଖଲ କଲେ । ସରକାର ଏହି ବ୍ୟବସ୍ଥାନୁଯାୟୀ ଧନ ନ ଯୋଗାଇଲେ ଅବସ୍ଥା ଭଲ ହେବ ନାହିଁ ବୋଲି ମଧ୍ୟ ଜଣାଇଲେ । ମନ୍ଦିରର ସୁପରିଚାଳନା ପାଇଁ ବ୍ରିଟିଶ ସରକାର ଦାୟୀ ରହିବେ ଏବଂ ଲୋକଙ୍କ ଚିରାଚରିତ ପନ୍ଥା ପ୍ରତି ସେମାନଙ୍କର ଖାତିର ଅଛି, ଏହା ସରକାର ଜଣାଇବା ସଙ୍ଗେ ସଙ୍ଗେ ଘୋଷଣା କଲେ ଯେ ସରକାର ସ୍ୱୟଂ ଏଥିରେ ଜଡ଼ିତ ହେବାକୁ ଚାହାନ୍ତି ନାହିଁ । ମନ୍ଦିରର ନୀତି ବିଭ୍ରାଟ ସେବକ ଓ ବ୍ରାହ୍ମଣମାନଙ୍କ ଦ୍ୱାରାହିଁ ହେଉଛି ଏବଂ ଯଦି କୌଣସି ଅଶକୁନ ଦେଖା ଦେଇଥାଏ ତେବେ ସେଥିପାଇଁ ସେମାନଙ୍କର ଏହି ଅନିୟମ ଆଚରଣ ହିଁ ଦାୟୀ । ଏହି କଥା ସେବକ ଓ ବ୍ରାହ୍ମଣମାନଙ୍କୁ ଡାକି ଘରୋଇ ଭାବରେ ଜଣାଇ ଦେବାପାଇଁ କମିଶନର ବୋଡ଼ ପୁରୀ (ଜଗନ୍ନାଥ) କଲେକ୍‌ଟରଙ୍କୁ ହୁକୁମ ଦେଲେ । ସେହି ଖର୍ଚ୍ଚ ସରକାର ସ୍ୱୀକାର କଲେ କିନ୍ତୁ ଭବିଷ୍ୟତରେ ଏପରି ଘଟିଲେ ତାହା ଗୃହୀତ ନ ହୋଇ ପାରେ ବୋଲି ମଧ୍ୟ ଜଣାଇ ଦେଲେ । ଏହି ଘଟଣାରେ ମଧ୍ୟ ରାଜାଙ୍କର ଭିତିରି ହାତ ଅଛି ବୋଲି ସରକାରଙ୍କର ସନ୍ଦେହ ହେଲା ।

 

ଖ୍ରୀ : ୧୮୦୪ ସେପ୍‌ଟେମ୍ବର ମାସରେ ଇଂରେଜ ସରକାର ଖୋର୍ଦ୍ଧା ରାଜା ମୁକୁନ୍ଦ ଦେବଙ୍କୁ ଆଦେଶ ଦେଲେ ଯେ ସେ ଭବିଷ୍ୟତରେ ମୋଗଲବନ୍ଦି ବା ଝାସ ରାଜ୍ୟ ଭିତରେ କୌଣସି ପ୍ରକାର ହୁକୁମ ଜାରି କରି ପାରିବେ ନାହିଁ । ରାଜାଙ୍କୁ ବୟସ ମୋଟେ ୧୮ । ସେ ଅନ୍ୟମାନଙ୍କ କୁମନ୍ତ୍ରଣାରେ ପଡ଼ି ନିଜ ବଳ ନିଜେ ନ କଳି ପ୍ରବଳ ପକ୍ଷ ସହିତ ବିବାଦରେ ମାତିଲେ-

 

ଖୋର୍ଦ୍ଧା ରାଜାଙ୍କ ପିପିଲି ଲୁଣ୍ଠନ

 

ଅକ୍‌ଟୋବରମାସରେ ରାଜାଙ୍କ ତରଫରୁ ସ୍ଥାନେ ସ୍ଥାନେ ସରକାରଙ୍କୁ ହଇରାଣ କରିବା ପାଇଁ ଚେଷ୍ଟା ହେଲା । ରାଜାଙ୍କର ଦଳ ପାଇକ ପୁରୀଜିଲାର ପିପିଲି ନିକଟରେ କେତୋଟି ଗ୍ରାମରେ ପଶି ଲୋକଙ୍କର ଚଳନ୍ତି ସମ୍ପତ୍ତି ଲୁଟି କରି ନେଲେ । ଗାଁମାନଙ୍କରେ ଯେତେ ଗାଈଗୋରୁ ଥିଲେ ସେ ସବୁ ଧରିନେଇ ପଳାଇଲେ । ସରକାରଙ୍କ ପକ୍ଷରୁ ଯେଉଁମାନେ ପ୍ରତିରୋଧ କଲେ ସେମାନଙ୍କୁ ମଧ୍ୟ ଧରିନେଇ ବନ୍ଦୀ କରି ରଖିଲେ ଏବଂ ବନ୍ଦୀଶାଳା ଭିତରେ କେତେଜଣଙ୍କୁ ମାରିଦେଲେ ବୋଲି ସରକାର ଖବର ପାଇଲେ ।

 

ପୂର୍ବରୁ ତ ରାଜା ମୁକୁନ୍ଦ ଦେବ ବେରାର ମରହଟ୍ଟା ରାଜାଙ୍କ ସହିତ ମେଣ୍ଟ ବାନ୍ଧି ଇଂରେଜ ସରକାରଙ୍କୁ ଏ ପ୍ରଦେଶରୁ ନିକାଲି ଦେବା ପାଇଁ ଯୋଗାଡ଼ କରୁଥିବା ସନ୍ଦେହ ସରକାରଙ୍କ ମନରେ ଜାଗ୍ରତ ହୋଇଥିଲା । ପିପିଲି ଘଟଣା ସେମାନଙ୍କର ବିଶେଷ ଆଶଙ୍କା ଜନ୍ମାଇଲା । ବେଳ ଥାଉଁ ଥାଉଁ ରାଜା ମୁକୁନ୍ଦ ଦେବଙ୍କର ଏହି ଅମାନିଆ ମନୋଭାବକୁ ନ ଦବାଇଲେ ଭବିଷ୍ୟତରେ ଲେଡ଼ି ଗୁଡ଼ କହୁଣିକୁ ଯିବା ଅବସ୍ଥା ପହଞ୍ଚିବା ଆଶଙ୍କା ମଧ୍ୟ ସରକାରଙ୍କ ମନରେ ହେଲା । ମୁକୁନ୍ଦ ଦେବଙ୍କ ‘‘ଲୁଣ୍ଠନ’’ର ପ୍ରତିରୋଧ କରିବା ପାଇଁ ସରକାର ତରଫରୁ ସୈନ୍ୟ ପଠାଗଲେ ।

 

ଇଂରେଜଙ୍କ ତରଫରୁ ପ୍ରତିରୋଧ ବ୍ୟବସ୍ଥା

 

ଏକେ ତ ରାସ୍ତାଘାଟର ଅଭାବ, ସେଥିରେ ପୁଣି ବିଲରେ ଫସଲ ଥିବାରୁ ସୈନ୍ୟ ପରିଚାଳନାରେ ବିଶେଷ ଅସୁବିଧା ସରକାରଙ୍କୁ ଭୋଗିବାକୁ ପଡ଼ିଥିଲା । ହଠାତ୍‌ ଏକ ସ୍ଥାନରେ ସୈନ୍ୟସମାବେଶ କରିବା ସହଜ ବ୍ୟାପାର ନ ଥିଲା । ଏହି ଅସୁବିଧା ସତ୍ତ୍ୱେ ଏକ ମାସ ଭିତରେ ସରକାରୀ ହାକିମମାନେ ସୈନ୍ୟ ପଠାଇ ରାଜାଙ୍କ ଆକ୍ରମଣର ପ୍ରତିରୋଧ କରିବା ପାଇଁ ଉଦ୍ୟମ କଲେ । ନଭେମ୍ବର ମାସରେ ସରକାରୀ ସୈନ୍ୟଙ୍କ ତତ୍ପରତା ବୃଦ୍ଧି ପାଇବାରୁ ରାଜାଙ୍କ ପାଇକ ଦଳ ପିପିଲି ତ୍ୟାଗ କରି ଖୋର୍ଦ୍ଧା ଗଡ଼ ଭିତରକୁ ପଳାଇଗଲେ ।

 

ଖୋର୍ଦ୍ଧା ଗଡ଼ ଆକ୍ରମଣ ଉଦ୍ୟମ

 

ସରକାର ଖୋର୍ଦ୍ଧାଗଡ଼କୁ ଆକ୍ରମଣ କରିବା ସ୍ଥିର କରି ଗଞ୍ଜାମରୁ ଦଳେ ସୈନ୍ୟଙ୍କୁ ପଠାଇବା ପାଇଁ ମାନ୍ଦ୍ରାଜ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲା କଲେକ୍‌ଟରଙ୍କୁ କଟକର କମିଶନର ଲେଖିଲେ । ଗଞ୍ଜାମରୁ ଦଳେ ସୈନ୍ୟ ଗୋଳା ବାରୁଦ ଧରି ଦକ୍ଷିଣ ଦିଗରୁ ଖୋର୍ଦ୍ଧାଗଡ଼ ଅଭିମୁଖରେ ଯାତ୍ରା କଲେ । ପୁରୀ ଆଡ଼ୁ ଦଳେ ସୈନ୍ୟ ପୂର୍ବ ଦିଗରୁ ଖୋର୍ଦ୍ଧାଗଡ଼ ଆଡ଼କୁ ଯାତ୍ରା କଲେ । କଟକରୁ ଦଳେ ସୈନ୍ୟ ମହାନଦୀ କୂଳେ କୂଳେ ମସି ଡ଼ମପଡ଼ା, ବାଙ୍ଗୀ ପ୍ରଭୃତି ଅଞ୍ଚଳ ଭିତରେ ପଶି, ବଣଜଙ୍ଗଲ ପାର ହୋଇ ଉତ୍ତର ଆଡ଼ୁ ଖୋର୍ଦ୍ଧାଗଡ଼ ଆକ୍ରମଣ କରିବାକୁ ଯାତ୍ରା କଲେ । କାଳେ ଖୋର୍ଦ୍ଧା ରାଜାଙ୍କ ପ୍ରଭାବ ଯୋଗୁଁ ସ୍ଥାନୀୟ ଲୋକେ ରସଦ ନ ଦେବେ ଏହି ଆଶଙ୍କାରେ କଟକରୁ ସବୁ ସାମଗ୍ରୀ ସଂଗ୍ରହ କରି ଇଂରେଜ ସରକାର ଧରିଥିଲେ । ବାଟରେ ବଣ ଜଙ୍ଗଲ ଯୋଗୁଁ ସରକାରୀ ସୈନ୍ୟ ଦଳକୁ ବହୁ କଷ୍ଟ ଭୋଗ କରିବାକୁ ପଡ଼ିଥିଲା ।

 

ବରୁଣେଇ (ଖୋର୍ଦ୍ଧା) ଗଡ଼

 

ଖୋର୍ଦ୍ଧା ନିକଟରେ ବରୁଣେଇ ପାହାଡ଼ ତଳକୁ ବରୁଣାଇ ଉପତ୍ୟକାର ପୂର୍ବ ମୁଣ୍ଡରେ ରାଜାଙ୍କ ଗଡ଼ । ପାହାଡ଼ ଉପରେ ରାଜାଙ୍କ ରହିବା ଘର ଦକ୍ଷିଣ ଆଡ଼ୁ ରାସ୍ତା ସେତେ ସୁବିଧା ନୁହେଁ-। ଦୁଇଟା ପାହାଡ଼ ଖୋଲ ଭିତରେ ରାସ୍ତାଟି ଯାଇଥିବାରୁ ଆତ୍ମରକ୍ଷା ଦୃଷ୍ଟିରୁ ଏହା ଅତି ସୁବିଧା । ଏ ବାଟେ ଶତ୍ରୁ ଗଡ଼କୁ ଆକ୍ରମଣ କରିବା ସେତେ ସହଜ ନୁହେଁ । ପୂର୍ବ, ପଶ୍ଚିମ ଓ ଉତ୍ତର ପଟରେ ଥିବା ଖୋଲା ମଇଦାନ ମଧ୍ୟ ଗଡ଼ ଉପରୁ ପ୍ରତିରୋଧ କରିବା ନିମନ୍ତେ ଅତି ସୁବିଧାଜନକ-। ପାହାଡ଼ ତଳେ ଟାଣୁଆ ପଥର କାନ୍ଥ ଗଡ଼କୁ ଘେରି ରହିଛି । ପାହାଡ଼ ତଳକୁ ଉତ୍ତର ଦିଗରେ ପ୍ରାୟ ତିନି ମାଇଲ ଲମ୍ବ, ଦୁଇ ମାଇଲ ଓସାରର ବସ୍ତୀର୍ଣ୍ଣ ମଇଦାନ । ସରକାରୀ ସୈନ୍ୟ ଏହି ମଇଦାନ ତଳେ ଘାଟୀ କରି ଗଡ଼ ଆକ୍ରମଣର ବ୍ୟବସ୍ଥା କଲେ । ପ୍ରାୟ ୭୦୦୦ ସୈନିକ ସରକାରୀ ସୈନ୍ୟ ଦଳରେ ଥିଲେ ।

 

ଖୋର୍ଦ୍ଧା ରାଜାଙ୍କ ଅବସ୍ଥା ଓ ମାନ ମର୍ଯ୍ୟାଦା

 

ରାଜା ମୁକୁନ୍ଦ ଦେବ ଗଡ଼ ଭିତରେ ରହି ପ୍ରତିରକ୍ଷାର ବ୍ୟବସ୍ଥା କଲେ । ଯଥେଷ୍ଟ ପରିମାଣରେ ରସଦ ରଖିବାର ବ୍ୟବସ୍ଥା ମଧ୍ୟ ହେଲା । ଖୋର୍ଦ୍ଧା ଅଞ୍ଚଳର ପ୍ରଜାମାନେ ରାଜାଙ୍କୁ ସାହାସ୍ୟ ମଧ୍ୟ କଲେ । ଓଡ଼ିଶାର ସ୍ୱାଧୀନ ହିନ୍ଦୁ ରାଜାଙ୍କ ବଂଶଧର ବୋଲି ଖୋର୍ଦ୍ଧା ରାଜାଙ୍କୁ ଲୋକେ ଭକ୍ତି କରୁଥିଲେ । ୧୫୬୮ ଖ୍ରୀଷ୍ଟାବ୍ଦରୁ ଓଡ଼ିଶାର ସ୍ୱାଧୀନତା ଲୋପ ହୋଇଥିଲା । ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ନରପତି ମୁକୁନ୍ଦ ଦେବ (ଓରଫ ତେଲଙ୍ଗା ମୁକୁନ୍ଦ ଦେବ) ଙ୍କୁ ପରାସ୍ତ କରି ବୈଦେଶିକ ମୁସଲମାନମାନେ ଓଡ଼ିଶାକୁ ଦଖଲ କଲେ । ମୁକୁନ୍ଦ ଦେବଙ୍କ ବଂଶଧରମାନେ ଖୋର୍ଦ୍ଧାରେ ଓଡ଼ିଶା ଶାସକଙ୍କ କରଦ ରାଜ୍ୟର ମାଲିକ ହିସାବରେ ରହିଥିଲେ । ତେଲଙ୍ଗା ମୁକୁନ୍ଦ ଦେବଙ୍କ ପୂର୍ବରୁ ସୂର୍ଯ୍ୟବଂଶ ଓ ସୂର୍ଯ୍ୟବଂଶ ପୂର୍ବରୁ ଗଙ୍ଗବଂଶର ରାଜାମାନଙ୍କର ବଂଶଧରମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ କରଦ ରାଜାରୂପେ ରହିଥିଲେ । କେବଳ ଖୋର୍ଦ୍ଧାରେ ମୁକୁନ୍ଦ ଦେବଙ୍କ ବଂଶଧର ରହିଲେ । ମୋଗଲ ରାଜତ୍ୱରେ ଖୋର୍ଦ୍ଧା ରାଜା ଓଡ଼ିଶାର ଅନ୍ୟାନ୍ୟ ରାଜାମାନଙ୍କ ଭଳି କରଦରାଜ୍ୟ ରୂପରେ ଥିଲେ । ମରହଟ୍ଟା ଅମଳରେ ମଧ୍ୟ ସେହି ରୀତି ଚଳି ଆସୁଥିଲା । କିନ୍ତୁ ଓଡ଼ିଶାର ଅନ୍ୟାନ୍ୟ କରଦରାଜାମାନେ ଖୋର୍ଦ୍ଧା ରାଜାଙ୍କୁ ଓଡ଼ିଶା ରାଜାଙ୍କ ଉତ୍ତରାଧିକାରୀ ରୂପରେ ସମ୍ମାନ କରୁଥିଲେ । ସେହିହେତୁ ଖୋର୍ଦ୍ଧା ରାଜାଙ୍କୁ ଖୋର୍ଦ୍ଧା ନିକଟସ୍ଥ କରଦ ରାଜାମାନେ ସମୟ ସୁବିଧା ଅନୁସାରେ ବହୁପ୍ରକାର ସାହାଯ୍ୟ କରୁଥିଲେ ।

 

ମରହଟ୍ଟାମାନେ ଓଡ଼ିଶାକୁ ଦଖଲ କରିବା ପୂର୍ବରୁ ମୁସଲମାନେ ଶାସନାଧୀନରେ ଓଡ଼ିଶାରେ ବହୁ ଆରବ, ଆଫଗାନ ଓ ଅନ୍ୟାନ୍ୟ ମୁସଲମାନ ସୈନିକ ଚାକିରୀ କରୁଥିଲେ । ଓଡ଼ିଶାର ମୁସଲମାନ ରାଜତ୍ୱ ଲୋପ ପାଇବା ପରେ ଏମାନଙ୍କ ଭିତରୁ ଅନେକ ଲୋକ ଓଡ଼ିଶାର କରଦରାଜାମାନଙ୍କ ଅଧୀନରେ ଚାକିରି କରି ଘରଦ୍ୱାର କରି ରହିଗଲେ । ମରହଟ୍ଟା ଅମଳରେ ମଧ୍ୟ ବେରାର ରାଜା ବହୁ ଆରବ, ଆଫଗାନ ଓ ଅନ୍ୟାନ୍ୟ ମୁସଲମାନ ସୈନିକଙ୍କୁ ନିଜ ସୈନ୍ୟ ବାହିନୀରେ ନେଇଥିଲେ । ସେମାନଙ୍କ ଭିତରୁ ଯେଉଁ ମାନେ ମରହଟ୍ଟାଙ୍କ ଅଧୀନରେ ଓଡ଼ିଶାରେ ଚାକିରି କରୁଥିଲେ ସେମାନଙ୍କ ଭିତରୁ କେତେକ ମରହଟ୍ଟାମାନେ ଓଡ଼ିଶା ଛାଡ଼ି ଚାଲିଯିବା ପରେ କରଦ ରାଜାମାନଙ୍କ ଅଧୀନରେ ରହିଗଲେ । ଖୋର୍ଦ୍ଧା ରାଜା ମଧ୍ୟ ଏହି ଆରବ ଓ ପଠାଣ ସୈନିକଙ୍କ ଭିତରୁ ବଛା ବଛା କେତେ ଜଣଙ୍କୁ ନିଜ ସୈନ୍ୟବାହିନୀରେ ରଖିଥିଲେ । ଖୋର୍ଦ୍ଧା ରାଜାଙ୍କ ଦେଶୀୟ ପାଇକ ସୈନ୍ୟବାହିନୀରେ ପ୍ରାୟ ୨୦ ହଜାର ଲୋକ ଥିଲେ । ସବୁ ସମୟରେ ସୈନ୍ୟବାହିନୀରେ ଦରମା ଦେଇ ଏତେ ଲୋକଙ୍କୁ ରଖାଯାଇ ପାରୁ ନ ଥିଲେ । ଏ ଭିତରୁ ବହୁ ଲୋକ ଜମିରେ ଚାଷ କରି ପେଟ ପୋଷୁଥିଲେ । ରାଜାଙ୍କ ଅଧୀନରେ କେତେଜଣ ଜାଗିରଦାର ଜାଗିର ଭୋଗ କରି ଆବଶ୍ୟକ ଅନୁସାରେ ସୈନ୍ୟ (ବା ପାଇକ) ଯୋଗାଉଥିଲେ । ଏହିପରି ବହୁ ଜାଗିରଦାର ଖୋର୍ଦ୍ଧା ଅଞ୍ଚଳରେ ଥିଲେ । ସେମାନେ ଖୋର୍ଦ୍ଧା ରାଜାଙ୍କ ହୁକୁମ ଅନୁସାରେ ନିଜ ଭାଗ (ବା ମାଗଣ) ଅନୁସାରେ ପାଇକ ସୈନ୍ୟ ରାଜାଙ୍କ ଠାକୁ ପଠାଇ ଦେଇଥିଲେ । ଏହି ଜାଗିରଦାରଙ୍କ ଉପରେ ନିର୍ଭର କରି ଦରକାର ପଡ଼ିଲେ ପ୍ରାୟ କୋଡ଼ିଏ ହଜାର ପାଇକ ସଂଗ୍ରହ ହୋଇ ପାରିବା ଆଶା ରାଜାଙ୍କର ଥିଲା । ଏହା ଉପରେ ନିର୍ଭର କରି ସେ ଇଂରେଜଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ । କିନ୍ତୁ ସଂଗଠିତ ସୈନ୍ୟବାହିନୀ ହିସାବରେ ରାଜାଙ୍କ ପାଇକ ଦଳକୁ ଗ୍ରହଣ କରିବାର କିଛି କାରଣ ନ ଥିଲା । ପାଇକମାନେ ସାହସୀ ଓ ପରିଶ୍ରମୀ ଥିଲେ । ଦେଶ ପାଇଁ ପ୍ରାଣବଳି ଦେବାକୁ କୁଣ୍ଠାବୋଧ କରୁ ନ ଥିଲେ । କିନ୍ତୁ ପ୍ରକୃତ ସଂଗଠନ ଅଭାବରୁ ସେମାନେ ବେତନଭୋଗୀ ସ୍ଥାୟୀ ସୈନ୍ୟବାହିନୀର ସୈନିକ ଭଳି କାର୍ଯ୍ୟ କରି ପାରୁ ନ ଥିଲେ । ପୁଣି ସେ ସମୟରେ ‘‘ଆଧୁନିକ’’ ଧରଣର ଗୋଳା ବାରୁଦ, ବନ୍ଧୁକ, କମାଣ ଯୁଦ୍ଧରେ ଏହି ପାଇକ ସୈନ୍ୟଙ୍କର ଶିକ୍ଷା ଅତି କମ ଥିଲା ।

 

ଏହି କାରଣରୁ ଖୋର୍ଦ୍ଧା ରାଜା ମୁକୁନ୍ଦ ଦେବଙ୍କ ଅଧୀନରେ କୋଡ଼ିଏ ହଜାର ପାଇକ ସେହି ସମୟରେ ସମବେତ ହୋଇ ପାରିବା ସମ୍ଭାବନା ଥିଲେ ମଧ୍ୟ ଇଂରେଜମାନେ ସାତ ହଜାର ସୈନ୍ୟ ଧରି ତାଙ୍କୁ ଆକ୍ରମଣ କରିବା ପାଇଁ ସାହାସୀ ହୋଇଥିଲେ ।

 

ଗଡ଼ ଅବରୋଧ

 

ବରୁଣେଇ ପାହାଡ଼ର ତଳକୁ ଉତ୍ତର ପଟରେ ମୁକୁନ୍ଦପ୍ରାସାଦ ଗ୍ରାମର ଆମ୍ବତୋଟା ଭିତରେ ଇଂରେଜ ସୈନ୍ୟବାହିନୀ ଛାଉଣି ପକାଇଲେ । ରାଜା ତାଙ୍କର ପରିବାରଙ୍କୁ ଧରି ଦକ୍ଷିଣ ଦିଗର ରାସ୍ତା ନିକଟରେ ପାହାଡ଼ ଉପରେ ନଅରରେ ରହିଲେ । ରାଜାଙ୍କ ପାଇକ ସେନା ଗଡ଼ ଭିତରେ ଚାରିଆଡ଼େ ଜଗି ରହିଲେ । ରାଜାଙ୍କ ନଅର ଆଗରେ କେତୋଟି ଆଗୁଳ ପଥରକାନ୍ଥ ମଧ୍ୟ ଥିଲା । ତା ତଳକୁ ପଥରର ଗଡ଼ କାନ୍ଥ ମଧ୍ୟ ଥିଲା । ପାଇକମାନେ ପ୍ରତ୍ୟେକ କାନ୍ଥକୁ ଘାଟୀ କରି ଦଳ ଦଳ ହୋଇ ଜମି ରହିଲେ ।

 

ଇଂରେଜମାନେ ପ୍ରଥମେ ଉତ୍ତରଆଡ଼ୁ ଆକ୍ରମଣ କଲେ । କିନ୍ତୁ ଗଡ଼ କାନ୍ଥକୁ ଅତିକ୍ରମ କରିବା ସମ୍ଭବ ହେଲା ନାହିଁ । କିଛିଦିନ ଦୁର୍ଗ ଅବରୋଧ ଚାଲିବାରୁ ଗଡ଼ ଭିତରେ ଖାଦ୍ୟ ଅଭାବ ହେଲା । ବାଧ୍ୟ ହୋଇ ରାତିରେ ବହୁ ପାଇକ ଗଡ଼ ଭିତରୁ ଚୋରା ବାଟରେ ବାହାରି ଆସି ରାଜ୍ୟ ଭିତରେ ପଶିଲେ । ରସଦ ସଂଗ୍ରହ କରି ଗଡ଼ରକ୍ଷାକାରୀଙ୍କୁ ସାହାଯ୍ୟଦେବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଲା । କିନ୍ତୁ ଇଂରେଜ ସୈନ୍ୟମାନଙ୍କୁ ବାହାର ପଟରୁ ଆକ୍ରମଣ କରିବା ଭଳି ସଂଗଠନ କିମ୍ବା ଶକ୍ତି ସେମାନଙ୍କର ଥିଲା ଭଳି ଅନୁମାନ ହୁଏ ନାହିଁ । ଯଦି ପାଇକମାନେ ମୁକୁନ୍ଦପ୍ରସାଦ ଗ୍ରାମ ପଟରୁ ଇଂରେଜ ସୈନ୍ୟଙ୍କୁ ଆକ୍ରମଣ କରି ଥାଆନ୍ତେ ତାହାହେଲେ ଇଂରେଜ ସୈନ୍ୟ ନିଶ୍ଚୟ ବ୍ୟତିବ୍ୟସ୍ତ ହୋଇ ପଡ଼ିଥାନ୍ତେ ଏବଂ ହୁଏତ ପରାସ୍ତ ହୋଇ ଯାଇଥାଆନ୍ତେ । ଏହିଠାରେ ଇଂରେଜମାନେ ପରାସ୍ତ ହୋଇଥିଲେ ଓଡ଼ିଶାରେ ସେମାନଙ୍କର ଅବସ୍ଥା ଯେ ଅତି ସଙ୍କଟାପନ୍ନ ହୋଇଥାଆନ୍ତା ଏଥିରେ ସନ୍ଦେହ ନାହିଁ ।

 

ଇଂରେଜ ସୈନ୍ୟବାହିନୀ ଗଡ଼କୁ ଅବରୋଧ କରି ପ୍ରାୟ ତିନିସପ୍ତାହ କାଳ ଗଡ଼ ଆଗରେ ଜଗି ରହିଲେ । ରସଦ ସଂଗ୍ରହ ଦିଗରେ ସେମାନଙ୍କର ବ୍ୟବସ୍ଥା ଖୁବ କଡ଼ା ଥିଲା । ଯଦି କେହି ବଜାର ମୂଲ୍ୟରେ ଖାଦ୍ୟସାମଗ୍ରୀ ଦେବାକୁ ଅମଙ୍ଗ ହେଲା ତାହା ହେଲେ ବଳପ୍ରୟୋଗ କରି ଖାଦ୍ୟ ସଂଗ୍ରହ କରିବା ପାଇଁ ସରକାର ଆଦେଶ ଦେଲେ । ବରୁଣେଇ ପାହାଡ଼ ତଳେ ମୁକୁନ୍ଦପ୍ରସାଦ ଗ୍ରାମ ପଡ଼ିଆରେ ସାତହଜାର ବନ୍ଧୁକଧାରୀ ସୈନ୍ୟଙ୍କୁ ଦେଖି ପ୍ରଜାଙ୍କ ମନର ଯେ ଭୀଷଣ ଭୟସଞ୍ଚାର ହୋଇଥିବ ଏଥିରେ କୌଣସି ସନ୍ଦେହ ନାହିଁ । ସେହି କାରଣରୁ ସରକାରଙ୍କ ପକ୍ଷରୁ ରସଦ ସଂଗ୍ରହ କରିବା ସହଜ ହେବା ସଙ୍ଗେ ସଙ୍ଗେ ରାଜାଙ୍କ ପକ୍ଷରେ କଷ୍ଟକର ହେଲା ।

 

କିଛିଦିନ ଗଡ଼ ଭିତରେ ଯଥେଷ୍ଟ ଖାଦ୍ୟ ନ ରହିବାରୁ କ୍ରମେ ରାତିରେ ପାଇକମାନେ ଦଳ ଦଳ ହୋଇ ବାହାରକୁ ଚାଲି ଆସିଲେ । ଶେଷ ବେଳକୁ ମୋଟେ ହଜାରେ ପାଇକ କେବଳ ଗଡ଼ ଭିତରେ ରହିଥିଲେ ।

 

ଗଡ଼ ଅଧିକାର, ରାଜାଙ୍କ ପଳାୟନ

 

ତିନିସପ୍ତାହ ଗଡ଼ ଅବରୋଧ ଚାଲିବା ପରେ ଇଂରେଜ ସୈନ୍ୟ ଗଡ଼କାନ୍ଥକୁ ଭାଙ୍ଗିବା ଉଦ୍ୟମ କଲେ । ଗଡ଼ ଭିତରେ ପ୍ରତିରକ୍ଷାର ଯେଉଁ ପ୍ରଣାଳୀ ଅବଲମ୍ବନ କରାଯାଉଥିଲା ଏବଂ ସେଥିର କୌଶଳ ଇଂରେଜମାନଙ୍କୁ ଅବଗତ ନ ଥିବାରୁ ସେମାନେ ହଠାତ୍‌ ବଡ଼ ଧରଣର ଆକ୍ରମଣ ପ୍ରଥମ ଅବସ୍ଥାରେ କରି ନ ଥିଲେ । କମାଣ ସାହାଯ୍ୟରେ ଗଡ଼ପାଚେରୀକୁ ଭାଙ୍ଗିବାକୁ ଆକ୍ରମଣକାରୀମାନେ ଉଦ୍ୟମ କଲେ । କାଁ ଭାଁ ଏଆଡ଼ୁ ସେଆଡ଼ୁ ଗୁଳି ଚଳେଇଲେ । ଶେଷକୁ ଗଡ଼ଦ୍ୱାର ପାଖର କାନ୍ଥ ଭୁଷୁଡ଼ି ପଡ଼ିଲା । ଏପଟରୁ ରାଜାଙ୍କ ନଅର ପରିଷ୍କାର ଦେଖାଯାଉଥିଲା । ଆଉ ଦଳେ ସୈନ୍ୟ ଅନ୍ୟ ଦିଗରୁ ଗଡ଼ କାନ୍ଥ ଆକ୍ରମଣ କରି କାନ୍ଥ ଡ଼େଇଁ ଗଡ଼ ଭିତରେ ପଶିଲେ ଏବଂ ଗଡ଼ ଦ୍ୱାର ଆଡ଼କୁ ଅଗ୍ରସର ହେଲେ । ଦ୍ୱାର ନିକଟରେ କାନ୍ଥ ଗୋଳା ମାଡ଼ରେ ଭୁଷୁଡ଼ି ପଡ଼ିଥିବାରୁ ବାହାରୁ ମଧ୍ୟ ଆକ୍ରମଣକାରୀମାନେ ଗଡ଼ ଭିତରେ ପଶିଲେ । ସେମାନେ ନଅରଆଡ଼କୁ ଅଗ୍ରସର ହେଲେ ଏବଂ ରାଜାଙ୍କୁ ଧରିବା ଉଦ୍ଦେଶ୍ୟରେ ନଅରକୁ ଘେରାଉ କଲେ । କିନ୍ତୁ ସେତେବେଳକୁ ରାଜା ଓ ତାଙ୍କର ପରିବାରବର୍ଗ ଗଡ଼ରୁ ଖସି ପଳାଇ ଯାଇଥିଲେ । ଖାଲି ନଅରକୁ ଇଂରେଜମାନେ ଦଖଲ କରି ବହୁ ପାଇକଙ୍କୁ ବନ୍ଦୀ କଲେ ।

 

ଖୋର୍ଦ୍ଧାରାଜା ମୁକୁନ୍ଦ ଦେବ ବରୁଣାଇ ଦୁର୍ଗରୁ ଖସି ପଳାଇଗଲାବେଳେ ତାଙ୍କ ସହିତ କେତେ ଜଣ ମୁଖିଆ ଲୋକ ମଧ୍ୟ ଥିଲେ । ସେମାନଙ୍କ ପଛରେ ଇଂରେଜସୈନ୍ୟ ଗୋଡ଼ାଇବା ବ୍ୟବସ୍ଥା ହାକିମମାନେ କରିପାରିଲେ ନାହିଁ । ତନି ସପ୍ତାହ ଦୁର୍ଗ ଅବରୋଧ କରି ପଡ଼ିଆରେ ମେଲାରେ ଶୀତ କାକର ଖାଇ ସୈନିକମାନେ ବେମାର ହୋଇ ଯାଇଥିଲେ । ଯେଉଁମାନେ ଟିକିଏ ବା ଭଲ ଥିଲେ, ସେମାନେ ବିଶେଷ ପରିଶ୍ରମ ଯୋଗୁଁ ହାଲିଆ ହୋଇ ପଡ଼ିଥିବାରୁ ରାଜାଙ୍କ ପଛରେ ଗୋଡ଼ାଇ ପାରିଲେ ନାହିଁ ।

 

ରାଜା ଗଡ଼ରୁ ପଳାଇଯାଇ ବେଶି ଦିନ ଲୁଚି ରହି ପାରିଲେ ନାହିଁ । ଦେଶକାଳପାତ୍ର ବିବେଚନା କରି ସରକାରଙ୍କ ହାତରେ ଆତ୍ମସମର୍ପଣ କରିବା ହିଁ ଠିକ୍‌ ମନେକଲେ । ଇଂରେଜମାନଙ୍କ ବିରୁଦ୍ଧରେ ପ୍ରକାଶ୍ୟ ଭାବରେ ଲଢ଼େଇ କରିବା ପାଇଁ ଖୋର୍ଦ୍ଧା ଆଖପାଖର ରାଜା ଜମିଦାରମାନେ ମୋଟେ ପ୍ରସ୍ତୁତ ନ ଥିଲେ । ‘‘ଯୋର ଯାର ମୂଲକ ତାର’’ ନୀତିକୁ ସେ ସମୟର କେତେ ଜଣ ରାଜା ବରାବର କାର୍ଯ୍ୟକାରୀ କରିଥିଲେ । ଖୋର୍ଦ୍ଧାରାଜା ମଧ୍ୟ ସେ ପନ୍ଥାର ଅବଲମ୍ବୀ ଥିଲେ; କିନ୍ତୁ ତାଙ୍କ ପ୍ରତିପତ୍ତି ଓ ପୂର୍ବଗୌରବ ତାଙ୍କର ଶତ୍ରୁ ହେଲା । ଏହି ପ୍ରତିପତ୍ତି ଓ ଗୌରବକୁ ଇଂରେଜମାନେ ଭଲ ଦୃଷ୍ଟିରେ ଦେଖି ପାରୁ ନ ଥିଲେ । ଓଡ଼ିଶାରେ ଇଂରେଜରାଜତ୍ୱର ସୁପ୍ରତିଷ୍ଠା ପଥରେ ଖୋର୍ଦ୍ଧାରାଜାଙ୍କ ପ୍ରତିପତ୍ତି ଓ ଗୌରବ ଏକ ପ୍ରଧାନ ଅନ୍ତରାୟ ବୋଲି ଇଂରେଜମାନେ ଭାବୁଥିଲେ ।

 

ରାଜାଙ୍କ ଆତ୍ମସମର୍ପଣ ବିଚାର

 

ମୁକୁନ୍ଦ ଦେବ ଦେଖିଲେ ଯେ ତାଙ୍କର ଦୋଷ ଥାଉ କି ନ ଥାଉ, ଇଂରେଜମାନେ ତାଙ୍କୁ ଯେ କୌଣସି ପ୍ରକାରେ ଧ୍ୱଂସ କରିବାକୁ ବଦ୍ଧପରିକର । ପିପିଲି ଲୁଣ୍ଠନରେ ସେ ଲିପ୍ତ ଥିବାର ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ ମଧ୍ୟ ଇଂରେଜ ସରକାର ସେଥିରେ ତାଙ୍କର ହାତ ଥିବାର ଅନୁମାନ କରିନେଲେ । ଖୋର୍ଦ୍ଧା ରାଜାଙ୍କ ବିନା ପ୍ରରୋଚନାରେ ଏ କାଣ୍ଡ ଘଟିବା ସମ୍ଭବପର ନୁହେଁ ବୋଲି ହାକିମମାନଙ୍କର ଧାରଣା ହୋଇଯାଇଥିଲା । ରାଜା ନିଜେ ଧନବ୍ୟୟ କରି ଦରମାଖିଆ ପାଇକ ସୈନ୍ୟଙ୍କୁ ରଖିବା ମଧ୍ୟ ସମ୍ଭବ ନ ଥିଲା । ପୁଣି ସେ ଯୁଗର ‘‘ଆଧୁନିକ’’ ଅସ୍ତ୍ରଶସ୍ତ୍ର ଯଥା କମାଣ, ବନ୍ଧୁକ, ଗୋଳାବାରୁଦ ଓ ସୈନ୍ୟ ପରିଚାଳନା ପ୍ରଭୃତି କ୍ଷେତ୍ରରେ ସେ କିମ୍ବା ତାଙ୍କର ପରାମର୍ଶଦାତାମାନେ ସେତେ ଅଭିଜ୍ଞ ନ ଥିଲେ । ଇଂରେଜମାନେ ଭାରତବର୍ଷର ବହୁ ଅଞ୍ଚଳରୁ ସୈନ୍ୟ ଓ ସାମଗ୍ରୀ ଆଣି ଓଡ଼ିଶାରେ ଭର୍ତ୍ତି କରିପାରିବାର ସମ୍ଭାବନା ଥିଲା । ପଶ୍ଚିମରେ ମରହଟ୍ଟାମାନେ ଇଂରେଜମାନଙ୍କ ସହିତ ଆଉ ଯୁଦ୍ଧବିଗ୍ରହରେ ଲିପ୍ତ ହେବାକୁ ଯଥେଷ୍ଟ ଶକ୍ତି ରଖି ନ ଥିଲେ । ସେହି ହେତୁ ଦରକାର ପଡ଼ିଲେ ମରହଟ୍ଟାମାନଙ୍କ ସାହାଯ୍ୟ ପାଇବା ମଧ୍ୟ ଖୋର୍ଦ୍ଧାରାଜାଙ୍କ ପକ୍ଷରେ ସମ୍ଭବ ନ ଥିଲା । ବିଶେଷତଃ ମରହଟ୍ଟାସୈନ୍ୟଙ୍କୁ ସବୁବେଳେ ଧନ ଦେଇ ସନ୍ତୁଷ୍ଟ ରଖିବା ମଧ୍ୟ ସହଜ ବ୍ୟାପାର ନ ଥିଲା । ସେମାନଙ୍କର ଲୁଟ ତରାଜ ଅଭ୍ୟାସ ଯୋଗୁଁ ଦେଶର ଲୋକେ ସେମାନଙ୍କୁ ସେତେ ସୁଖ ପାଉ ନଥିଲେ । ଏହିସବୁ ଦୃଷ୍ଟିରୁ ଆତ୍ମସମର୍ପଣ କରିବା ଶ୍ରେୟସ୍କର ବୋଲି ମୁକୁନ୍ଦଦେବ ଭାବିଲେ ।

 

ରାଜାଙ୍କୁ ଧରିବା ପାଇଁ ଘୋଷଣା

 

ରାଜାଙ୍କୁ ଧରିବା ପାଇଁ ଇଂରେଜ ସରକାର ବହୁ ରକମର ଫନ୍ଦିଫିକର କଲେ । ରାଜାଙ୍କ ସାଙ୍ଗସୁଖଙ୍କ ଭିତରୁ କେତେ ଜଣଙ୍କ ଜରିଆରେ ରାଜାଙ୍କ ନିକଟକୁ ଖବର ଦେଲେ ଯେ, ସେ ଆତ୍ମସମର୍ପଣ କଲେ ତାଙ୍କ ପ୍ରତି ସଦୟ ବିଚାର କରାଯିବ । ରାଜା ଏଥିରେ ରାଜି ହେବାରେ ଅଯଥା ବିଳମ୍ବ ହେବାରୁ ସରକାର ତାଙ୍କୁ ଧରିନେବା ପାଇଁ ପ୍ରକାଶ୍ୟ ଘୋଷଣା କଲେ ।

 

ରାଜାଙ୍କ ଆତ୍ମସମର୍ପଣ

 

ଏହି ଘୋଷଣା ପରେ ମୁକୁନ୍ଦ ଦେବ ବିଚଳିତ ହୋଇପଡ଼ିଲେ । ସେ ଆତ୍ମସମର୍ପଣ କରିବେ ବୋଲି ସରକାରଙ୍କୁ ଜଣାଇଲେ । ସରକାର ଜଣେ ସୁଦକ୍ଷ ଅଫିସରଙ୍କୁ ନିର୍ଜ୍ଜନ ଜଙ୍ଗଲସ୍ଥ ଆଶ୍ରୟସ୍ଥଳକୁ ପଠାଇଲେ । ଏହି ଅଫିସରଙ୍କ ହାତରେ ରାଜା ନିଜକୁ ଆତ୍ମସମର୍ପଣ କଲେ । ଯେତେବେଳେ ରାଜା ଆଶ୍ରୟସ୍ଥଳରୁ ହାକିମଙ୍କ ତମ୍ବୁକୁ ଯାଉଥିଲେ, ସେତେବେଳେ ବହୁ ଲୋକ ତାଙ୍କୁ ଦେଖିବାପାଇଁ ରୁଣ୍ଡ ହୋଇଥିଲେ ଏବଂ କେତେକ ତାଙ୍କ ଆଗରେ ଲମ୍ବ ହୋଇ ତଳେ ଶୋଇ ପ୍ରଣାମ କରିଥିଲେ । ହାକିମ ଏହି ଦୃଶ୍ୟ ଦେଖି ରାଜାଙ୍କ ପ୍ରତି ଏ ଅଞ୍ଚଳର ଲୋକଙ୍କ ପ୍ରଗାଢ଼ ଅନୁରକ୍ତି ଥିବା ବୁଝି ପାରିଥିଲେ ।

 

ପ୍ରଜାଙ୍କର ଏହି ଅନୁରକ୍ତି ହିଁ ରାଜାଙ୍କର ଶତ୍ରୁ ହେଲା । ସେ ଇଂରେଜଙ୍କ ବିରୁଦ୍ଧରେ ଅସ୍ତ୍ର ଧରିବା ପାଇଁ ସମର୍ଥ ନ ଥିଲେ ମଧ୍ୟ ଖୋର୍ଦ୍ଧାର ଯାବତୀୟ ଗଣ୍ଡଗୋଳ ପାଇଁ ‘‘ଯତ ଦୋଷ ନନ୍ଦ ଘୋଷ’’ ‘‘ମାର ମାର ହରିଆକୁ ମାର’’ ନ୍ୟାୟରେ ମୁକୁନ୍ଦଦେବଙ୍କୁ ସରକାର କେତେକ ଅଂଶରେ ଦାୟୀ କରୁଥିଲେ ।

 

ମୁକୁନ୍ଦ ଦେବ ଅଟକବନ୍ଦୀ ହେଲେ

 

ରାଜାଙ୍କ ଆତ୍ମସମର୍ପଣ ପରେ ତାଙ୍କୁ କଟକର ବାରବାଟୀ ଦୁର୍ଗରେ ରାଜବନ୍ଦୀ ରୂପେ ଅଟକ କରି ରଖାଗଲା । ସେଠାରୁ ମଧ୍ୟ ତାଙ୍କୁ ମେଦିନୀପୁରକୁ ନେଇଯାଇ ସେଠାରେ ଅଟକବନ୍ଦୀ ରୂପେ ରଖିଲେ ।

 

ଖୋର୍ଦ୍ଧାଦୁର୍ଗ ଧ୍ୱଂସ ପରେ ଇଂରେଜମାନଙ୍କ ଅବସ୍ଥା ଭଲ ହୋଇଗଲା । ଓଡ଼ିଶାରେ ଅଶାନ୍ତି ଲୋପ ପାଇଯାଇଥିଲା କହିଲେ ଚଳେ ।

 

ଖ୍ରୀ ୧୮୦୫ରେ କଟକ ସରକାର ଟେର ପାଇଲେ ଯେ ବେରାର ମରହଟ୍ଟାରାଜାଙ୍କ ଭାଇ ନାନା ସାହେବଙ୍କ ନେତୃତ୍ୱରେ ଦଳେ ସୈନ୍ୟ ପଶ୍ଚିମରୁ ଆସି ଓଡ଼ିଶା ଆକ୍ରମଣ କରିବେ । ସରକାରୀ ହାକିମମାନେ ଏହାର ପ୍ରତିରୋଧ କରିବା ପାଇଁ ପ୍ରସ୍ତୁତ ହେଲେ । ଚାରିଆଡ଼େ ଗୁପ୍ତଚରଙ୍କୁ ପଠାଇ ଖବର ଆଣିବାର ବ୍ୟବସ୍ଥା କଲେ । କିନ୍ତୁ ପରେ ଜଣାଗଲା ଯେ ଆକ୍ରମଣ ଆଶଙ୍କା କରିବାପାଇଁ କିଛି କାରଣ ନାହିଁ ।

 

୧୮୦୬ରେ ଫରାସୀମାନେ ବାଲେଶ୍ୱର ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଗୁଜବ ରାଷ୍ଟ୍ର ହେଲା । କିନ୍ତୁ ପରେ ଅନୁସନ୍ଧାନରୁ ଜଣାଗଲା ଯେ ଏଥିରେ କିଛି ସତ୍ୟତା ନାହିଁ ।

 

ବାହାରରୁ କେହି ଓଡ଼ିଶା ଆକ୍ରମଣ କଲେ ମୁକୁନ୍ଦଦେବଙ୍କୁ ସଖିକୁଣ୍ଢାଇ କରି ରଖି ଓଡ଼ିଶାରେ ସୁବିଧା କରିନେବେ ଏହି ଆଶଙ୍କା ଇଂରେଜ ସରକାରଙ୍କ ମନରେ ସବୁବେଳେ ଥିଲା । ସେହି ସକାଶେ ତାଙ୍କୁ କଟକରେ ନ ରଖି ମେଦିନୀପୁରକୁ ପଠାଇ ଦିଆଗଲା ।

 

ଖୋର୍ଦ୍ଧାରାଜା ମୁକୁନ୍ଦଦେବଙ୍କୁ ଇଂରେଜମାନେ ୧୮୦୪ରେ ରାଜଗାଦୀରୁ ତଡ଼ିବା ପୂର୍ବରୁ ତାଙ୍କୁ କଳେ ବଳେ କୌଶଳେ ନିଜ ହାତରେ ରଖିବା ପାଇଁ ଚେଷ୍ଟା କରିଥିଲେ । ମୁକୁନ୍ଦଦେବଙ୍କୁ ସେତେବେଳେ ମୋଟେ ୧୭-୧୮ ବର୍ଷ ବୟସ । ରାଜନୀତି କ୍ଷେତ୍ରରେ ଯେଉଁ ପରିପକ୍ୱ ଜ୍ଞାନ ଆବଶ୍ୟକ, ତାହା ତାଙ୍କର ହୋଇ ନ ଥିଲା । ତାଙ୍କର ପୁରୋହିତ ସାମନ୍ତ ଜୟକୃଷ୍ଣ ରାଜଗୁରୁ ମହାପାତ୍ର, ଡ଼ାକନାମ ଜୟୀ ରାଜଗୁରୁ ପ୍ରଧାନ ପରାମର୍ଶଦାତା ରୂପେ ଥିଲେ । ଇଂରେଜ ଶାସକମାନେ ଏହି ବିଷୟ ଭଲ ଭାବରେ ଅବଗତ ଥିଲେ ଏବଂ ଏଥିଯୋଗୁଁ ରାଜଗୁରୁଙ୍କୁ ମଧ୍ୟ ହାତ କରିବାକୁ ଚେଷ୍ଟା କରିଥିଲେ ।

 

ଇଂରେଜମାନେ ୧୮୦୩ ଅକ୍‌ଟୋବର ୧୪ ତାରିଖରେ ବାରବାଟୀ ଦୁର୍ଗ ଅଧିକାର କରିସାରିବା ପରେ ଦେଶରେ କିପରି ସେମାନଙ୍କର ଦୃଢ଼ ଶାସନ ପ୍ରଚଳିତ ହେବ, ସେଥିପାଇଁ ଉଦ୍ୟମ କରିଥିଲେ । ଖୋର୍ଦ୍ଧାରାଜାଙ୍କୁ ଇଂରେଜମାନେ ବେଶି ଭୟ କରୁଥିବାରୁ ଖୋର୍ଦ୍ଧା ଅଞ୍ଚଳ ପ୍ରତି ସେମାନଙ୍କର ଦୃଷ୍ଟି ଅତି ଶୀଘ୍ର ପଡ଼ିଥିଲା ।

 

ଖୋର୍ଦ୍ଧାରାଜାଙ୍କ ଉପରେ ଆଦେଶ ଜାରି

 

ବାରବାଟୀ ଦଖଲ ପରେ ମେଜର ଫ୍ଳୋରଙ୍କ ନେତୃତ୍ୱରେ ଯେଉଁ ସୈନ୍ୟଦଳ ବଡ଼ମୂଳ ଘାଟି ଆଡ଼କୁ ଅଗ୍ରସର ହେଉଥିଲେ ସେମାନଙ୍କୁ ରସଦ ଯୋଗାଇ ଅନ୍ୟାନ୍ୟ ସବୁପ୍ରକାର ସାହାଯ୍ୟ କରିବା ପାଇଁ ମୁକୁନ୍ଦଦେବଙ୍କୁ ଇଂରେଜ ଶାସକମାନେ ଅକ୍‌ଟୋବର ମାସ ୨୩ ତାରିଖରେ ଲେଖିଲେ । ଏହା ପୂର୍ବରୁ ଅବଶ୍ୟ ମୁକୁନ୍ଦଦେବ ଓ ଇଂରେଜମାନଙ୍କ ଭିତରେ ମିତ୍ରତା ଚୁକ୍ତି ସ୍ୱାକ୍ଷରିତ ହୋଇ ସାରିଥିଲା ଏବଂ ଇଂରେଜମାନଙ୍କର ଅଧୀନତା ମୁକୁନ୍ଦଦେବ ସ୍ୱୀକାର କରି ଯାଇଥିଲେ ।

 

ରାଜାଙ୍କ ପାଉଣା ଅଟକ

 

ଟ ୯୦,୦୦୦ (ନବେହଜାର) ଟଙ୍କା ଇଂରେଜମାନେ ମୁକୁନ୍ଦଦେବଙ୍କୁ ରାହାଙ୍ଗ, ଚବିଶକୁଦ, ସିରେଇ, ଲିମ୍ବେଇର ରାଜସ୍ୱ ବାବତ୍‌ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ନଭେମ୍ବର ମାସ (୧୮୦୩) ୨୩ ତାରିଖରେ ବେବର୍ତ୍ତା ପଟ୍ଟନାୟକଙ୍କ ହାତରେ କର୍ଣ୍ଣେଲ ହାର୍‌ କୋର୍ଟ ଓ ଜନ୍‌ ମେଲବିଲ୍‌ (କଟକ କମିସନର ଦ୍ୱୟ) ମୁକୁନ୍ଦଦେବଙ୍କ ନିକଟକୁ ଟ ୪୦,୦୦୦ ପଠାଇ ଦେଲେ ଏବଂ ବଳକା ଟ ୫୦,୦୦୦ ନିକଟରେ ପଠାଇ ଦେବେ ବୋଲି ଜଣାଇ ଦେଲେ । କିନ୍ତୁ ରାଜା ଏ ଭିତରେ ଅକ୍‌ଟୋବର ମାସରେ ଖାସ ପରଗଣା ଭିତରୁ ତିନିଖଣ୍ଡି ମୌଜାରୁ ନିଜେ ଖଜଣା ଆଦାୟ କରିବା ଉଦ୍ୟମ କରିଥିବାରୁ କମିଶନରମାନେ ଏହାକୁ ମୈତ୍ରୀଭାବରେ ବିରୋଧ ବୋଲି ରାଜାଙ୍କୁ ଜଣାଇଲେ । ରାଜା ସତ୍‌ପଥରେ ଚଳି ପୁନର୍ବାର ନୂତନ ଚୁକ୍ତି ସ୍ୱାକ୍ଷର କଲେ ଯାଇ ସେମାନେ ବଳକା ଟ ୫୦,୦୦୦ ଦେବେ ବୋଲି ମଧ୍ୟ ପରିଷ୍କାର ଶୁଣାଇଦେଲେ ।

 

ନୂତନ ଚୁକ୍ତି ସମ୍ପାଦନ ଉଦ୍ୟମ

 

ନଭେମ୍ବର ମାସ [୧୮୦୩] ୨୯. ତାରିଖରେ କମିଶନରମାନେ ମୁକୁନ୍ଦଦେବଙ୍କୁ ଜଣାଇଲେ ଯେ ତାଙ୍କ ଅଧୀନରେ ଯେତେ ବର୍ଗୀ [ମରହଟ୍ଟା ସୈନ୍ୟ] ଅଛନ୍ତି, ସେମାନଙ୍କୁ ଉପଯୁକ୍ତ ବରକନ୍ଦାଜ ପହରା ସହ ପଠାଇ ଦିଅ । ରାଜା ଏଥିରେ କର୍ଣ୍ଣପାତ ନ କରିବାରୁ ଇଂରେଜ ଶାସକମାନଙ୍କ ରାଗ ବେଶୀ ବୃଦ୍ଧି ପାଇଲା । ରାଜାଙ୍କ ସହିତ ନୂତନ ଚୂକ୍ତି ସମ୍ପାଦନ କରିବା ପାଇଁ କମିଶନରମାନେ ବ୍ୟଗ୍ର ହେଲେ ।

 

ଜୟୀ ରାଜଗୁରୁଙ୍କ ‘କୁପରାମର୍ଶ’

 

ସେତେବେଳେ ଗୋବିନ୍ଦ ରାୟ ମହାଶୟ ନାମକ ଜଣେ ଭଦ୍ରବ୍ୟକ୍ତି ଇଂରେଜମାନଙ୍କ ଅଧୀନରେ କଟକ ଅଫିସରେ କାମ କରୁଥାନ୍ତି । ତାଙ୍କ ହାତରେ ଚୁକ୍ତିପତ୍ରର ଖସଡ଼ା ମୁକୁନ୍ଦ ଦେବଙ୍କ ନିକଟକୁ କମିଶନରମାନେ ୧୮୦୩ ଡିସେମ୍ବର ମାସ ଶେଷ ଆଡ଼କୁ ପଠାଇଥିଲେ। କୁଆଡ଼େ ରାଜା ସେ ଚୁକ୍ତିରେ ସ୍ୱାକ୍ଷର କରିବା ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ । ଖୋର୍ଦ୍ଧାରେ ରାଜାଙ୍କ ଦରବାରରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଦଳେ କର୍ମଚାରୀ ରାଜାଙ୍କୁ ଇଂରେଜଙ୍କ ବିରୁଦ୍ଧରେ ମତାଉଛନ୍ତି ବୋଲି କମିଶନରମାନଙ୍କ ଠାରେ ରିପୋର୍ଟ ହେବାରୁ କମିଶନରମାନେ ରାଜାଙ୍କୁ ୧୮୦୪ ଜାନୁଆରୀ ୬ ତାରିଖରେ ଜଣାଇଲେ ଯେ, ଗୋବିନ୍ଦ ରାୟ ମହାଶୟଙ୍କ ହାତରେ ସେମାନେ ଯେଉଁ ଚୂକ୍ତି କାଗଜ ପଠାଇଛନ୍ତି, ତାକୁ ରାଜା ଯଦି ସ୍ୱାକ୍ଷର କରି ସ୍ୱୀକାର ନ କରନ୍ତି, ତାହାହେଲେ ସେସବୁ କାଗଜ ଫେରାଇ ଦେବେ ଏବଂ ରାଜା ‘ଖଳ’ ଲୋକଙ୍କ ‘କୁପରାମର୍ଶ’ରେ ଚାଳିତ ହେଉଥିବାରୁ ତାଙ୍କୁ ଖୋର୍ଦ୍ଧାରୁ ଅପସରି ଯିବାକୁ ପଡ଼ିବ ।

 

ମୁକୁନ୍ଦଦେବ ଏହି ଚିଠି ପାଇବା ପରେ ତାଙ୍କ ନିଜ ଓକିଲ ହାତରେ କେତେକ କାଗଜ ଦେଇ କମିଶନରଙ୍କ ପାଖକୁ ପଠାଇଲେ । ସେଥିକୁ ‘ଖଳ’ ଲୋକଙ୍କ ‘କୁପରାମର୍ଶ’ର ଗନ୍ଧ କମିଶନର ପାଇ ରାଜାଙ୍କୁ ଜଣାଇଲେ ଯେ ଅତିଶୀଘ୍ର ତାଙ୍କ ପରାମର୍ଶଦାତା ଜୟୀ ରାଜଗୁରୁଙ୍କୁ ପଠାନ୍ତୁ ଏବଂ ରାଜଗୁରୁଙ୍କ ପ୍ରତି କୌଣସି ଦୁର୍ବ୍ୟବହାର ଦେବ ନାହିଁ ବୋଲି ମଧ୍ୟ ରାଜାଙ୍କୁ ପ୍ରତିଶ୍ରୁତି ଦିଆଗଲା । ଜୟୀ ରାଜଗୁରୁଙ୍କଠାକୁ କମିଶନରମାନେ ସ୍ୱତନ୍ତ୍ର ନିମନ୍ତ୍ରଣପତ୍ର ମଧ୍ୟ ପଠାଇଲେ । ରାଜାଙ୍କ ପାରିବାରିକ ବିଷୟରେ ରାଜଗୁରୁଙ୍କ ପରାମର୍ଶ ବିଶେଷ ମୂଲ୍ୟବାନ ହେବ, ଏହି କଥା ମଧ୍ୟ ରାଜଗୁରୁଙ୍କୁ କମିଶନରମାନେ ଜଣାଇଥିଲେ ଏବଂ ସେ ଆସିଲେ ତାଙ୍କ ପ୍ରତି ଭଲ ବ୍ୟବାହାର ହେବ, ଏହା ମଧ୍ୟ ଜଣାଇ ଦେଲେ । ଇଂରେଜ ଶାସକମାନଙ୍କ ମତିଗତିକୁ ଠଉରେଇ ନ ପାରି ଥିବାରୁ, ସେମାନଙ୍କ ପ୍ରତିଶ୍ରୁତିରେ ଆସ୍ଥା ରଖି ନ ପାରିଥିବାରୁ ଜୟୀ ରାଜଗୁରୁ କମିଶନରଙ୍କ ନିକଟକୁ ଯିବାକୁ ପଶ୍ଚାତ୍‌ପଦ ହୋଇଥିବା ହିଁ ଅନୁମାନ ହୁଏ ।

 

ବନ୍ଧୁତା ନା ଗଳାକଟା ?

 

ଏହା ପରେ ମୁକୁନ୍ଦ ଦେବଙ୍କ ମନୋଭାବ ଟିକିଏ ପରିବର୍ତ୍ତନ ହୋଇଥିବାର ସୂଚନା ମିଳେ । ସେ ନୂତନ ଚୁକ୍ତିରେ ସ୍ୱାକ୍ଷର କରି ଇଂରେଜମାନଙ୍କ ଆନୁଗତ୍ୟ ସ୍ୱୀକାର କରିବାରେ କୁଣ୍ଠାବୋଧ କରି ନ ଥିଲେ ।

 

ଇଂରେଜ ଶାସକମାନେ ମଧ୍ୟ ମୁକୁନ୍ଦଦେବଙ୍କୁ ଖୁସି ରଖିବା ପାଇଁ ଚେଷ୍ଟା କଲେ । ରାଜାଙ୍କର ଖୋରାକ ପୋଷାକ ବାବତରୁ ଖଣ୍ଡେ ମୌଜାର ଖଜଣା ରାଜାଙ୍କୁ ଦେଇ ଦେବା ପାଇଁ କମିଶନରମାନେ ଖୋର୍ଦ୍ଧା ତହସିଲଦାରଙ୍କୁ ଆଦେଶ ଦେଇଥିଲେ । ସୁନିଆଁ ଓ ଆଶ୍ୱିନ (ଦେବୀପୂଜା) ପର୍ବରେ ରାଜା ପୁରୁଷୋତ୍ତମକ୍ଷେତ୍ରରୁ ପ୍ରତିବର୍ଷ ୯ (ନଅଟି) ସୁନା ମୋହର ଓ ଦଶଟଙ୍କା ଭେଟି ପାଉଥିଲେ । କମିଶନରମାନେ ପୁରୁଷୋତ୍ତମକ୍ଷେତ୍ର ମୋହଡ଼ାଦାର ମୋରାର ପଣ୍ଡିତଙ୍କୁ ଆଦେଶ ଦେଲେ (ସେପ୍‌ଟେମ୍ବର ୧୧ ତାରିଖ ୧୮୦୪) ରାଜାଙ୍କୁ ମାମୁଲ ମୁତାବକ ତାଙ୍କ ଭେଟି ଦିଆଯାଉ । କେବଳ ରାଜାଙ୍କୁ ଖୁସି ରଖିବା ପାଇଁ କମିଶନରମାନେ ଏହା କରିଥିଲେ । ପୁଣି ଖୋର୍ଦ୍ଧା ନିକଟସ୍ଥ ରାମେଶ୍ୱର ଗଡ଼ର ଖଣ୍ଡାୟତ ଲାଲା ବଳିଆର ସିଂହ ୧୮୦୪ ମେ ମାସରେ ପୁରୁଷୋତ୍ତମ କ୍ଷେତ୍ରକୁ ଯିବାକୁ ମନ କରିବାରୁ ତାଙ୍କର ସବୁ ରକମର ସୁବିଧା କରିଦେବା ପାଇଁ ଖୋର୍ଦ୍ଧାଠାରୁ ପୁରୀ ଭିତରେ ଥିବା ସବୁ ରାସ୍ତା ପଟ୍ଟିଦାର, ମହଡ଼ାଦାର, ସରବରାକାର ଓ ଚୌକିଦାରମାନଙ୍କୁ କମିଶନରମାନେ ଆଦେଶ ଦେଲେ । ଖିଲାକ କଲିକତାରୁ ଆସି ପହଞ୍ଚି ନ ଥିବାରୁ ରାଜାଙ୍କୁ ଦିଆଯାଇ ପାରି ନାହିଁ ବୋଲି ମଧ୍ୟ କମିଶନରମାନେ ରାଜାଙ୍କୁ ଜଣାଇଲେ ।

 

ମୁକୁନ୍ଦଦେବ (୧୮୦୪ ଅକ୍‌ଟୋବର ମାସ ପୂର୍ବରୁ) କମିଶନରମାନଙ୍କୁ ଜଣାଇଲେ ଯେ, ଆବଶ୍ୟକ ହେଉଥିବାରୁ ତାଙ୍କୁ ଟ ୩୦୦୦ (ତିନିହଜାର) ଟଙ୍କା (ତାଙ୍କ ନାମରେ ଯେଉଁ ଟ ୫୦,୦୦୦ ଜମା ଅଛି ସେଥିରୁ) ତାଙ୍କୁ ଦିଆଯାଉ । କମିଶନରମାନେ ଉତ୍ତରରେ ଜଣାଇଲେ, ରାଜା ଚୁକ୍ତି ଅନୁସାରେ ସଦ୍‌ଭାବ ରଖି ଚଳୁ ନ ଥିବାରୁ ତାଙ୍କୁ ସେ ଟଙ୍କା ଦିଆଯାଇପାରିବ ନାହିଁ । ରାଜାଙ୍କର ମତି ପରିବର୍ତ୍ତନହିଁ ଏହାର ପ୍ରଧାନ କାରଣ । ଇଂରେଜମାନେ ସେତେବେଳକୁ ରାଜାଙ୍କ ବିରୁଦ୍ଧରେ ସୈନ୍ୟ ପରିଚାଳନା କଳ୍ପନା କରି ସାରିଲେଣି ଏବଂ ବିଭିନ୍ନ ସ୍ଥାନ (ମାନ୍ଦ୍ରାଜ, ବଙ୍ଗ, ମଧ୍ୟପ୍ରଦେଶ) ରୁ ସୈନ୍ୟ ଆଣିବା ଉଦ୍ୟମ ମଧ୍ୟ କଲେଣି । ରାଜା ଏହା ଜାଣିପାରି କମିଶନରଙ୍କ ଠାରୁ ବାକୀ ଖଜଣା ଆଦାୟ କରି ନେଇଯିବା ପାଇଁ ଉଦ୍ୟମ କରୁଥିବାହିଁ ସମ୍ଭବ ।

 

କମିଶନରମାନେ (୧୮୦୪) ଅକ୍‌ଟୋବର ପହିଲାରେ ମୌଲବୀ ସାଲିମ ଅଲି ନାମକ ଜଣେ କର୍ମଚାରୀଙ୍କୁ ଖୋର୍ଦ୍ଧା ପଠାଇଲେ ଏବଂ ରାଜାଙ୍କୁ ସତ୍‌ପଥରେ ଚାଲିବାପାଇଁ କୁଆଡ଼େ ସେ ପ୍ରବର୍ତ୍ତାଇବାର ଆଦେଶ ପାଇଥିଲେ । ଆଲିଙ୍କ ସଙ୍ଗେ କେପ୍‌ଟେନ୍‌ ବ୍ଲାଣ୍ଟ ଓ ଦୁଇଜଣ ଘୋଡ଼ସବାର ସୈନିକ ମଧ୍ୟ ଖୋର୍ଦ୍ଧା ଯାଇଥିଲେ ।

 

ସେତେବେଳକୁ କଟକ-ଖୋର୍ଦ୍ଧା ରାସ୍ତାରେ ଇଂରେଜ ସରକାରଙ୍କ ଡାକ ବନ୍ଦ କରିବା ଦିଗରେ ରାଜା କୁଆଡ଼େ ବ୍ୟବସ୍ଥା କରି ହଇରାଣ କରୁଛନ୍ତି ବୋଲି ହାକିମମାନେ ଆପତ୍ତି ପାଇଲେ ଏବଂ କୋଠଦେଶର ମହଡ଼ାଦାର ନାରାୟଣ ଛୋଟରାଙ୍କୁ ଡାକବାଟ ଜଗି ନିରାପଦ ରଖିବାକୁ ସରକାରୀ ଆଦେଶ ହେଲା ।

 

ମୁକୁନ୍ଦଦେବ ଗାଦିଚ୍ୟୁତ ହେଲେ

 

ଅବସ୍ଥା କ୍ରମେ ଖରାପ ଦିଗକୁ ଗତି କଲା । ୧୮୦୪ ଡିସେମ୍ବର ୫ ତାରିଖରେ ଇଂରେଜ ସରକାର ଖୋର୍ଦ୍ଧାରାଜା ମୁକୁନ୍ଦଦେବଙ୍କୁ ବିଦ୍ରୋହୀ ଘୋଷଣା କରି ଗାଦିଚ୍ୟୁତ ଆଦେଶ ଦେଲେ । ୭ ତାରିଖ ଦିନ ସବୁ ରେସିଡ଼େଣ୍ଟ, ଜମିଦାର, ସରବରାକାର, ମକଦ୍ଦମ ପ୍ରଭୃତିଙ୍କୁ ଆଦେଶ ଦେଲେ ଯେ ଖୋର୍ଦ୍ଧା ଭିତରେ ବାସ କରୁଥିବା ସବୁ ପ୍ରଜା ଇଂରେଜ ସରକାରଙ୍କ ଅଧୀନତା ସ୍ୱୀକାର କରିବେ ଏବଂ ଇଂରେଜ ସରକାର ସମୟାନୁସାରେ ଯେଉଁ ସବୁ ଆଜ୍ଞା ଦେଉଥିବେ ତାକୁ ପାଳନ କରିବେ । ପାଳନ ନକଲେ କଠୋର ଦଣ୍ଡ ଭୋଗ କରିବେ । ସେହିମାସ ୯ ତାରିଖରେ ପୁରୀର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ମୁଖ୍ୟ ପରିଚ୍ଛା ଓ କ୍ଷେତ୍ରର ମହଡ଼ାଦାର ମୋରାର ପଣ୍ଡିତଙ୍କୁ ଆଦେଶ ହେଲା, ମୁକୁନ୍ଦଦେବ ଇଂରେଜ ସରକାରଙ୍କର ପରମ ଶତ୍ରୁ ଥିବାରୁ ଠାକୁରମାନଙ୍କର ପୂଜାବେଳେ ରାଜାଙ୍କ ନାମ ଆଉ ଉଚ୍ଚାରଣ କରିବେ ନାହିଁ । ଏହି ଆଦେଶ ଅମାନ୍ୟ କଲେ କଠୋର ଦଣ୍ଡ ପାଇବେ । ଖୋର୍ଦ୍ଧାର ଜମିଦାର, ମକଦ୍ଦମ, ସର୍ବରାକାର ପ୍ରଭୃତିଙ୍କୁ ମଧ୍ୟ ଆଦେଶ ହେଲା ଯେ, ରାଜାଙ୍କ ପରାମର୍ଶରେ ଯଦି କେହି ସେମାନଙ୍କଠାରୁ ରାଜାଙ୍କ ନାମରେ କରଜ କରିଥାଏ, ତାହାହେଲେ ଇଂରେଜ ସରକାର ସେଥିପାଇଁ ଦାୟୀ ହେବେ ନାହିଁ।

 

୧୮୦୪ ଡିସେମ୍ବର ମାସ ୫ ତାରିଖରେ ଖୋର୍ଦ୍ଧା ରାଜା ମୁକୁନ୍ଦଦେବଙ୍କୁ ଗାଦିଚ୍ୟୁତ କରି ଦେଇଥିବା ଘୋଷଣା ପ୍ରକାଶ କରିବା ପରେ ଇଂରେଜ ଶାସକମାନେ ଖୋର୍ଦ୍ଧାରେ ଯେପରି ଶାନ୍ତିଭଙ୍ଗ ପୁନର୍ବାର ନ ହୁଏ ତାର ବ୍ୟବସ୍ଥା କଲେ ।

 

ଜଗନ୍ନାଥ ମନ୍ଦିରରେ ରାଜାଙ୍କର ଯେଉଁ ପ୍ରଭାବ ଥିଲା କାଳେ ତାହା ଇଂରେଜମାନଙ୍କ ବିପକ୍ଷରେ କାର୍ଯ୍ୟକାରୀ ହେବ ଏହି ଆଶଙ୍କା କରି ମନ୍ଦିର ସହିତ ରାଜାଙ୍କର ସମସ୍ତ ସମ୍ପର୍କ ଛିନ୍ନ କରି ଦେଇ କମିଶନରମାନେ ସରକାରଙ୍କ ତରଫରୁ ଘୋଷଣା ଜାରୀ କରି ଦେଲେ ଯେ, ରାଜାଙ୍କ ନାମରେ ଆଉ ମହାଦୀପ ଉଠିବ ନାହିଁ କି ପୂଜାବେଳେ ରାଜାଙ୍କ ନାମ ଉଚ୍ଚାରଣ କରାଯିବ ନାହିଁ ବୋଲି ସରକାରଙ୍କ ଦ୍ୱାରା ନିଯୁକ୍ତ ଦେଉଳ ପରିଚ୍ଛା ମୋରାର ପଣ୍ଡିତଙ୍କୁ ସରକାର ଆଦେଶ ଦେବାପରେ ପଣ୍ଡା ଓ ସେବକମାନେ ଅଶାନ୍ତି ସୃଷ୍ଟି କରିବାପାଇଁ ଆଉ ସୁବିଧା ପାଇଲେ ନାହିଁ । ଇଂରେଜ ସରକାରଙ୍କ ସୈନ୍ୟବଳ ଓ କର୍ମତତ୍ପରତାହିଁ ଏହାର ପ୍ରଧାନ କାରଣ । ମୋଟ ଉପରେ ଲୋକେ ରାଜା, ମହାରାଜା ଓ ବଡ଼ ଲୋକଙ୍କ ଡରୁଆପଣ ଦେଖି ‘‘ଜୋର ଯାର, ମୂଲକ ତାର’’ ନୀତିକୁ ପସନ୍ଦ କରି ‘‘ଶକ୍ତିଶାଳୀ ଶାସକ’’ର ଆଶ୍ରୟ ନେଲେ ।

 

ସରକାରୀ ପରିଚାଳନା ବ୍ୟବସ୍ଥା

 

ଖୋର୍ଦ୍ଧାରେ ସରକାରଙ୍କ ପକ୍ଷକୁ ଶକ୍ତିଶାଳୀ କରିବା ପାଇଁ ହାକିମମାନେ ଉଦ୍ୟମ କଲେ-। ମୁକୁନ୍ଦ ଦେବଙ୍କୁ ଗାଦିଚ୍ୟୁତ କରିବା ସାଙ୍ଗେ ସାଙ୍ଗେ ଖୋର୍ଦ୍ଧାରେ ନିମାଇ ଚରଣ ଦାସଙ୍କୁ ନୂଆ ତହସିଲଦାର ରୂପେ, ଓ୍ୱାଜ୍‌ ମହମ୍ମଦଙ୍କୁ କିଲଟରଙ୍କ କଚେରୀର ଜଣେ ପ୍ରଧାନ କର୍ମଚାରୀରୂପେ ଓ ଶେଖ୍‌ ଇଜଦ୍‌ ବକ୍‌ସଙ୍କୁ ଦାରୋଗା ରୂପେ ନିଯୂକ୍ତ କଲେ । ରାଜା ମୁକୁନ୍ଦଦେବ ଗାଦିଚ୍ୟୁତ ହୋଇଥିବା ଘୋଷଣାଟି ପ୍ରତ୍ୟେକ ଘରେ ପହଞ୍ଚିବାର ବ୍ୟବସ୍ଥା କରିବା ପାଇଁ ଏମାନଙ୍କୁ ଆଦେଶ ଦିଆଗଲା ।

 

‘‘ଶତ୍ରୁ’’ଙ୍କ ବିରୁଦ୍ଧରେ ବ୍ୟବସ୍ଥା

 

ମୁକୁନ୍ଦ ଦେବଙ୍କ ଶଶୁର ଖୋର୍ଦ୍ଧା ନିକଟସ୍ଥ ରାମେଶ୍ୱର ଗଡ଼ର ଦଳବେହେରା ବଳିୟାର ସିଂହ ଓ ତାଙ୍କ ଭାଇ ଭିକାରୀ ବଳିୟାର ସିଂହଙ୍କୁ କମିଶନର ଜଣାଇଦେଲେ ଯେ, ସେମାନେ ମୁକୁନ୍ଦଦେବଙ୍କୁ ସାହାସ୍ୟ କରୁଥିବାର ଖବର ସରକାର ପାଇଥିବାରୁ ସେମାନଙ୍କ ପ୍ରତି ସରକାର ଅସନ୍ତୁଷ୍ଟ ଅଛନ୍ତି ଏବଂ ଭବିଷ୍ୟତରେ ସେମାନେ ଏଥିରୁ ନିବୃତ୍ତ ନହେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ କରାଯିବ ।

 

ମେଣ୍ଢାଶାଳର ଖଣ୍ଡାୟତ ଉଗାଳ ସିଂହ ମୁକୁନ୍ଦ ଦେବଙ୍କୁ କାଳେ ସାହାଯ୍ୟ କରି ହଇରାଣ କରିବେ ଏହି ଆଶଙ୍କାରେ ତାଙ୍କ ଉପରେ କଡ଼ା ନଜର ଦେବା ପାଇଁ ସରକାରୀ ହୁକୁମ ହେଲା । ଲୋକେ ମୁକୁନ୍ଦଦେବଙ୍କ ପ୍ରତି ସରକାରଙ୍କ ନିଷ୍ଠୁର ବ୍ୟବହାର ସହ୍ୟ କରି ନ ପାରି ସରକାର ବିରୁଦ୍ଧରେ ସୁବିଧାନୁଯାୟୀ ନିଜର ମନୋଭାବ କାର୍ଯ୍ୟରେ ପ୍ରକାଶ କରୁଥିଲେ । ସ୍ଥାନେ ସ୍ଥାନେ ସରକାରୀ ଡାକ ଲୁଣ୍ଠନ, ଖଜଣା ଆଦାୟରେ ବାଧାଦାନ ପ୍ରଭୃତି ହେଉଥିଲା । ମେଣ୍ଢାଶାଳରେ ଏହି ସରକାର ବିରୋଧୀ କାର୍ଯ୍ୟକୁ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି ବୋଲି ସରକାର ଚିତ୍ରଣ କରି ଉଗାଳ ସିଂହଙ୍କୁ ଏହାର ନିରାକରଣ କରିବାପାଇଁ ଆଦେଶ ଦେଲେ । କମିଶନର କର୍ଣ୍ଣେଲ ହାରକୋର୍ଟ ସାହେବ ଦୁଇଟି ଚପରାଶି ମେଣ୍ଢାଶାଳକୁ ପଠାଇଲେ । ଦୁଇଟି ଚପରାଶି ମେଣ୍ଢାଶାଳରେ ଶାନ୍ତି ସ୍ଥାପନ କରିବାରେ ସମର୍ଥ ହୋଇ ପାରିଥିଲେ । ଏଥିରୁ ଅସହାୟ ଅବସ୍ଥାର ଚିତ୍ର ସହଜରେ ମିଳି ପାରିବ ।

 

ପଞ୍ଚଗଡ଼ର ଲୋକେ ସରକାରୀ ଲୋକଙ୍କୁ ଓ ସୈନ୍ୟବାହିନୀକୁ ଧାନ ଚାଉଳ ଓ ଅନ୍ୟାନ୍ୟ ସରଞ୍ଜାମ ବିକିବା ପାଇଁ ମଙ୍ଗୁ ନ ଥିଲେ । ଏହି ମନୋଭାବ ଛାଡ଼ିବା ପାଇଁ ଲୋକଙ୍କ ଉପରେ ଆଦେଶ ଜାରୀ ହେଲା ।

 

ଗଡ଼ ହଳଦିଆର ଖଣ୍ଡାୟତ ଓ ଜମିଦାର ଭଗବାନ ବୀରବର ଜଗଦ୍ଦେବଙ୍କୁ ନୂତନ ସନନ୍ଦରେ ସ୍ୱାକ୍ଷର କରିବା ପାଇଁ ଆଦେଶ ହେଲା ଏବଂ ସରକାରଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ନିମନ୍ତେ ସର୍ତ୍ତ ରଖାଗଲା ।

 

ଦାଣ୍ଡି ମାହାଲରେ ଦାମୋଦର ପଟ୍ଟନାୟକ ଓଗେର ସରକାରଭକ୍ତ କହ୍ନେଇ ଶତପଥୀଙ୍କ ଘରେ ପଶି କେତେକ ସମ୍ପତ୍ତି ଲୁଟ କରି ନେଇ ଥିଲେ । ଏଥିରେ ଦାଣ୍ଡିମାହାଲରେ ଆତଙ୍କ ସୃଷ୍ଟି ହୋଇ ଯାଇଥିଲା । ମୁକୁନ୍ଦ ଦେବଙ୍କ ଗାଦିଚ୍ୟୁତିର ଏହା ଫଳ ହୋଇଥିବା ଆଶଙ୍କା କରି ଏହାର ଶୀଘ୍ର ପ୍ରତିକାର କରିବାପାଇଁ କମିଶନର ଦୁଇଟି ଚପରାଶିଙ୍କୁ ଦାଣ୍ଡିମାହାଲ ପଠାଇଲେ । ସେତିକିରେ ସେଠାରେ ଅବସ୍ଥା ଶାନ୍ତ ପଡ଼ିଲା ।

 

ଡ଼ିସେମ୍ବର (୧୮୦୪) ମାସର ମଧ୍ୟଭାଗରେ କମିଶନର ସାହେବ ଖୋର୍ଦ୍ଧା ଅଞ୍ଚଳର ସବୁ ଜମିଦାର ଓ ଖଣ୍ଡାୟତମାନଙ୍କୁ ଡକାଇ ଇଂରେଜମାନଙ୍କ ଆନୁଗତ୍ୟ ସ୍ୱୀକାର କରିବାପାଇଁ ଅନୁରୋଧ କରିଥିଲେ । ମୁକୁନ୍ଦ ଦେବ ‘‘ଇଂରେଜ ବିରୋଧୀ’’ ଥିବାରୁ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ନ ଦେବାପାଇଁ ହାକିମ ଆଦେଶ ଦେଇଥିଲେ ।

 

ଡିସେମ୍ବର ତା ୨୫ ରିଖରେ ଶେଖ ଓ୍ୱାଜ ମହମ୍ମଦଙ୍କୁ କମିଶନର ମୁକୁନ୍ଦ ଦେବଙ୍କ ଆଶ୍ରୟସ୍ଥଳ ସନ୍ଧାନ କରି ତାଙ୍କୁ ଗିରଫ କରିବା ପାଇଁ ଆଦେଶ ଦେଲେ । ମୁକୁନ୍ଦ ଦେବଙ୍କର ଯେତେ ଜିନିସ ଥିଲା ତାକୁ ବିକ୍ରି କରି ଦେବାପାଇଁ ମଧ୍ୟ ତା ୩୦ ତାରିଖରେ ଆଦେଶ ହେଲା । ଏହି ବିକ୍ରି ଧନର ଏକଚତୁର୍ଥାଂଶ ଓ୍ୱାଜ ମହମ୍ମଦଙ୍କୁ ପୁରସ୍କାର ସ୍ୱରୂପ ଦିଆଯାଇଥିଲା ।

 

ମୁକୁନ୍ଦଦେବ କାଳେ ପୁରୀଆଡ଼େ ଚାଲିଯାଇଥିବେ ଏହି ଆଶଙ୍କାରେ ଜଗନ୍ନାଥମନ୍ଦିର ପରିଚ୍ଛା ମୋରାର ପଣ୍ଡିତଙ୍କଠାରୁ ମଧ୍ୟ ତଦନ୍ତ କରିବାପାଇଁ କମିଶନର ଆଦେଶ ପଠାଇଲେ ।

 

ମୁକୁନ୍ଦଦେବଙ୍କ ଆତ୍ମସମର୍ପଣ

 

ମୁକୁନ୍ଦଦେବ ବନପୁର (ବାଣପୁର?) ଜଙ୍ଗଲ ପାରହୋଇ ଘୁମୁସରରାଜ୍ୟ ଭିତରେ ଆଶ୍ରୟ ନେଇଥିଲେ । ପୂର୍ବରୁ ଘୁମୁସର ରାଜ୍ୟ ବାଣପୁର ସୀମାନ୍ତ ପର୍ଯ୍ୟନ୍ତ ଥିଲା । ଘୁମୁସର ଗଞ୍ଜାମଜିଲା ଅନ୍ତର୍ଗତ ଥିବାରୁ ମାନ୍ଦ୍ରାଜ ସରକାରଙ୍କ ଅଧୀନରେ ଥିଲା । ଓଡ଼ିଶାକୁ ଇଂରେଜମାନେ ଅଧିକାର କରିବାର ପ୍ରାୟ ୩୦ ବର୍ଷ ପୂର୍ବରୁ ଇଂରେଜମାନେ ଗଞ୍ଜାମ ଅଧିକାର କରି ସାରିଥିଲେ । ଘୁମୁସର ଗଞ୍ଜାମ କଲେକ୍‌ଟରଙ୍କ ଅଧୀନରେ ଥିବାରୁ ଏବଂ ସେଠାର କଲେକ୍‌ଟର ମାନ୍ଦ୍ରାଜ ସରକାରଙ୍କ ଆଦେଶାନୁସାରେ କାର୍ଯ୍ୟକାରୀ ହେଉଥିବାରୁ ଓଡ଼ିଶା କମିଶନରଙ୍କ କର୍ମଚାରୀ କିମ୍ବା ଫୌଜ ଘୁମୁସର ଭିତରକୁ ମାନ୍ଦ୍ରାଜ ସରକାରଙ୍କ ବିନାନୁମତିରେ ପଶି ପାରୁ ନ ଥିଲେ । ସେତେବେଳେ ମାନ୍ଦ୍ରାଜ ସରକାରଙ୍କ ଠାରୁ ଅନୁମତି ଆଣିବାକୁ ହେଲେ ବଙ୍ଗ ସରକାରଙ୍କ ଜରିଆରେ ଚିଠିପତ୍ର ଦିଆନିଆ ହେବାର କଥା । ଚିଠି ପହଞ୍ଚିବାକାଳ ମାସକରୁ ବେଶୀ ହୋଇ ଯାଉଥିଲା । ବିଦ୍ରୋହୀମାନଙ୍କ ପକ୍ଷେ ସୀମା ଟପି ଆଶ୍ରୟ ନେବା ଅର୍ଥ ମାସେ ଦୁଇମାସ ନିରାପଦରେ ଲୁଚି ରହିବାକୁ ସୁବିଧା ପାଇବା ।

 

ମୁକୁନ୍ଦଦେବ ଘୁମୁସର ଭିତରକୁ ପଶିଯାଇ କିଛିଦିନ ନିରାପଦରେ ରହିଲେ । ଘୁମୁସର ଓ ଖଲ୍ଲିକୋଟ ଭିତରେ ସେ ଯାତାୟତର ଯୋଗସୂତ୍ର ରଖିଥିଲେ ।

 

୧୮୦୪ ନଭେମ୍ବର ମାସ ବେଳକୁ ସରକାର ପକ୍ଷ, ରାଜା ମୁକୁନ୍ଦ ଦେବଙ୍କ ବିରୁଦ୍ଦରେ ଅଭିଯାନ କରିବା ସଂକଳ୍ପ କରି ସାରିଥିଲେ । ନଭେମ୍ବର ୧୯ ତାରିଖରେ ଓଡ଼ିଶାର ସବୁ ରାଜା, ଜମିଦାରଙ୍କୁ ମୁକୁନ୍ଦଦେବଙ୍କୁ କୌଣସି ପ୍ରକାରେ ସାହାଯ୍ୟ ନ କରିବାକୁ ସରକାର ମନା କରି ପରଉଆନା ଜାରି କଲେ । ଘୁମୁସର ରାଜା ଧନଞ୍ଜୟଭଞ୍ଜଙ୍କ ଜମିଦାରୀ ରଣପରୁ, ବାଣପୁର, ନୟାଗଡ଼ ପ୍ରଭୃତି ଓଡ଼ିଶା ସରହଦକୁ ଲାଗି ରହିଥିବାରୁ ବିଦ୍ରୋହୀମାନେ ଘୁମୁସରର ବଣ ଜଙ୍ଗଲରେ ଆଶ୍ରୟ ନେଉଥାନ୍ତି । ସେଥିଯୋଗୁଁ ବିଦ୍ରୋହୀମାନଙ୍କୁ ଆଶ୍ରୟ ନ ଦେବା ନିମନ୍ତେ ଧନଞ୍ଜୟଙ୍କୁ ମଧ୍ୟ ସରକାର ଅନୁରୋଧ କଲେ । (ଅକଟୋବର ୧୧-୧୮୦୪)

 

ସେତେବେଳକୁ ମୁକୁନ୍ଦଦେବଙ୍କ ଲେକେ ଭୋଗବନ ଓ ଭୋକର ଜଙ୍ଗଲରେ ଆଶ୍ରୟ ନେଇ ସାରିଥିଲେ । ରାଜା ମଧ୍ୟ ଖଲିକୋଟ ଆଡ଼େ ଚାଲିଯାଇଥିବା ଖବର ସରକାରଙ୍କଠାରେ ପହଞ୍ଚିଥିଲା । ଖଲିକୋଟ ଭିତରେ ମୁକୁନ୍ଦଦେବଙ୍କୁ ଗିରଫ କରିବା ପାଇଁ ଶେକ୍‌ ଫତେ ମହମ୍ମଦଙ୍କୁ ଡିସେମ୍ବର (୧୮୦୪) ତା ୧୬ ରେ ଆଦେଶ ହେଲା । ଘୁମୁସର ରାଜାଙ୍କ ନିକଟକୁ ମଧ୍ୟ ମୁକୁନ୍ଦଦେବଙ୍କୁ ଗିରଫ କରିବାରେ ସାହାଯ୍ୟ କରିବାକୁ ପୁନର୍ବାର ଚିଠି ଗଲା ।

 

ନାଗପୁର ଭୋଁସଲାଙ୍କ ଚର ରୂପରେ ଅନ୍ତାଜୀ ନାଇକ ଓ ନାନାଜୀ ମଧ୍ୟ ସେତେବେଳେ ମୁକୁନ୍ଦ ଦେବଙ୍କ ସହିତ ଦେଖାସାକ୍ଷାତ କରିସାରି ନୟାଗଡ଼ ବାଟେ ଫେରୁଥିଲେ । ସେମାନଙ୍କୁ ଗିରଫ କରିବା ପାଇଁ ନୟାଗଡ଼ ରାଜାଙ୍କୁ ଆଦେଶ ହେଲା ।

 

ଏପରି ଚତୁର୍ଦ୍ଦିଗରୁ ମୁକୁନ୍ଦଦେବଙ୍କୁ ଘେରାଉ କରିବାର ବ୍ୟବସ୍ଥା ହେଲା ।

 

ସେତେବେଳେ ଘୁମୁସର ଅବସ୍ଥା ଟିକିଏ ଶାନ୍ତ ପଡ଼ିଥିଲା । ଗଞ୍ଜାମ ଜିଲାରେ ମାନ୍ଦ୍ରାଜ ସରକାର ରାଜସ୍ୱ ଆଦାୟ ପନ୍ଥାରେ ଯେଉଁ ବିଭୀଷିକା ସୃଷ୍ଟି କରିଥିଲେ ସେଥିରେ ସବୁ ଜମିଦାର ଓ ପ୍ରଜା ସରକାରଙ୍କ ବିରୁଦ୍ଧରେ ତାତି ରହିଥିଲେ । ସୁବିଧା ମିଳିବା କ୍ଷଣି ସରକାରଙ୍କୁ ହଇରାଣ କରୁଥିଲେ । ପାରଳା, ମହୁରି, ବଡ଼ ଖିମୁଣ୍ଡି, ଘୁମୁସର ପ୍ରଭୃତିର ଜମିଦାରମାନେ ଏକାଧିକ ବାର ସରକାରଙ୍କ ବିରୋଧରେ ଲଢ଼େଇ କରିଛନ୍ତି; କିନ୍ତୁ ନିଜ ଗୃହବିବାଦ ଯୋଗୁଁ ସେମାନଙ୍କର ସବୁ ଉଦ୍ୟମ ନିଷ୍ଫଳ ହୋଇଛି । ଘୁମୁସରରାଜା ଶ୍ରୀକର ଭଞ୍ଜ ୧୮୦୪ ପୂର୍ବରୁ ସରକାରଙ୍କ ବିରୁଦ୍ଧରେ ଲଢ଼ୁଥିଲେ । ତାଙ୍କ ପୁଅ ଧନଞ୍ଜୟ ଭଞ୍ଜ ସରକାରଙ୍କ ସପକ୍ଷରେ ଥିଲେ । ସରକାରଙ୍କ ଚେଷ୍ଟାରେ ବାପ ପୁଅଙ୍କ ଭିତରେ ମିଳାମିଶା ହୋଇଯିବାରୁ ଧନଞ୍ଜୟ ରାଜା ହେଲେ ଏବଂ ଘୁମୁସର ୧୮୦୧ ଡିସେମ୍ବରଠାରୁ ଟିକିଏ ଶାନ୍ତିରେ ରହିଲା ।

 

ଧନଞ୍ଜୟ ନୂତନ ହୋଇ ରାଜ୍ୟ ପାଇଥିବାରୁ ସରକାରଙ୍କ ଆଦେଶକୁ ଅମାନ୍ୟ କରି ପୁଣି ଅଶାନ୍ତି ସୃଷ୍ଟି କରିବା ମନୋଭାବ ପୋଷଣ କରି ନଥିବାହିଁ ସମ୍ଭବ । ବିଶେଷତଃ ସରକାରଙ୍କ ସହିତ ମିଳାମିଶା କରି ‘‘ପୋଡ଼ା ଘରୁ କୁଟା କେରାଏ ମିଳିଲେ ହେଲେ ଭଲ’’ ନ୍ୟାୟରେ ନିଶ୍ଚିତ ପରାଜୟଠାରୁ ସନ୍ଧି ସର୍ତ୍ତାଧୀନ ହେବା ଉଚିତବୋଲି ମୁକୁନ୍ଦଦେବଙ୍କୁ ପରାମର୍ଶ ମିଳିଥିବା ମଧ୍ୟ ସମ୍ଭବ ।

 

ଘୁମୁସର ରାଜାଙ୍କ ପରାମର୍ଶରେ ଓ ତାଙ୍କ କୁଟୁମ୍ବର ଜଗନ୍ନାଥ ଭଞ୍ଜଙ୍କ ଯତ୍ନରେ ମୁକୁନ୍ଦଦେବ ଆପେ ଆପେ ସରକାରଙ୍କ ହାତରେ ଧରା ଦେଲେ । ୧୮୦୫ ଜାନୁଆରୀ ୭ ତାରିଖରେ ଘୁମୁସର ରାଜାଙ୍କଠାକୁ କମିଶନର ସାହେବ ମୁକୁନ୍ଦଦେବଙ୍କ ଗିରଫରେ ରାଜା ଯେଉଁ ସାହାଯ୍ୟ କରିଛନ୍ତି ସେଥିପାଇଁ ଧନ୍ୟବାଦ ଦେଇ ଏବଂ ସେ କଥା ପ୍ରତି ଗଭର୍ଣ୍ଣରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଲେଖିଛନ୍ତି । ଘୁମୁସର ରାଜାଙ୍କ ଯତ୍ନରେ କାହ୍ନାଜୀ ମଧ୍ୟ ଗିରଫ ହୋଇଥିବାରୁ ସରକାରଙ୍କଠାରୁ ଧନ୍ୟବାଦ ମିଳିଥିଲା ।

 

ସରକାରୀ କାଗଜ ପତ୍ରରେ ଭୁଲ୍‌ରେ ଘୁମୁସର ରାଜାଙ୍କ ନାମ ଜଗନ୍ନାଥ ଭଞ୍ଜ ବୋଲି ଲେଖା ହୋଇଛି । କିନ୍ତୁ ପ୍ରକୃତରେ ଧନଞ୍ଜୟ ଭଞ୍ଜହିଁ ସେହି ସମୟରେ ରାଜା ଥିଲେ ।

Image

 

ଦର୍ପଣରାଜା–ଇଂରେଜ ସଂଘର୍ଷ

 

କଟକ ଜିଲାର ଉତ୍ତର ପଶ୍ଚିମ ସୀମାକୁ ମାଡ଼ି ଦର୍ପଣ ବା ଦର୍ପଣୀ ଜମିଦାର । ଚିରସ୍ଥାୟୀ ବନ୍ଦୋବସ୍ତ ହୋଇଥିବା ଯୋଗୁଁ ବାର୍ଷିକ ଟ୭୩୦୭/ ଖଜଣା ଜମିଦାରୀ ଉପରେ ଧାର୍ଯ୍ୟ ହୋଇଥିଲା । ଏହି ଅଞ୍ଚଳଟିର ଆୟତନ ପ୍ରାୟ ଶହେ ବର୍ଗମାଇଲ ହେବ । ଦର୍ପଣୀର ପଶ୍ଚିମ ଓ ଉତ୍ତରରେ ଗଡ଼ଜାତ ରାଜ୍ୟ । ଉତ୍ତରରୁ କି ପୂର୍ବରୁ କଟକକୁ ଆସିବାକୁ ହେଲେ ବିଦେଶୀମାନଙ୍କୁ ଏହି ଜମିଦାରୀ ଭିତରେ ପଶି ଯିବାକୁ ହେବ । ରେଳଲାଇନ ଓ ପକ୍‌କା ସଡ଼କ ହୋଇ ଯାଇଥିବାରୁ ଯାତାୟାତ ପକ୍ଷରେ ମଧ୍ୟ ସେତେ ଅସୁବିଧା ନାହିଁ ।

 

ପୂର୍ବେ ଆକ୍ରମଣକାରୀମାନେ ଏହିସବୁ ଅଞ୍ଚଳ ଅତିକ୍ରମଣ କରି ଓଡ଼ିଶାର ରାଜଧାନୀ କଟକକୁ ଅଧିକାର କରିବାକୁ ପଡ଼ୁଥିଲା । ସେଥିଯୋଗୁଁ ଏହି ଅଞ୍ଚଳର ସାମରିକ ପ୍ରାଧାନ୍ୟ କିଛି କମ ନୁହେ । ଇଂରେଜମାନେ ଯେତେବେଳେ ପ୍ରଥମେ ଓଡ଼ିଶା ଦଖଲ କଲେ ସେତେବେଳେ ସେମାନଙ୍କର ଦୃଷ୍ଟି ଯେ ଏଭଳି ଅଞ୍ଚଳ ଉପରେ ପଡ଼ିଥିଲା ଏଥିରେ କୌଣସି ସନ୍ଦେହ ନାହିଁ ।

 

ପୂର୍ବେ ଦକ୍ଷିଣ ଓ କଳକଳା ମିଶି ସମଗ୍ର ଅଞ୍ଚଳଟି ଦର୍ପଣ ଜମିଦାରୀ ନାମରେ ପରିଚିତ ଥିଲା । ଓଡ଼ିଶାର ସମ୍ରାଟ କପିଳେନ୍ଦ୍ର ଦେବ ତାଙ୍କ ଜାମାତା ଚାରୁ ବିଦ୍ୟାଧରଙ୍କୁ ଦର୍ପଣ ଜମିଦାରୀଟି ଯୌତୁକ ସ୍ୱରୂପ ଦେଇଥିଲେ । ଚାରୁ ବିଦ୍ୟାଧରଙ୍କ ଦଶ ବାର ପୁରୁଷ ପରେ ଗୋପୀନାଥ ବିଦ୍ୟାଧରଙ୍କ ସମୟରେ ଓଡ଼ିଶାରେ ମୁସଲମାନ ରାଜତ୍ୱ ପ୍ରତିଷ୍ଠିତ ହେଲା । ମୁସଲମାନ ଶାସକ ତାଙ୍କୁ ମୁସଲମାନ ଧର୍ମରେ ଦୀକ୍ଷିତ କରେଇବା ପାଇଁ ବହୁ ଚେଷ୍ଟା କରିଥିଲେ । ଗୋପୀନାଥ ବିଦ୍ୟାଧର ରାଜି ନ ହୋଇ ନିଜ ପ୍ରାଣ ରକ୍ଷା କରିବାକୁ ଭୟରେ କଳକଳା ଅଞ୍ଚଳରେ ଥିବା ଜଙ୍ଗଲ ଭିତରକୁ ଲୁଚି ପଳେଇଲେ । ଥରେ ଶାସକ ଶିକାର ଉଦ୍ଦେଶ୍ୟରେ ବଣକୁ ଯାଇଥିଲେ । ଗୋପୀନାଥ ତାଙ୍କୁ ଶିକାରରେ ବହୁତ ସାହାଯ୍ୟ କରିଥିବାରୁ ଶାସକ କୁଆଡ଼େ ସନ୍ତୁଷ୍ଟ ହୋଇ କଳକଳା ଅଞ୍ଚଳଟି ତାଙ୍କୁ ଦାନ କରିଥିଲେ । ବ୍ରିଟିଶ ଆସିବା ପୂର୍ବରୁ ବିଦ୍ୟାଧର ବଂଶଙ୍କ ହାତରେ ଦର୍ପଣ ନ ଥିଲା କି କଳକଳା ନ ଥିଲା ରାଜା ଗୁଲଜାର ହୁସେନ ଏହି ଦର୍ପଣ (ଦର୍ପଣୀ) ଜମିଦାରୀର ମାଲିକ ଥିଲେ । ଗୁଲଜାରଙ୍କ ସହିତ ଇଂରେଜ ଶାସକମାନେ ଜମିଦାରୀକୁ ଚିରସ୍ଥାୟୀ ବନ୍ଦୋବସ୍ତ କରିଥିଲେ । ବାର୍ଷିକ ଟ ୭୩୦୭/ ଖଜଣା ଧାର୍ଯ୍ୟ ହୋଇଥିଲା । ୧୮୨୩ରେ ଗୁଲଜାରଙ୍କ ପୁତ୍ର ଆକବର ହୁସେନ ଜମିଦାର ହେଲେ । ଖଜଣା ଦେଇ ନ ପାରିବାରୁ ୧୮୪୩ରେ ଜମିଦାରୀ ନିଲାମ ହେଲା ଏବଂ ଗୋପୀନାଥ ପଣ୍ଡିତ ପ୍ରାୟ ୬୪,୦୦୦ ଟଙ୍କା ଦେଇ କ୍ରୟ କରିଥିଲେ । ସେହି ସମୟଠାରୁ ଏହି ଜମିଦାରୀଟି କଟକ ଚାନ୍ଦିନୀଚଉକରେ ଥିବା ପଣ୍ଡିତ ବଂଶ ହାତରେ ଥିଲା । ଜମିଦାରୀ ଲୋପ ପରେ ବର୍ତ୍ତମାନ ସରକାରଙ୍କ ହାତରେ ଏହି ଜମିଦାରୀଟି ଅଛି ।

 

ବିଦ୍ରୋହ ମନୋଭାବ

 

୧୮୩୦ ଖ୍ରୀଷ୍ଟାବ୍ଦର କଥା । ସେତେବେଳେ ଖଜଣା ଦେବାରେ ଦର୍ପଣୀ ଜମିଦାର ରାଜା ଆକବର ହୋସେନ ଅବହେଳା ଦେଖାଉଥିଲେ । ବହୁତ ତାଗିଦା ପରେ ମଧ୍ୟ ତାଙ୍କଠାରୁ କିସ୍ତିଓ୍ୟାରୀରେ ଖଜଣା ଆଦାୟ ହୋଇାପାରୁ ନ ଥିଲା । ସେଥିପାଇଁ ତାଙ୍କ ଉପରେ ଇଂରେଜ ସରକାରଙ୍କ ତୀକ୍ଷ୍‌ଣ ଦୃଷ୍ଟି ପଡ଼ିବା ସ୍ୱାଭାବିକ ଥିଲା । ନିଜେ ଆକବର ଖାଁ ମଧ୍ୟ ବିଗଡ଼ା ମନୋଭବାବ ଦେଖେଇ କାର୍ଯ୍ୟ କରୁଥିଲେ ।

 

ବିରକ୍ତ ମନୋଭାବର କାରଣ

 

ସେତେବେଳେ ବନ୍ଦୋବସ୍ତ ଚାଲିଥାଏ । ବହୁ ବ୍ରହ୍ମୋତ୍ତର, ପୀରୋତ୍ତର, ଦେବୋତ୍ତର ଓ ଜାଗିର ମାହାଲ ଉପରେ ଖଜଣା ଧାର୍ଯ୍ୟ କରାଯାଉଥିଲା । ଏହି କାରଣରୁ ସଂପୃକ୍ତ ବ୍ୟକ୍ତିମାନଙ୍କ ମନରେ ଶାସକମାନଙ୍କ ପ୍ରତି ବିରକ୍ତି ଭାବ ଜାଗ୍ରତ ହୋଇଥିଲା । ଲୋକେ ମଧ୍ୟ ସରକାରଙ୍କ ଏହି ନୀତିରେ ସନ୍ତୁଷ୍ଟ ନ ଥିଲେ । କି ହିନ୍ଦୁ, କି ମୁସଲମାନ ସମସ୍ତେ ସରକାରଙ୍କର ଏହି କାର୍ଯ୍ୟଟିକୁ ‘‘ଧର୍ମବିରୋଧୀ’’ ବୋଲି ଭାବୁଥିଲେ ।

 

ଏହାର ଦଶ ବାର ବର୍ଷ ପୂର୍ବରୁ ଖୋର୍ଦ୍ଧାରୁ ଖୋର୍ଦ୍ଧାର ବକସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ୱରେ ଯେଉଁ ପାଇକ ବିଦ୍ରୋହ ହୋଇଥିଲା ତାର ପ୍ରଭାବ କଟକ ଜିଲାରେ ମଧ୍ୟ ପଡ଼ିଥିଲା । କୁଜଙ୍ଗ, କନିକା ଓ ଅନ୍ୟାନ୍ୟ କେତେକ ଅଞ୍ଚଳରେ ପାଇକମାନେ ଅଶାନ୍ତି ସୃଷ୍ଟି କରିଥିଲେ । ଏହି ବିଦ୍ରୋହମନୋଭାବ ଲୋକଙ୍କ ମନରୁ ପୋଛି ହୋଇ ନ ଥିଲା । କିନ୍ତୁ ଉପଯୁକ୍ତ ସଂଗଠନ ଓ ଉଚ୍ଚ ଆଦର୍ଶ ଅଭାବରୁ ଏହି ମନୋଭାବ ବଳିଷ୍ଠ ରୂପରେଖା ଧାରଣ କରି ପାରି ନ ଥିଲା । ପାଇକ ବିଦ୍ରୋହ ଯେପରି ଶୋଚନୀୟ ଭାବରେ ବିଫଳ ହେଲା ତାର ଚିତ୍ର ମଧ୍ୟ ଲୋକଙ୍କ ‘‘ବିଦ୍ରୋହ ଉତ୍ସାହ’’କୁ ବହୁ ପରିମାଣରେ ଦବେଇ ଦେଉଥିଲା ।

 

ସରକାରଙ୍କର ଦେବୋତ୍ତର, ପୀରୋତ୍ତର ଓ ବ୍ରହ୍ମୋତ୍ତର ଉପରେ ଖଜଣା ଧାର୍ଯ୍ୟ ନୀତିରେ ହିନ୍ଦୁମାନେ ସନ୍ତୁଷ୍ଟ ନ ଥିଲେ ମଧ୍ୟ ସେମାନଙ୍କର ବିଦ୍ରୋହ କରିବା ମନୋଭାବ ସେତେବେଳେ ନ ଥିଲା । ମୁସଲମାନମାନେ ହିନ୍ଦୁଙ୍କୁ ଅପେକ୍ଷା ବେଶି ଉତ୍ତେଜିତ ହୋଇ ପଡ଼ିଥିଲେ-

 

କଟକ ସହର ଓ ଆଖପାଖ ଅଞ୍ଚଳରେ ମୁସଲମାନମାନଙ୍କ ସଂଖ୍ୟା ସେ ସମୟରେ ମଧ୍ୟ ନଗଣ୍ୟ ନ ଥିଲା । ବିଶେଷତଃ କଟକ ସହରରେ ସେମାନଙ୍କର ସଂଖ୍ୟା ପ୍ରଭାବ ସୃଷ୍ଟି କଲା ଭଳି ଥିଲା । ମୌଲାନା ହୁସେନ ଖାଁ ନାମକ ଜଣେ ଧର୍ମପ୍ରଚାରକ ଇଂରେଜ ସରକାରଙ୍କ ଏହି ନୀତି ବିରୁଦ୍ଧରେ ଆନ୍ଦୋଳନ କଲେ । ଅବଶ୍ୟ ତାଙ୍କ ଆନ୍ଦୋଳନର ପରିସର କେବଳ ମୁସଲମାନ ଗୋଷ୍ଠୀ ଭିତରେହିଁ ଆବଦ୍ଧ ରହିଥିବାର ଜଣାଯାଏ । ସରକାରୀ ନୀତି ବିରୁଦ୍ଧରେ ପ୍ରଚାର ହେଉ ହେଉ ତାହା କିଛି ସମୟରେ ଅନ୍ୟ ଆକାର ଧାରଣ କଲା । ବିଦେଶୀ ସରକାରଙ୍କ ନୀତି ଓ ବିଦେଶୀ ସରକାର ଭିତରେ କିଛି ପାର୍ଥକ୍ୟ ରହିଲା ନାହିଁ । ପୁଣି ବିଦେଶୀ ସରକାର ବିଧର୍ମୀ ସରକାର ରୂପରେ (ପ୍ରଚାର ପାଇଁ) ପରିଣତ ହେଲା । ବିଧର୍ମୀ ସରକାର ପୁଣି କ୍ରମେ ବିଧର୍ମୀରେ ପରିଣତ ହେଲା । ଇଂରେଜ ଶାସନ ଇଂରେଜମାନଙ୍କର ହୋଇଥିବାରୁ ଓ ଇଂରେଜମାନେ ବିଧର୍ମୀ ଥିବାରୁ ସେମାନଙ୍କ ବିରୁଦ୍ଧରେ ପ୍ରଚାର ଆରମ୍ଭ ହେଲା ।

 

ମୌଲାନା ହୁସେନ୍‌ଙ୍କ ଜେହାଦ୍‌

 

‘‘ବିଧର୍ମୀ ଶାସକମାନଙ୍କ ଅଧୀନତା ସ୍ୱୀକାର କରିବା ମୁସଲମାନ ଧର୍ମର ବିରୋଧ’’ ବୋଲି ମୌଲାନା ପ୍ରଚାର କଲେ । ‘‘ମୁସଲମାନ ଧର୍ମ’’ର ମହତ୍ତ୍ୱ ରକ୍ଷା କରିବାକୁ ହେଲେ ଇଂରେଜ ଶାସନକୁ ଲୋପ କରିବା ସଙ୍ଗେ ସଙ୍ଗେ ଇଂରେଜମାନଙ୍କୁ ମଧ୍ୟ ଲୋପ କରିବା ଦରକାର, ଏହି କଥା ମଧ୍ୟେ ସେ ପ୍ରଚାର କଲେ ।

 

ସହର ଓ ମଫସଲ ବୁଲି ବୁଲି ମୌଲାନା ହୁସେନ ଖାଁ ଇଂରେଜମାନଙ୍କ ବିରୁଦ୍ଧରେ ମୁସଲମାନ ସମ୍ପ୍ରଦାୟ ଭିତରେ ପ୍ରଚାର କରିବାକୁ ଲାଗିଲେ । ଅବଶ୍ୟ ଏହା ଭିତରେ କଟକ ସହର ଓ ଦର୍ପଣୀରେ ମୁସଲମାନ ରାଜତ୍ୱ ପ୍ରତିଷ୍ଠା କରିବାହିଁ ତାଙ୍କର ଉଦ୍ଦେଶ୍ୟ ଥିଲା ।

 

ମୌଲାନାଙ୍କ ପ୍ରଚାର ଫଳରେ କଟକରେ ସରକାରୀ ଦପ୍ତରମାନଙ୍କରେ କାମ କରୁଥିବା କେତେକ ମୁସଲମାନ କର୍ମଚାରୀ ଉତ୍ତେଜିତ ହୋଇ ପଡ଼ିଥିବା ମଧ୍ୟ ଜଣାଯାଏ । ଓଡ଼ିଶା ପାଇକ କମ୍ପାନୀରେ ବହୁତ ମୁସଲମାନ ଚାକିରି କରୁଥିଲେ । ସେମାନଙ୍କୁ ମଧ୍ୟ ପ୍ରଭାବିତ କରିବା ପାଇଁ ମୌଲାନା ଚେଷ୍ଟା କରିଥିଲେ ।

 

ମୌଲାନା ହୁସେ୍‌ ଖାଁଙ୍କ ‘‘ଜେହାଦ୍‌’’ ରାଜା ଆକ୍‌ବର ଖାଁଙ୍କୁ ସୁହାଇଲା ।

 

ସେତେବେଳେ ଓଡ଼ିଶା ପାଇକ କମ୍ପାନୀରେ ସୁବେଦାର ଥାଆନ୍ତି ଜଣେ ମୁସଲମାନ, ତାଙ୍କ ନାମ ସଲାବତ୍‌ ଖାଁ । ତାଙ୍କୁ ମତାଇ ଦେଲେ ତାଙ୍କ ସାହାଯ୍ୟରେ ପାଇକ କମ୍ପାନୀରେ ଥିବା ମୁସଲମାନ ସିପାହୀମାନଙ୍କୁ ବିଦ୍ରୋହୀ କରିବାରେ ସୁବିଧା ହେବାର ସମ୍ଭାବନା ଦେଖି ତାଙ୍କ ସହିତ ସଂଯୋଗ ସ୍ଥାପନ କରିବାକୁ ମଧ୍ୟ ମୌଲାନା ହୁସେନ୍‌ ଚେଷ୍ଟା କରିଥିଲେ ।

 

କେବଳ ମୁସଲମାନ ସିପାହୀଙ୍କୁ ବିଦ୍ରୋହ କରିବା ପାଇଁ ମତାଇ ଦେଲେ ଚଳିବ ନାହିଁ, ଗୁଳାବାରୁଦ, ଅସ୍ତ୍ରଶସ୍ତ୍ର ଓ ଧନ ମଧ୍ୟ ଦରକାର । ସେଥିପାଇଁ ମୌଲାନା ସାହେବ ଅନ୍ୟ ଆଡ଼କୁ ଦୃଷ୍ଟି ଦେଲେ । ସହଜରେ ତାଙ୍କ ଦୃଷ୍ଟି ଅସନ୍ତୁଷ୍ଟ ଜମିଦାର ଦର୍ପଣୀର ରାଜା ଆକ୍‌ବରଖାଁଙ୍କ ଉପରେ ପଡ଼ିବା ସ୍ୱାଭାବିକ ।

 

ରାଜା ଆକ୍‌ବର ଖାଁ ନିୟମିତ ଭାବରେ ଖଜଣା ଦେଇ ନ ପାରି ବହୁତ ଥର ହଇରାଣ ହୋଇଛନ୍ତି । ଶାସକମାନଙ୍କ ବିରୁଦ୍ଧରେ ତାଙ୍କର ବିରକ୍ତି ଭାବ ରହିବା କିଛି ଅସ୍ୱାଭାବିକ ନୁହେ । ଯଦି ଖଜଣା ଦେବାରୁ ତ୍ରାହି ମିଳନ୍ତା ତାହାହେଲେ ସେ ନିଶ୍ଚିନ୍ତରେ ରହି ମଉଜମଜଲିସରେ କାଳଯାପନ କରନ୍ତେ, ଏହି କଳ୍ପନା ତାଙ୍କ ମନରେ ହୋଇଥିଲା । ଦର୍ପଣୀ ରାଜା ସ୍ୱାଧୀନ ହେବ, କଟକରେ ମୁସଲମାନ ରାଜତ୍ୱ ପ୍ରତିଷ୍ଠିତ ହେବ, ଏହି ଉଜ୍ଜ୍ୱଳ ଚିତ୍ର ଆକ୍‌ବରଖାଁଙ୍କ ଆଖି ଆଗରେ ଦେଖାଗଲା । ମୌଲାନା ହୁସେନ୍‌ଙ୍କ ଜେହାଦ୍‌ ତାଙ୍କ ଉତ୍ସାହକୁ ବହୁତ ଗୁଣରେ ବୃଦ୍ଧି କରିଦେଲା ।

 

ରାଜା ଆକ୍‌ବର ଖାଁ ପ୍ରକାଶ୍ୟ ଓ ଗୁପ୍ତ ଭାବରେ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବାରେ ଲାଗିଲେ-। ସରକାରୀ ଅସ୍ତ୍ରାଗାରରୁ ଅକାମୀ ଅସ୍ତ୍ରଶସ୍ତ୍ର କିଣି ଆଣି ପାଖରେ ରଖିଲେ । ବିଦେଶୀ ବେପାରୀଙ୍କ ଠାରୁ ମଧ୍ୟ କିଛି କିଣିଥିଲେ । ନିଜେ ତ ରାଜା ବୋଲାଉଥିଲେ । ନବାବ ଥାଟରେ ନିଜ ବରକନ୍ଦାଜମାନଙ୍କୁ ସଜେଇବାରେ ଲାଗିଲେ । ସରକାରୀ ସିପାହୀମାନଙ୍କ ଭଳି ପୋଷାକ ସେମାନଙ୍କୁ ପିନ୍ଧାଇଲେ । ସିପାହୀଙ୍କ ଭଳି କୁଚ୍‌କବାଜ୍‌ କରାଇଲେ । ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ‘‘ସୈନ୍ୟ ସଂଗଠନ’’ କରିବାରେ ଆକ୍‌ବର ଲାଗି ପଡ଼ିଲେ ।

 

କଟକ ଲୁଣ୍ଠନ ଇଂରେଜ ହତ୍ୟାର ଲକ୍ଷ୍ୟ

 

କଟକ ସହରରେ ୧୮୩୦ ର ପ୍ରଥମ ପାଦରେ ଏମାନଙ୍କ ଭିତରେ କେତେଥର କୁଆଡ଼େ ମନ୍ତ୍ରଣା ହୋଇସାରି ଏକ ଷଡ଼ଯନ୍ତ୍ରର ସୂତ୍ରପାତ ହୋଇଥିଲା । ମୌଲାନା ହୁସେନ୍‌ ଖାଁ ସଲାବତ୍‌ ଖାଁଙ୍କ ଗୁପ୍ତ ସାହାଯ୍ୟରେ ପାଇକ କମ୍ପାନୀ ଭିତରେ ଥିବା ମୁସଲମାନ ସିପାହୀମାନଙ୍କୁ ବିଦ୍ରୋହ କରିବାପାଇଁ ମତାଇବା କଥା ଆଶଙ୍କା କରାଯାଇଥିଲା

 

ଏହି ବିଦ୍ରୋହୀ ସିପାହୀମାନଙ୍କ ସାହାଯ୍ୟରେ କଟକ ସହରର ବଡ଼ ଜମିଦାର ଓ ମହାଜନମାନଙ୍କ ଘର ଓ ବଜାର ହଠାତ୍‌ ଆକ୍ରମଣ କରି ଲୁଣ୍ଠନ କରିବା ଓ ସବୁ ଶ୍ରେଣୀର ଇଂରେଜମାନଙ୍କୁ ହତ୍ୟା କରିବା ଷଡ଼ଯନ୍ତ୍ର ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା ବୋଲି ସରକାରୀ ମହଲରେ ବିଶ୍ୱାସ କରାଯାଇଥିଲା ।

 

ଜିଲା ସରକାରୀ ହାକିମଙ୍କ ମତିଗତି

 

କଟକଜିଲାର କଲେକ୍‌ଟରଙ୍କ ମନରେ ରାଜା ଆକ୍‌ବର ହୋସେନ୍‌ଙ୍କ କାର୍ଯ୍ୟକଳାପ ସମ୍ବନ୍ଧରେ ଘୋର ସନ୍ଦେହ ଜନ୍ମିଲା । ସେ ଜଣେ ତହସିଲଦାରଙ୍କୁ ପଠାଇ ଦର୍ପଣ ଅବସ୍ଥା ତଦନ୍ତ କରାଇଲେ । ମୌଲାନା ହୁସେନ୍‌ ଖାଁ, ସୁବାଦାର ସଲାବତ୍‌ ଖାଁ ଏବଂ ରାଜା ଆକ୍‌ବର ଖାଁଙ୍କ ଭିତରେ ଯୋଗାଯୋଗ ଥିବା କଥା ସେ ନିର୍ଭରଭାବରେ ଜଣାଇଲେ ।

 

ମାଜିଷ୍ଟ୍ରେଟ୍‌ ଏହି ଖବର ପାଇବା ମାତ୍ରେ ଆକ୍‌ବର ଖାଁଙ୍କୁ ଡକାଇ ଅଣାଇଲେ । ତାଙ୍କ କଥାରୁ ଓ କୈଫିୟତରୁ ଜିଲା ହାକିମ ବୁଝିଲେ ଯେ, ଆକ୍‌ବର ଖାଁ ଯେତେ ସାଦାସିଧା ବୋଲି କହି ହେଉଛନ୍ତି ସେତେ ନୁହନ୍ତି । ବେଳହୁଁ ହୁସିଆର ନ ହେଲେ ଭେଳା ବୁଡ଼ିବ, ଏହି କଥା ସହର ହାକିମ କମିଶନରଙ୍କ ଜରିଆରେ ସାହେବଙ୍କୁ ଜଣାଇଲେ ।

 

କମିଶନରଙ୍କ ନିର୍ଭୟ ମନୋଭାବ

 

କମିଶନର ଜି. ଷ୍ଟକ୍‌ଉଏଲ୍‌ ସାହେବ ଏ ବିଷୟରେ ଟିକିଏ ହେଲେ ବିଚଳିତ ହେଲେ ନାହିଁ । ସେ କହିଲେ ଯେ ଆକ୍‌ବର ହୁସେନ୍‌ଙ୍କ ବିଦ୍ରୋହ କରିବାର କାରଣ ନାହିଁ । କାରଣ ତାଙ୍କର ଜମିଦାରୀ ଚିରସ୍ଥାୟୀ ବନ୍ଦୋବସ୍ତ ହୋଇଥିବାରୁ ତାଙ୍କର ଜମା କମିବାର କିଛି ଆଶଙ୍କା ନାହିଁ, ବିଶେଷତଃ ବିଦ୍ରୋହ କଲେ ଜମିଦାରୀ ଖାସ ହେବ ଏହି କଥା ମଧ୍ୟ ରାଜା ନିଶ୍ଚୟ ଜାଣିଥିବେ । ଜାଣି ଜାଣି ରାଜା ବିଦ୍ରୋହଭଳି ଏତେବଡ଼ ଗୁରୁଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେବେ, ଏହି ବିଶ୍ୱାସ ସାହେବଙ୍କର ନ ଥିଲା । ଯୋଉ ‘‘ସୈନ୍ୟ ସଂଗଠନ’’ର ଆଶଙ୍କା କରାଯାଉଥିଲା ତାହା କିଛି ନୁହେଁ ବୋଲି ସାହେବ ଉଡ଼େଇ ଦେଲେ । ରାଜା ବଣଜଙ୍ଗଲକୁ ଶିକାର କରିବାକୁ ଗଲେ ଶହ ଶହ ଲୋକଙ୍କୁ ସାଙ୍ଗରେ ନିଅନ୍ତି । ଏମାନେ ନାନାରକମର ଅସ୍ତ୍ରଶସ୍ତ୍ର ଧରି ଖେଦା କାମରେ ଲାଗୁଥିଲେ । କେବଳ ଖେଦା କାମ ପାଇଁ ହାତ ହତିଆର ବ୍ୟବହରା କରାଯାଉଥିଲା । ପୋଷାକପତ୍ର, ଚାଲ ଚଳଣିରେ ସିପାହୀ ମନୋବୃତ୍ତି ପ୍ରକାଶ ପାଇଥିବା କଥାକୁ ସେ ବୁଝେଇଲେ ଯେ ଏଠାର ଲୋକେ ବାଟ ଦେଖାଇବା ପାଇଁ ରାଜକୀୟ ଢଙ୍ଗଢାଙ୍ଗର ହୀନ ଅନୁକରଣ କରିଥାଆନ୍ତି ଏବଂ ଏହି ରୋଗର ଆକ୍ରମଣରୁ ଆକ୍‌ବର ଖାଁ ମୁକ୍ତ ନୁହନ୍ତି । ବିଶେଷତଃ ପ୍ରକାଶ୍ୟ ଭାବରେ ନିଲାମ ଡାକି ଅକାମୀ ହାତହତିଆର ରାଜା ଆଣିଥିବାରୁ ସେହି ଜିନିସଗୁଡ଼ିକ ବିଦ୍ରୋହରେ ବ୍ୟବହାର ହେବା ପାଇଁ ରଖା ଯାଇଛି ବୋଲି ଭାବିବା ଠିକ୍‌ ନୁହେଁ ।

 

ସେ ପୁଣି କହିଲେ, ପାଇକ କମ୍ପାନୀର ସଲାବତ୍‌ ଖାଁ ବିଦ୍ରୋହ କରିବା ପାଇଁ ମୁସଲମାନ ସିପାହୀମାନଙ୍କୁ ମତାଉଛି ବୋଲି ସନ୍ଦେହ କରିବା ମଧ୍ୟ ଉଚିତ ନୁହେଁ । କାରଣ ଏଥିରେ ସେ କେବେ କୃତକାର୍ଯ୍ୟ ହୋଇ ପାରିବେ ନାହିଁ । ହେଲେ ସର୍ବନାଶ ହେବ, ଏହି ଭୟ ମଧ୍ୟ ସେମାନଙ୍କର ଅଛି ।

 

ଏହିସବୁ କାରଣରୁ ଅତି ତରତର ହୋଇ ଟାଣୁଆ ପ୍ରତିଷେଧକ ବ୍ୟବସ୍ଥା କରିବା ସପକ୍ଷରେ କମିଶନରଙ୍କ ମତ ନ ଥିଲା ।

 

ସରକାରୀ ପ୍ରତିଷେଧକ ବ୍ୟବସ୍ଥା

 

ସରକାର କିନ୍ତୁ ନିଶ୍ଚିନ୍ତ ହୋଇ ରହି ପାରିଲେ ନାହିଁ । ରାଜା ଆକ୍‌ବରଖାଁଙ୍କୁ ବାରମ୍ବାର ଧମକ ଦେଲେ । ଏହା ଫଳରେ ହାତହତିଆର ସବୁ କୁଆଡ଼େ ଗଲା । ପାଇକଙ୍କ ‘ସିପାହୀ ପୋଷାକ’ ଓ ‘କୁଚ୍‌କାଓ୍ୱାଜ’ ବନ୍ଦ ହେଲା । ମୌଲାନା ହୁସେନ୍‌ ଖାଁ ଆକ୍‌ବରଙ୍କଠାରୁ ଉପଯୁକ୍ତ ସାହାସ୍ୟ ନ ପାଇ ନିରସ୍ତ ହେଲେ । ସୁବେଦାର ସଲାବତ୍‌ ଖାଁ ସବୁ ଅଭିଯୋଗକୁ ଅସ୍ୱୀକାର କରି ନିରାପଦରେ ରହିବାକୁ ଚେଷ୍ଟା କଲେ ।

 

ଏହା ସତ୍ତ୍ୱେ ଇଂରେଜ ଶାସକମାନଙ୍କ ମନରୁ ସନ୍ଦେହ ଦୂର ହେଲା ନାହିଁ । ରାଜା ଆକବରଙ୍କୁ କାବୁ କରିବା ପାଇଁ ସୁଯୋଗ ସୁବିଧା ଖୋଜା ହେଲା । ତାଙ୍କର ଖଜଣା ଦାଖଲରେ ଡେରି କରିବା ସ୍ୱଭାବଟି ତାଙ୍କର କାଳ ହେଲା । ୧୮୪୩ ରେ ଖଜଣା ବାକି ପଡ଼ିବାରୁ ଜମିଦାରୀ ନିଲାମ ଉଠିଲା ଏବଂ କାଶ୍ମୀର ପଣ୍ଡିତଙ୍କ ହାତକୁ ଚାଲିଗଲା ।

Image

 

Unknown

କୁଜଙ୍ଗରାଜା–ଇଂରେଜ ସଂଘର୍ଷ

 

କୁଜଙ୍ଗରାଜାଗାଦୀ ହରାଇଲେ

 

୧୮୦୩ ଖ୍ରୀଷ୍ଟାବ୍ଦ ଅକ୍‌ଟୋବର ୧୪ ତାରିଖରେ କଟକର ବାରବାଟୀ ଦୁର୍ଗକୁ ଇଂରେଜମାନେ ଦଖଲ କରି ସାରିଲା ପରେ ଓଡ଼ିଶା ଜୟ ପ୍ରାୟ ଶେଷ ହୋଇ ଯାଇଥିଲା କହିଲେ ଚଳେ । ସଂଗଠିତ ଭାବରେ ଇଂରେଜମାନଙ୍କ ଗତିକୁ ରୋଧ କରିବା ଭଳି ଶକ୍ତି ଆଉ ଲୋକଙ୍କର ନଥିଲା । ମରହଟ୍ଟାମାନେ ଓଡ଼ିଶାର ଉପକୂଳ ଅଞ୍ଚଳରୁ ହଟିଯାଇ ପଶ୍ଚିମ ଗଡ଼ଜାତ ଅଞ୍ଚଳର ଜଙ୍ଗଲ ଭିତରେ ପଶି ନାଗପୁର ଆଡ଼କୁ ଚାଲିଲେ । ବଡ଼ମୂଳ ଘାଟୀ ପାଖରେ ମରହଟ୍ଟା ସୈନ୍ୟ ଆଶ୍ରୟ ନେଇଥିଲେ । ସେ ସ୍ଥାନରୁ ସେମାନଙ୍କୁ ତଡ଼ିବା ଉଦ୍ଦେଶ୍ୟରେ ମେଜର ଫୋର୍‌ ବସ ନିଜ ଅଧୀନରେ ସୈନ୍ୟବାହିନୀକୁ ଧରି ଅଗ୍ରସର ହେଲେ ।

 

କୁଜଙ୍ଗ ବିରୁଦ୍ଧରେ ପ୍ରଥମ ଅଭିଯାନ

 

ଦଳେ ସୈନ୍ୟଙ୍କୁ ଧରି କର୍ଣ୍ଣେଲ ହାର୍କୋଟ ପଟାମୁଣ୍ଡେଇ ବାଟେ କନିକା ଓ କୁଜଙ୍ଗ ଆଡ଼କୁ ଅଗ୍ରସର ହେଲେ । ସେତେବେଳେ ଶୁଣାଯାଉଥିଲା ଯେ, କୁଜଙ୍ଗ ରାଜା ଖୋରଧା ରାଜାଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କନିକା ରାଜା ଓ ହରିଶପୁର ରାଜଙ୍କ ସହିତ ମନ୍ତ୍ରଣା କରି ଇଂରେଜମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି । ଏଥିପାଇଁ ବିଭିନ୍ନ ସ୍ଥାନରେ ଯେଉଁସବୁ ଗଡ଼ ଅଛି, ସେଗୁଡ଼ିକୁ ଯୁଦ୍ଧୋପଯୋଗୀ କରୁଛନ୍ତି । କର୍ଣ୍ଣେଲ ହାର୍କୋଟ ରାଜା ଓ ଲୋକଙ୍କୁ ଭୟଭୀତ କରାଇ ଦେବା ପାଇଁ ପ୍ରଥମେ କୁଚ୍‌କାଓ୍ୱାଜ ଆରମ୍ଭ କରିଦେଲେ । କୁଜଙ୍ଗ ରାଜା ବୀରଭଦ୍ର ଷେଣ୍ଢ ଭୟ ପାଇ ଯାଇ ଇଂରେଜଙ୍କ ସହିତ ଚୁକ୍ତି କରିବା ଉଦ୍ଦେଶ୍ୟରେ ତାଙ୍କର ମନୋଭାବ ଇଂରେଜ ଶାସକମାନଙ୍କୁ ଜଣାଇଲେ । ଏକ ଚୁକ୍ତି ସମ୍ପାଦିତ ହେଲା । କୁଜଙ୍ଗ ରାଜା ଇଂରେଜ ଶାସନର ଅଧୀନତା ସ୍ୱୀକାର କରି ନିଜ ରାଜ୍ୟ ଭିତରେ ଯେପରି ଅଶାନ୍ତି ନ ରହେ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଲେ ।

 

ବୀରଭଦ୍ରଙ୍କ ପରେ ଗଙ୍ଗାଧର ରାଜା ହେଲେ

 

ରାଜା ବୀରଭଦ୍ରଙ୍କୁ କୁଜଙ୍ଗ ଗାଦିରେ ନ ରଖାଇବା ପାଇଁ ତାଙ୍କ ନିଜ ବଂଶର କେତେ ଜଣ ଲୋକ ଦେଓ୍ୟାନଙ୍କ ପରାମର୍ଶରେ ଷଡ଼ଯନ୍ତ୍ର କଲେ । ବୀରଭଦ୍ରଙ୍କୁ ବିଷ ଦେଇ ମାରି ଦିଆଗଲା-। ଦେଓ୍ୟାନ ନିଜେ ବିଷ ଦେଇ ରାଜାଙ୍କୁ ମାରିଦେଲେ ବୋଲି ଚାରିଆଡ଼େ ଖବର ପ୍ରଚାରିତ ହେଲା-। ଦେଓ୍ୟାନ ନିଜେ କୁଜଙ୍ଗ ଗାଦି ପାଇବା ପାଇଁ କୁଆଡ଼େ ଯତ୍ନ କରୁଥିଲେ; କିନ୍ତୁ ତାଙ୍କର ଚେଷ୍ଟା ବିଫଳ ହେଲା ।

 

ବୀରଭଦ୍ରଙ୍କ ଭାଇ ଗଙ୍ଗାଧର ଅନ୍ୟମାନଙ୍କ ସାହାଯ୍ୟରେ ଗାଦି ଦଖଲ କରି ନେଲେ । ଗଙ୍ଗାଧର କୁଜଙ୍ଗ ସିଂହାସନ ଆରୋହଣ କରିବା ପରେ ଟିକିଏ ସ୍ୱାଧୀନ ମନୋଭାବ ଦେଖାଇବା ଅଭିଯୋଗ କଟକର କମିଶନରଙ୍କ କାନକୁ ଆସିଲା । କୁଜଙ୍ଗ ଜମିଦାରୀରେ ମଧ୍ୟ ଗଙ୍ଗାଧରଙ୍କ ବିପକ୍ଷରେ ଥିବା ତାଙ୍କ ନିଜ ଭାଇମାନେ ଅଶାନ୍ତି ସୃଷ୍ଟି କରିବା ପାଇଁ ଚେଷ୍ଟା କଲେ । କଟକ କମିଶନରମାନଙ୍କୁ (ମେଲଭିଲ ଓ ହାର୍କୋଟ) ଆପତ୍ତି ଜଣାଇଲେ । ଗଙ୍ଗାଧର ମଧ୍ୟ ବିପକ୍ଷ ଦଳର ଉଦ୍ୟମ ଜାଣିପାରି ତାଙ୍କୁ କୁଜଙ୍ଗର ରାଜା ରୂପେ ସ୍ୱୀକାର କରିବା ପାଇଁ କମିଶନରମାନଙ୍କଠାରେ ଦରଖାସ୍ତ କଲେ ।

 

କୁଜଙ୍ଗ ବିରୁଦ୍ଧରେ ଦ୍ୱିତୀୟ ଅଭିଯାନ

 

ଗଙ୍ଗାଧର ଓ ତାଙ୍କ ବିପକ୍ଷଦଳ ଭିତରେ ବରାବର ଗଣ୍ଡଗୋଳ ଲାଗି ରହିବାରୁ କମିଶନରମାନଙ୍କ ମଧ୍ୟରୁ କର୍ଣ୍ଣେଲ ହାର୍କୋଟ ଫର୍ଟେସଙ୍କ ସହିତ ୧୮୦୫ ମସିହା ଫେବୃୟାରୀ ମାସରେ ପୁଣି କୁଜଙ୍ଗରେ ପହଞ୍ଚିଲେ । ସେଠାରେ ପହଞ୍ଚି କୁଜଙ୍ଗ ରାଜାଙ୍କ ମତିଗତି ଲକ୍ଷ୍ୟ କରିବା ପାଇଁ ବିଭିନ୍ନ ଉପାୟରେ ଖବର ସଂଗ୍ରହ କରିବାରେ ଲାଗିଲେ । କୁଜଙ୍ଗରେ ଯେଉଁ ସବୁ ଦୁର୍ଗ ରହିଛି, ସେଗୁଡ଼ିକ କାର୍ଯ୍ୟୋପଯୋଗୀ କି ନୁହେଁ, ଯୁଦ୍ଧ ଲାଗିଲେ ରାଜା କେତେ ସୈନ୍ୟ ସଂଗ୍ରହ କରିପାରିବେ, ସେ ଦିଗରେ ମଧ୍ୟ ତଦନ୍ତ ଚଳାଇଲେ ।

 

ରାଜା ନଜରବନ୍ଦୀ ?

 

କର୍ଣ୍ଣେଲ ହାର୍କୋଟ କୁଜଙ୍ଗରେ ପହଞ୍ଚିବା ପରେ ଗଙ୍ଗାଧର ନିଜ ଦେବାନ ଓ ଅନ୍ୟାନ୍ୟ ପରାର୍ଶଦାତାମାନଙ୍କୁ ଧରି ଇଂରେଜ ଛାଉଣିକୁ ଗଲେ । ସେଠାରେ ରାଜାଙ୍କୁ ସ୍ୱୀକାର କରିବା ପ୍ରଶ୍ନ ଉଠିଲା । ହାର୍କୋଟ ସାହେବ ରାଜାଙ୍କୁ ଦେଖା ନ ଦେଇ ତାଙ୍କ ତଳିଆ କର୍ମଚାରୀ ଫର୍ଟେସଙ୍କ ସହିତ ଆଲୋଚନା ଚଳେଇବା ପାଇଁ ରାଜାଙ୍କୁ ଆଦେଶ ଦେଲେ ।

 

ପୁଣି ସେଠାରେ ଛାଉଣି ପଡ଼ିଥିବା ପର୍ଯ୍ୟନ୍ତ ରାଜାଙ୍କୁ ଛାଉଣି ଭିତରେ ରହିବା ପାଇଁ ନିର୍ଦ୍ଦେଶ ଦିଆଗଲା । ଛାଉଣି ଭିତରେ ଏକପ୍ରକାର ନଜରବନ୍ଦୀ ସ୍ୱରୂପ ରାଜାଙ୍କୁ ରଖାଯାଇଥିଲା । ଦିନବେଳେ ଟିକିଏ ମନଇଚ୍ଛା ବୁଲଚାଲ କରିବା ପାଇଁ ସୁବିଧା ଦିଆଯାଉଥିଲେ ମଧ୍ୟ ରାତିରେ ତାଙ୍କୁ ଅନ୍ୟତ୍ର ଯିବାପାଇଁ ସୁବିଧା ଦିଆଯାଉ ନ ଥିଲା । ଇଂରେଜ ସୈନ୍ୟମାନେ କେଉଁ ବାଟେ କୁଆଡ଼େ ଗଲେ ତାହା ମଧ୍ୟ ତାଙ୍କର ଜାଣିବାର ଉପାୟ ନ ଥିଲା । ଫେବୃୟାରୀ ପହିଲା ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ରାଜା ଗଙ୍ଗାଧର ଏହିପରି ଭାବରେ ଇଂରେଜ ଛାଉଣିରେ ରହିଲେ । କିନ୍ତୁ ଏ ଛଅଦିନ ଭିତରେ ମଧ୍ୟ ହାର୍କୋଟ ତାଙ୍କୁ ଥରେ ହେଲେ ଦେଖାଦେଇ ନ ଥିଲେ ।

 

କର୍ଣ୍ଣେଲ ହାର୍କୋଟ ଭାବିଲେ, ଯଦି ଗଙ୍ଗାଧରଙ୍କ ସହିତ ଦେଖାସାକ୍ଷାତ ହୁଏ, ତାହା ହେଲେ କୁଜଙ୍ଗ ଅଞ୍ଚଳର ଲୋକଙ୍କ ମନରେ ଧାରଣା ହେବ ଯେ, ଗଙ୍ଗାଧରଙ୍କୁ ଇଂରେଜମାନେ ରାଜା ବୋଲି ସ୍ୱୀକାର କରିନେଲେ । ଏହି ଧାରଣାଦ୍ୱାରା ଜମିଦାରୀରେ ବେଶି ଅଶାନ୍ତି ହେବାର ଆଶଙ୍କା କରି ହାର୍କୋଟ ଟିକିଏ ସାବଧାନତା ଅବଲମ୍ବନ କଲେ ।

 

ଇଂରେଜମାନଙ୍କ ଛାଉଣିରେ ଯେଉଁ ଛଅଦିନ ରାଜା ଗଙ୍ଗାଧର ପ୍ରାୟ ନଜରବନ୍ଦୀ ସ୍ୱରୂପ ରହିଲେ, ସେ ଭିତରେ ହାର୍କୋଟ ରାଜାଙ୍କ ସମ୍ବନ୍ଧରେ କେତେକ ତଥ୍ୟ ସଂଗ୍ରହ କଲେ । ସେ ଖୋର୍ଦ୍ଧାରାଜାଙ୍କ ସହିତ ମେଳ ବାନ୍ଧି ଅଶାନ୍ତି ସୃଷ୍ଟି କରିବାରେ ସମର୍ଥ କି ନୁହନ୍ତି ଏହି ବିଷୟ ସାହେବଙ୍କୁ ଚିନ୍ତିତ କରୁଥିଲା । କୁଜଙ୍ଗ ଜମିଦାରୀ ଭିତରେ ଇଂରେଜପକ୍ଷ ସୈନ୍ୟଙ୍କ ପାଇଁ ରସଦ ସଂଗ୍ରହରେ ରାଜା ସେତେ ଉତ୍ସାହୀ ନ ଥିବାର ଆଭାସ ସାହେବ ପାଇଥିଲେ । ଅଧିକ ମୂଲ୍ୟ ଆଶାରେ ଲୋକେ ମୁଗ, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ବିକ୍ରୟ କରିବା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ରାଜାଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅଭାବରେ ଭୟରେ ସେମାନେ ଜିନିସ ବିକ୍ରି କରି ପାରୁ ନ ଥିଲେ । ଯଦି ଗଙ୍ଗାଧରଙ୍କୁ ରାଜା ବୋଲି ସ୍ୱୀକାର କରାଯାଏ, ତାହାହେଲେ ଯେଉଁ ଲୋକେ ଇଂରେଜମାନଙ୍କୁ ସାହାଯ୍ୟ କରିଛନ୍ତି ସେମାନଙ୍କ ଉପରେ ରାଜା ପରେ ଅତ୍ୟାଚାର କରି ପାରନ୍ତି-ଏହି ଆଶଙ୍କା ମଧ୍ୟ ସାହେବଙ୍କ ମନରେ ଉଦୟ ହେଲା । ଛଅଦିନ କାଳ ତଦନ୍ତ କରି ସାହେବ ଜାଣିପାରିଲେ ଯେ, ଅଶାନ୍ତି ସୃଷ୍ଟି କରିବା କ୍ଷମତା ଗଙ୍ଗାଧରଙ୍କର ନାହିଁ ।

 

ରାଜାଙ୍କ ଅନ୍ତର୍ଦ୍ଧାନ

 

ଛଅତାରିଖ ଦିନ ସାହେବ ଏକ ଚୁକ୍ତିର ଖସଡ଼ା ତିଆରି କରି ରାଜାଙ୍କ ଦେବାନଙ୍କୁ ଡକାଇ ସର୍ତ୍ତଗୁଡ଼ିକ ଜଣେଇ ଦେଲେ । ପୂର୍ବରାଜା ଯେଉଁ ଚୁକ୍ତି ସମ୍ପାଦନ କରିଥିଲେ, ତାହା ସହିତ ଆଉ ତିନୋଟି ନୂତନ ସର୍ତ୍ତ ଯୋଗ କରାଯାଇ ଖସଡ଼ା ତିଆରି ହୋଇଥିଲା । ପ୍ରଥମେ, ମୋଗଲବନ୍ଦୀରେ ଲୁଣ ତିଆରି ଓ ଆମଦାନୀ ରପ୍ତାନୀ ସମ୍ପର୍କରେ ଯେଉଁ ସବୁ ନିୟମ ପ୍ରଚଳିତ ହୋଇଅଛି, ତାହାସବୁ କୁଜଙ୍ଗରେ ଚାଲୁ ହେବ । ଦ୍ୱିତୀୟରେ, କୁଜଙ୍ଗର ଉପକୂଳରେ ଯେଉଁ ସବୁ ଜାହାଜ ଭାଙ୍ଗିଯିବ, ସେଥିରେ ଥିବା ଦ୍ରବ୍ୟର ରକ୍ଷଣାବେକ୍ଷଣ ପାଇଁ ରାଜା ଦାୟୀ ରହିବେ । ତୃତୀୟରେ, ଇଂରେଜ ସରକାର ଯେଉଁ ସବୁ ଆଦେଶ ଦେବେ, ତାକୁ ରାଜା ମାନି ଚଳିବେ । ଏଥିରେ ରାଜାଙ୍କ ଦେବାନ ଓ ପରାମର୍ଶଦାତାମାନେ ରାଜି ହେବାରୁ ୭ ତାରିଖ ଦିନ ଚୁକ୍ତି ସ୍ୱାକ୍ଷରିତ ହେବା ସ୍ଥିର ହେଲା ଏବଂ ପକ୍‌କା ଖସଡ଼ା ମଧ୍ୟ ତିଆରି ହୋଇ କେବଳ ଦସ୍ତଖତ କରିବା ବାକି ରହିଲା । ରାତି ପାହିଲେ ‘‘ରାମ ରାଜା ହେବେ ।’’

 

୬ ତାରିଖ ସନ୍ଧ୍ୟାରେ ହାର୍କୋଟ ମହାନଦୀର ଦକ୍ଷିଣ ପାର୍ଶ୍ୱରୁ ଛାଉଣି ଉଠାଇ ଉତ୍ତର ପାର୍ଶ୍ୱକୁ ଗଲେ ।

 

ଏ ଭିତରେ ‘‘ମନ୍ଥରା’’ ମନ୍ତ୍ରଣା ଗଙ୍ଗାଧରଙ୍କ ଉପରେ ପ୍ରଭାବ ପକାଇଲ । ସେ ଭାବିଲେ, ସାହେବ କେବଳ କୌଶଳ କରି ତାଙ୍କୁ ବନ୍ଦୀ କରିବାପାଇଁ ଯତ୍ନ କରୁଛି; ତାଙ୍କୁ ରାଜା ବୋଲି ସ୍ୱୀକାର କରିବା ମତଲବ ତାଙ୍କର ନାହିଁ । ଦେବାନ କି ପରାମର୍ଶଦାତା, କାହାକୁ କିଛି ନ କହି ରାଜା ଗଙ୍ଗାଧର ଘୋଡ଼ା ଚଢ଼ି ରାତାରାତି ଛାଉଣି ଛାଡ଼ି କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ । ରାତିରେ ସାହେବ ଏ ଖବର ପାଇ ବିସ୍ମିତ ହେଲେ ।

 

ପୂର୍ବ ରାଜାଙ୍କୁ ଦେବାନ ବିଷ ଦେଇ ମାରିଦେବା ପରେ ଗଙ୍ଗାଧର ଜବରଦସ୍ତି ଗାଦୀ ମାଡ଼ି ବସିଥିଲେ । ଦେବାନ ଓ ଅନ୍ୟାନ୍ୟ ଲୋକେ ଗଙ୍ଗାଧରଙ୍କୁ ନିଜ ହାତମୁଠାରେ ରଖିହେବ ବୋଲି ଭାବି ତାଙ୍କୁ ଗାଦୀ ଅଧିକାର କରିବାରେ ସାହାଯ୍ୟ କରିଥିଲେ । ଗଙ୍ଗାଧର ଗାଦୀରେ ବସିବା ସଙ୍ଗେ ସଙ୍ଗେ ନିଜେ ବଡ଼ ଭାଇଙ୍କୁ ପାରାଦ୍ୱୀପରେ ଥିବା ଗଡ଼ ଭିତରେ ବନ୍ଦୀ କରି ରଖିଦେଲେ । ତାଙ୍କ ସ୍ୱର ଗଡ଼ବାହାରକୁ ଶୁଭିବାର ଉପାୟ ନ ଥିଲା । କିନ୍ତୁ ପ୍ରକୃତରେ ସେ ଗାଦୀ ପାଇବା ଉଚିତ ଥିଲା । କମିସନର ଏହା ଜାଣି ପାରିଲେ ତାଙ୍କ ଅବସ୍ଥା ଶୋଚନୀୟ ହେବ ଭାବି ଗଦାଧର ଅନ୍ତର୍ଦ୍ଧାନ ହେଲେ ।

 

ଏ ରହସ୍ୟ ଉଦ୍‌ଘାଟିତ ହେବା ପରେ କମିସନର ଗଙ୍ଗାଧରଙ୍କ ବଡ଼ ଭାଇଙ୍କୁ ଗଡ଼ ଭିତରୁ ମୁକୁଳାଇ ଆଣି କୁଜଙ୍ଗ ରାଜଗାଦୀରେ ବସେଇଲେ ।

 

ଗଙ୍ଗାଧର ଅଜ୍ଞାତ ବନବାସରୁ ସ୍ୱକୁଟୁମ୍ବ ପରିପୋଷଣ ପାଇଁ ଇଂରେଜମାନଙ୍କଠାକୁ ଶରଣପତ୍ର ଲେଖି ପଠାଇଲେ । ନୂତନ ରାଜାଙ୍କ ଅନୁଗତ ରହିବେ ବୋଲି ପ୍ରତିଶ୍ରୁତି ଦେବାରୁ ସାହେବ ରାଜାଙ୍କୁ ବୁଝେଇ ଗଙ୍ଗାଧରଙ୍କ ପରିବାର ରକ୍ଷଣାବେକ୍ଷଣ ପାଇଁ କୁଜଙ୍ଗ ଜମିଦାରୀରୁ କିଛି ବୃତ୍ତି ଖଞ୍ଜିଦେଲେ ।

 

କୁଜଙ୍ଗର ବିଭିନ୍ନ ଗଡ଼ରେ କେତେକ ତୋପ ଥିଲା । ସେ ଗୁଡ଼ିକୁ ବାହାର କରି ଆଣି ସାହେବ ନିଜ ଛାଉଣିରେ ରଖିଲେ । ଏହି ତୋପଗୁଡ଼ିକୁ କୁଆଡ଼େ ପୂର୍ବ ରାଜାମାନେ ଗଞ୍ଜାମ ଅଞ୍ଚଳରୁ ଫ୍ରେଞ୍ଚ ଓ ଡଚ୍‌ମାନଙ୍କଠାରୁ କିଣି ଲୁଚେଇ ରଖିଥିଲେ । (ଅଫିସ କାଗଜପତ୍ରମାନଙ୍କରେ ବଳଭଦ୍ର, ଗଙ୍ଗାଧର, ଚତୁର୍ଭୁଜଙ୍କ ନାମ କ୍ରମରେ ବିଭ୍ରାଟ ଦେଖାଯାଏ ।)

Image

 

କଟକର ନଈବନ୍ଧ

 

କଟକ ସହର କେବେ ସ୍ଥାପିତ ହୋଇଥିଲା ତାହା ନିର୍ଦ୍ଧିଷ୍ଟ ଭାବରେ କୁହାଯିବା ସମ୍ଭବ ନ ହେଲେ ମଧ୍ୟ ଓଡ଼ିଶାର କେଶରୀ ରାଜାମାନଙ୍କ ସମୟରେ ଏହାର ସୂତ୍ରପାତ ହୋଇଥିବା ଅନୁମାନ କରାଯାଇ ପାରେ । ବର୍ତ୍ତମାନ କଟକ ସହରକୁ ଲାଗି ପଶ୍ଚିମ ଅଂଶରେ ଯେଉଁ ବିଡ଼ାନାସୀ ଗ୍ରାମଟି ଅଛି, ପୂର୍ବେ ସେଠାରେ ଗଡ଼ ଥିଲା ଏବଂ ଓଡ଼ିଶା ରାଜାଙ୍କର ଏହା କେତେକାଳ ରାଜଧାନୀ ଥିଲା ଏବଂ ସେହି ଗଡ଼ର ନାମ ଅନୁସାରେ କଟକ ସହର ଅଞ୍ଚଳଟି ବିଡ଼ାନାସୀ କଟକ ବୋଲି ପରିଚିତ ହେଉଥିଲା । ମହାନଦୀରୁ କାଠଯୋଡ଼ି ଯେଉଁ ସ୍ଥାନରୁ ବାହାରିଛି, ଠିକ୍‌ ତା ତଳକୁ ଏକ ତ୍ରିକୋଶବିଶିଷ୍ଟ ସତମଳ କ୍ଷେତ୍ର ଉପରେ ବିଡ଼ାନାସୀ ରହିଛି । ଏହାର ଦକ୍ଷିଣ ଓ ଉତ୍ତର ଦିଗକୁ ନଦୀର ଅପର ପାରରେ ଦୁଇଟି ଦୁର୍ଗ ଅଛି-ମହାନଦୀର ଉତ୍ତର କୂଳରେ ଚଉଦ୍ୱାର ଗଡ଼ ଓ କାଠଯୋଡ଼ିର ଦକ୍ଷିଣ ପଟରେ ଶାରଙ୍ଗଗଡ଼ । ଏହି ଦୁଇଟି ଗଡ଼ ବିଡ଼ାନାସୀ-କଟକକୁ ଶତ୍ରୁ ଆକ୍ରମଣରୁ ରକ୍ଷା କରୁଥିଲା । କଟକର ପ୍ରାଧାନ୍ୟ ଅନୁପାତରେ ତାର ସୁରକ୍ଷା ପାଇଁ ଉତ୍କଳର ଶାସକମାନେ ବହୁତ ଚେଷ୍ଟା କରିଥିବା ଜଣାଯାଏ ।

 

ଉତ୍ତରରେ ଓ ପଶ୍ଚିମରେ ମହାନଦୀ ଏବଂ ଦକ୍ଷିଣରେ କାଠଯୋଡ଼ି କଟକ ସହରକୁ ବେଢ଼ି ରହିଛି । କାଠଯୋଡ଼ି ମହାନଦୀ ଭିତରେ ସହରଟି ରହିଥିବା ଯୋଗୁଁ ଏହି ନଦୀମାନଙ୍କଦ୍ୱାରା ସହରର ବେଶି କ୍ଷତି ହେବା ଆଶଙ୍କା କରାଯିବା ସ୍ୱାଭାବିକ । କଟକ ସିଧା ମହାନଦୀର ଉତ୍ତର କୂଳରେ ମାଙ୍କଡ଼ା ପଥର ଜମି ରହିଛି ଏବଂ ଉପକୂଳଟି ମଧ୍ୟ ଉଚ୍ଚ; କାଠଯୋଡ଼ିର ଶାଖା କୁଆଖାଈର ଦକ୍ଷିଣ ଉପକୂଳଟି ମଧ୍ୟ ଓ ଉଚ୍ଚ ମାଙ୍କଡ଼ା ପଥର ଜମି । ଏହି କାରଣରୁ ଏହି ଅଞ୍ଚଳରେ ମହାନଦୀ ଓଏହାର ଶାଖାମାନେ ଉତ୍ତର କିମ୍ବା ଦକ୍ଷିଣକୁ ମାଡ଼ିଯିବା ସମ୍ଭବ ହେଉ ନାହିଁ । କଟକ ସହରର କ୍ଷେତ୍ର ସମତଳ । ଏହାର କେତେକ ଅଂଶ ନଦୀଗର୍ଭର ତଳ ସହିତ ପ୍ରାୟ ସମାନ ଥିବାରୁ ଏବଂ ସହରର ପତ୍ତନ ଫୁସଫୁସିଆ ମାଟି ହୋଇଥିବାରୁ ନଦୀମାନଙ୍କ ଆକ୍ରମଣରୁ ସହର ସହଜରେ ରକ୍ଷା ହୋଇ ପାରୁନାହିଁ । ସେଥିଯୋଗୁଁ ବାଧ୍ୟ ହୋଇ ସହରକୁ ରକ୍ଷା କରିବା ପାଇଁ ନଈ କୂଳରେ ବନ୍ଧ ତିଆରି ହୋଇ ତାକୁ ପଥରରେ ବନ୍ଧା ହୋଇଛି । ଏହି ପଥରବନ୍ଧ ଓଡ଼ିଶାରେ ଏକ ପ୍ରସିଦ୍ଧ ଦର୍ଶନୀୟ ବସ୍ତୁ । ଏଥିରେ ଯେଉଁ ନିର୍ମାଣକୌଶଳ ଦେଖାଯାଇଅଛି, ତାହା ଅତି ଉଚ୍ଚ ଧରଣର । ଆଠଶହ କି ହଜାରେ ବର୍ଷ ତଳେ ସେତେବେଳର ଶିଳ୍ପକଳା-ଜ୍ଞାନର ପରିସର ଭିତରେ ଯେ ଏତେ ବଡ଼ କୌଶଳ ଦେଖିବାକୁ ମିଳେ, ଏହାହିଁ ଆଶ୍ଚର୍ଯ୍ୟର ବିଷୟ । କାଳକ୍ରମେ ଏହି ପଥରବନ୍ଧର ବହୁ ପରିବର୍ତ୍ତନ ଓ ଉନ୍ନତି ଘଟିଛି । ବର୍ତ୍ତମାନ ଯେଉଁ ପଥରବନ୍ଧ ଦେଖାଯାଉଛି, ସେଥିରେ କେଶରୀବଂଶ, ଗଙ୍ଗ ବଂଶ ଓ ପରବର୍ତ୍ତୀ ଦେଶୀୟ ରାଜାମାନଙ୍କ ଅମଳର ବହୁ ଶାସକଙ୍କର ହାତ ଥିବା ଦେଖାଯାଉଛି । ସମ୍ରାଟ୍‌ ଜାହାଙ୍ଗୀରଙ୍କ ଆଦେଶରେ କାଠଯୋଡ଼ିର ପଥରକାନ୍ଥ ତିଆରି ହୋଇଥିବା କେହି କେହି କହନ୍ତି । ଏହାଛଡ଼ା ମୁସଲମାନ ରାଜତ୍ୱ ସମୟରେ ତାର ଅବସ୍ଥାର କି ପରିବର୍ତ୍ତନ ହୋଇଛି, ତାହା ଜଣାଯାଉ ନାହିଁ । ମରହଟ୍ଟାମାନେ କିଛି କିଛି ଉନ୍ନତି କରିଛନ୍ତି । ଇଂରେଜ ରାଜତ୍ୱରେ ଏହାକୁ ସୁଦୃଢ଼ କରାଯାଇଛି ଏବଂ ସ୍ଥାନେ ସ୍ଥାନେ ଆମୂଳଚୂଳ ପରିବର୍ତ୍ତନ କରାଯାଇଛି । କାଠଯୋଡ଼ି ଓ ମହାନଦୀ କୂଳରେ ଯେଉଁ ଯେଉଁ ସ୍ଥାନରେ ବନ୍ଧ ଖୁବ୍‌ ଉଚ୍ଚ ଦେଖାଯାଉଛି, ସେସବୁ ସ୍ଥାନରେ ଉଚ୍ଚ କରିବା କାର୍ଯ୍ୟଟି ଇଂରେଜ ଶାସକମାନଙ୍କଦ୍ୱାରା ସଂଘଟିତ ହୋଇଅଛି । ଇଂରେଜମାନଙ୍କ ଦେଢ଼ଶହ ବର୍ଷ ରାଜତ୍ୱ ଭିତରେ ଏହି ବନ୍ଧର ମରାମତି ବହୁ ସମୟରେ ହୋଇଥିବା ଜଣାଯାଏ । ତେବେ ପ୍ରାୟ ଶହେ ବର୍ଷ ତଳେ ୧୮୫୫ ରେ ଯେଉଁ ପ୍ରବଳ ବନ୍ୟା ହେଲା, ତାର ମାଡ଼ ସହର ଉପରେ ବେଶି ପଡ଼ିବାରୁ ବନ୍ଧକୁ ଅତି ସୁଦୃଢ଼ କରି ସହରକୁ ରକ୍ଷା କରିବାକୁ ସରକାର ପ୍ରଗାଢ଼ ଯତ୍ନ କରିଥିଲେ ।

 

ବନ୍ଧ କିଏ କଲା ?

 

କଟକ ନଈବନ୍ଧର ନିର୍ମାଣକର୍ତ୍ତା କିଏ, ସେ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଶୁଣାଯାଏ । ମାଦଳାପାଞ୍ଜିର ଯେଉଁ କେତୋଟି ବିଭିନ୍ନ ସଂସ୍କରଣ ଦେଖାଯାଉଛି, ସେଥିରେ ଏ ସମ୍ବନ୍ଧରେ ବହୁତ ଅମେଳ ଥିବା ଜଣାଯାଉଛି । ଗୋଟିଏ ସଂସ୍କରଣ ମତରେ କେଶରୀବଂଶର ରାଜା ମରକତ କେଶରୀ ପ୍ରଥମେ ଏହି ବନ୍ଧ ନିର୍ମାଣ କରିଥିଲେ । ଆଉ ଅନ୍ୟ ଏକ ସଂସ୍କରଣରେ ମରକତ କେଶରୀଙ୍କ ପୁତ୍ର ଘଟକେଶରୀ ଏହାର ନିର୍ମାଣକର୍ତ୍ତା। ଘଟକେଶରୀଙ୍କ ସମ୍ପର୍କରେ ଲେଖାଅଛି-‘‘ଏ କଟକରେ କଚେରୀ କଲେ’’ । ଏ ରାଜାଙ୍କ ଶଳା ନବଘନ ସିଂଘରାଏ ରାଜାଙ୍କୁ କହିଲେ, ‘‘ବଡ଼ କୀର୍ତ୍ତି କଲ ।’’ ତହିଁ କି ରାଜା କହିଲେ, ‘‘ତୁମ୍ଭେ କିଛି କୀର୍ତ୍ତି କର ।’’ ତହିଁକି ରାଜା ସନମତ କଲେ, ରାଜା ଟଙ୍କା ଦେଲେ । ସେଠାରୁ ନବଘନ ସିଂଘେ ଏ ଟଙ୍କା ନେଇ ପର୍ବତ ଉପରେ ଦେଉଳ ତୋଳାଇଲେ । ତହୁଁ କିଛି ଦିନ ଗଲା ଉତ୍ତାରୁ ରାଜା କହିଲେ ତୁମ୍ଭ କୀର୍ତ୍ତି ଦେଖାଅ । ସେଠାରୁ ରାଜାଙ୍କୁ ସେ କୀର୍ତ୍ତି ଦେଖାଇଲେ । ରାଜା ଦେଖିଲେ ପର୍ବତ ଉପରେ ଦେଉଳ ତୋଳା ହୋଇଛି । ତହିଁକି ରାଜା ‘‘ଗାଣ୍ଡିଆ ଭଣ୍ଡ’’ ବୋଲି ପଦ ଦେଲେ । ସେହିଦିନୁ ‘‘ଗାଣ୍ଡିଆ ଭଣ୍ଡ’’ ବୋଲି ପର୍ବତ ବୋଲାଇଲା । ସେଠାରୁ ନବଘନ ସିଂଘେ ବଡ଼ ସଙ୍କୋଚ ପାଇଲେ । କଟକ ଦୁଇବାହି ମହାନଦୀ ତଡ଼ା ପଥର ବନ୍ଧାଇଲେ । ସେ ଧୋଇ ନଯିବ ବୋଲି ତାହା ରାଜା ଦେଖି ବଡ଼ ସନ୍ତୁଷ୍ଟ ହେଲେ ।’’ ଷ୍ଟର୍ଲିଙ୍ଗ ଯେଉଁ ‘‘ରାଜବଂଶାବଳୀ’’ ଦେଖିଥିଲେ ତାହା ସାହାଯ୍ୟରେ ସେ ଲେଖିଛନ୍ତି ଯେ କେଶରୀ ବଂଶର ରାଜା ନୃପକେଶରୀ ପ୍ରାୟ ହଜାର ବର୍ଷ ତଳେ କଟକ ସହରର ମୂଳପତ୍ତନ ଦେଇଥିଲେ । ସେ ମଧ୍ୟ ନୂତନ ସହରକୁ ବନ୍ୟାର ଦାଉରୁ ରକ୍ଷା କରିବା ପାଇଁ ଦି ନଈକୂଳରେ ପଥର ବନ୍ଧାଇଥିଲେ । ସେତେବେଳେ କାଠଯୋଡ଼ି ଅବଶ୍ୟ ବେଶି ଓସାର ନ ଥିଲା ।

 

ପୂର୍ବେ ଏହି ବନ୍ଧକୁ କୁଆଡ଼େ ମଡ଼ାତଣ୍ଡିଆ ବନ୍ଧ ବୋଲି ଲୋକେ କହୁଥିଲେ । ମଡ଼ା ଉଞ୍ଚରେ ତଣ୍ଡ ବା କର ଆଦାୟ କରି ସେହି ଆୟରୁ ଏହି ବନ୍ଧ ତିଆରି ହୋଇଥିବାରୁ ତାହାକୁ ମଡ଼ାତଣ୍ଡିଆ ବନ୍ଧ ବୋଲି ଲୋକେ କହିଲେ । କଟକର କୋଦଣ୍ଡା ଗାଁରେ ସିଦ୍ଧେଶ୍ୱର ରାଉତ ନାମରେ ଜଣେ ଗରିବ ଚାଷୀ ଥାଆନ୍ତି । ଚାଷବାସ କରି ଫଳପରିବା ବିକି ପେଟ ପୋଷନ୍ତି । ଦିନେ ତାଙ୍କ ସ୍ତ୍ରୀ ବାରଟି ଲାଉ ଟୋକେଇରେ ପୂରେଇ ସ୍ୱାମୀଙ୍କୁ ଦେଲେ । କହିଲେ, ‘‘କଟକ ଯାଇ ବିକ୍ରୀ କରି ଆସ’’ । ସିଦ୍ଧେଶ୍ୱର ବାରବାଟୀ ଦୁର୍ଗ ନିକଟରେ ପହଞ୍ଚିବା ମାତ୍ରେ ଦଳେ ସିପାହୀ ତାଙ୍କୁ ଘେରି ଯାଇ ପଇସା ନଦେଇ ଲାଉତକ ଧରି ପଳେଇଲେ । ସେତେବେଳେ ରାଜା ବାରବାଟୀ ଦୁର୍ଗରେ ଥାଆନ୍ତି । ରାଜାଙ୍କର ଆଗରେ ଗୁହାରି କରିବା ପାଇଁ ସିଦ୍ଧେଶ୍ୱର ବହୁତ ଚେଷ୍ଟା କଲେ । ମଳିମୁଣ୍ଡିଆ ତ, ତାଙ୍କୁ ପଚାରେ କିଏ ? ରାଜାଙ୍କ ଦର୍ଶନ ମିଳିଲା ନାହିଁ । ଲାଉତକ ତ ଗଲା, କାନମୁଣ୍ଡା ଆଉଁସି ଘରକୁ ଫେରିଲେ । ଏହାର ପ୍ରତିଶୋଧ ନେବା ପାଇଁ ତାଙ୍କର ମନରେ ଭାବ ଜାତ ହେଲା । ଦିନେ ଗାଁଧୋବାଠାରୁ ଦିଖଣ୍ଡ ଧୋବ ଲୁଗା ମାଗିନେଲେ ଭଲ ବେଶଭୂଷା ହୋଇ କଟକରେ ପହଞ୍ଚିଲେ । ବାରବାଟୀ ଦୁର୍ଗ ନିକଟରେ ଟିକିଏ ବୁଲାଚଲା କରି ଶ୍ମଶାନ ପାଖରେ ବସିଲେ । ଯେତେ ଶବ ପୋଡ଼ା ହେବାକୁ ଆସିଲା, ତା ଉପରେ ତଣ୍ଡ ଆଦାୟ କଲେ । ଯିଏ ପଚାରିଲା ତାକୁ କହିଲେ ‘‘ରାଜାଜ୍ଞା’’ । ଶବ ଗୋଟିକେ ଦଶଟଙ୍କା କରି ତଣ୍ଡ ଆଦାୟ କଲେ । କେତେ ବର୍ଷ ଗଲା ପରେ ଦିନେ ଜଣେ ସିପାହୀର ଶବ ଧରି ସିପାହୀମାନେ ଶ୍ମଶାନକୁ ଆସିଲେ । ରାଉତଙ୍କର ତ ପୂର୍ବରୁ ରାଗ ଥାଏ । ସେ କହିଲେ, ‘‘ହଜାରେ ଟଙ୍କା ନ ଦେଲେ ଶବ ପୋଡ଼ାଇ ଦେବେ ନାହିଁ ।‘‘ ଯୁକ୍ତିତର୍କ ହେଲା । ଶବ ପୋଡ଼ା ହୋଇପାରିଲା ନାହିଁ । ଶବପୋଡ଼ା ହୋଇ ନ ଥିବାରୁ ସାହିପଡ଼ିଶା ଲୋକେ ବହୁତ ସମୟ ଉପାସରେ ବସି ରହିଲେ । ଏକଥା ରାଜାଙ୍କ କାନକୁ ଗଲା । ସିପାହୀମାନେ ରାଉତଙ୍କୁ ଧରିନେଇ ରାଜାଙ୍କ ଆଗରେ ଠିଆ କଲେ । ରାଉତ ପୂର୍ବ ଘଟଣା ସବୁ କହିଲେ-‘‘ସିପାହୀମାନେ ଲାଉ ଛଡ଼େଇ ନେଲେ, ରାଜାଙ୍କଠାରେ ଗୁହାରି କରିବାକୁ କେତେ ଚେଷ୍ଟା କଲି; କେହି ଶୁଣିଲେ ନାହିଁ । ତାର ପ୍ରତିଶୋଧ ନେବାକୁ ଏହା କରିଛି ।’’ ରାଜା ରାଉତଙ୍କ ବୁଦ୍ଧିରେ ଖୁସି ହେଲେ । କିନ୍ତୁ ଏ ଧନ ଅସତ୍‌ ଉପାୟରେ ଆଦାୟ ହୋଇଥିବାରୁ ତାର ସଦ୍‌ବ୍ୟବହାର କରିବାକୁ ଆଜ୍ଞା ଦେଲେ । ରାଉତଙ୍କ ଇଚ୍ଛାନୁସାରେ କଟକ ସହରକୁ ରକ୍ଷା କରିବା ପାଇଁ ସେହି ପଇସାରେ ନଈବନ୍ଧ ପଥରରେ ନିର୍ମ୍ମିତ ହେଲା ।

 

୧୮୫୪-୫୫ ରେ ବନ୍ଧ ଅବସ୍ଥା

 

ଖ୍ରୀ: ୧୮୫୫ ବେଳକୁ କଟକ ସହରରେ ପ୍ରାୟ ୬୩୦୦ ଘର ଥିଲା । ଏଥିରୁ ଚଉଠାଏ ପକ୍‌କା ଘର । ପ୍ରାୟ ୫୦୦୦୦ (ପଞ୍ଚାଶ ହଜାର) ଲୋକ ଏଠାରେ ବାସ କରୁଥିଲେ । କଟକରୁ ଦକ୍ଷିଣକୁ ଗଞ୍ଜାମ ଓ ବିଶାଖାପାଟଣା ଜିଲ୍ଲା ପଶ୍ଚିମକୁ ଗଡ଼ଜାତ ଓ ମଧ୍ୟପ୍ରଦେଶ, ଉତ୍ତରକୁ ଗଡ଼ଜାତ ଏବଂ ପୂର୍ବକୁ ତ୍ରିକୋଣାକୃତି ଭୂଖଣ୍ଡକୁ ବହୁ ପ୍ରକାର ମାଲମସଲା ଯିବା ଆସିବା କରୁଥିଲା-। ସେହି ବର୍ଷ ଭୀଷଣ ବନ୍ୟା ହେବାରୁ କଟକ ସହର କିପରି ରକ୍ଷାହେବ, ଇଂରେଜ କର୍ମଚାରୀମାନେ ବିଶେଷ ଭାବରେ ଚିନ୍ତିତ ହୋଇପଡ଼ିଲେ ।

 

୧୮୫୪ ବେଳକୁ କଟକ ନଈବନ୍ଧର ଅବସ୍ଥା ସେତେ ଭଲ ନ ଥିଲା । ଶହ ଶହ ବର୍ଷ ପୂର୍ବେ ଯେଉଁ ବନ୍ଧ ତିଆରି ହୋଇଥିଲା, ତାହା ଜୀର୍ଣ୍ଣ ହୋଇଯିବାରୁ ସ୍ଥାନେ ସ୍ଥାନେ ବଡ଼ ବିପଜ୍ଜନକ ହୋଇ ଯାଇଥିଲା । ପୂର୍ବେ କେବଳ ମାଙ୍କଡ଼ା ପଥର ଖଣ୍ଡରେ ବା ଢିମାରେ ତଳ ପତ୍ତନଟି ଗଢ଼ି ଦେଇ ତା ଉପରେ ମାଟିର ହୁଡ଼ା ଦିଆ ହୋଇଥିଲା । ଏହି ହୁଡ଼ା ଉପରେ ମାଙ୍କଡ଼ା ପଥର ଛିଆଣି କରି ମଜଭୁତ୍ କରାଯାଇଥିଲା । ଏହା ପରେ ବଡ଼ ବଡ଼ କଳା ପଥର ବନ୍ଧ ଉପରେ ସ୍ଥାନେ ସ୍ଥାନେ ଥୁଆ ହେଲା । ଯୋଡ଼ା କାମ ମାଟିରେ ହୋଇ ବାହାର ଫାନ୍ଦ ଚୂନରେ ବନ୍ଦ କରାଯାଇଥିଲା । ଏହି ସବୁ କାମ ବେଳକୁ ମହାନଦୀ କିମ୍ବା କାଠଯୋଡ଼ି ଏତେ ଓସାରିଆ ନ ଥିଲା । କାଠଯୋଡ଼ି କଟକ କଚେରୀ ଉପରକୁ ପ୍ରାୟ ୨୨୫ଫୁଟ ଓସାର ଥିଲା । କ୍ରମେ ନଈବଢ଼ି ଯୋଗୁଁ ନଦୀ ମଧ୍ୟ ଓସାରିଆ ହୋଇଆସୁଛି । ଭଲ ଭଲ ଜମି, ଘର, ବାଗବଗିଚା ସବୁ ନଦୀଗର୍ଭକୁ ଚାଲିଯାଉଛି । କୁଆଖାଇର ଧାର ଏବେ ଯେଉଁ ବାଟେ ଯାଉଛି, ସେବାଟେ ଯାଉ ନଥିଲା । ମୁଣ୍ଡଳୀ ଗାଁ ଉପର ମୁଣ୍ଡରେ ଧାର ଥିଲା । ତାହାହିଁ ପ୍ରକୃତ ପ୍ରାଚୀନଦୀ ଧାର । କୁଆଖାଇକୁ ପାଣି ଏ ବାଟରେ ସୁବିଧାରେ ଯାଇପାରୁ ନଥିବାର ଦେଖି ଇଂରେଜ ଇଞ୍ଜିନିଅରମାନେ ବର୍ତ୍ତମାନ ଯେଉଁ ବାଟରେ ପାଣି ଯାଉଛି, ସେହି ବାଟଟି ଫିଟାଇଥିଲେ । ୧୮୫୫ର ବନ୍ୟାହିଁ ଏହାର କାରଣ ।

 

୧୮୫୫ର ବନ୍ୟା

 

୧୮୫୫ରେ ନଈରେ ପାଣି ବେଶି ହୋଇଥିଲା । ଭାଦ୍ରମାସରେ ତିନିଦିନିଆ ଝଡ଼ି ହୋଇ ବହୁତ ଘରଦ୍ୱାର ଭାଙ୍ଗି ଦେଇଥିଲା । ୪୨ ଘଣ୍ଟା ଅବିଶ୍ରାନ୍ତ ଭାବରେ ମୂଷଳ ଧାରାରେ ବର୍ଷା ହୋଇଥିଲା । କାଠଯୋଡ଼ି ଓ ମହାନଦୀରେ ପାଣି ପୂରା ଦି କୂଳ ଖାଇ ଚାଲୁଥିଲା । ତା ଉପରେ ପୁଣି ଜୋର ପବନ । ପବନ ମାଡ଼ରେ ପର୍ବତ ଆକାରରେ ଲହଡ଼ି ଉଠି ଗଡ଼ ଉପରେ ଘୋର ଶବ୍ଦ କରି ଭାଙ୍ଗି ପଡ଼ୁଥିଲା । କୁଆଖାଇ ମୁଣ୍ଡରୁ ପାଣି ଉଜାଣି ହୋଇ ସିଧା ସଳଖ ଭାବରେ କଚେରୀ ପାଖ ବନ୍ଧକାନ୍ଥ ଉପରେ ପାଣି ଲହଡ଼ି ଢ଼ୋ ଢ଼ା ହୋଇ ବାଜି ଭାଙ୍ଗି ପଡ଼ୁଥିଲା । କଚେରୀ ପାଖରେ ପାଣିର ଗଭୀର ୬୦-୭୦ ଫୁଟ ହୋଇ ଯାଇଥିଲା । ନଦୀ ଗର୍ଭରେ ଏତେ ବଡ଼ ଗଣ୍ଡ କେବେ ଦେଖା ଯାଇ ନ ଥିଲା । ପ୍ରାୟ ୮୦୦ ସ୍ଥାନରେ ବନ୍ଧ ଦବି ଯାଇଥିବାର ଅନୁମାନ କରାଯାଇଥିଲା ।

 

ସେହି ବର୍ଷାବେଳେ ସହରକୁ ରକ୍ଷାକରିବା ଏକ କଷ୍ଟକର ବ୍ୟାପାର ହୋଇପଡ଼ିଥିଲା । ହଜାର ହଜାର ଲୋକ ଘର ଦ୍ୱାର ଛାଡ଼ି ନଈକୂଳରେ ଆତଙ୍କରେ ବୁଲୁଥାନ୍ତି । ସରକାରୀ ହାକିମମାନେ ନିଜେ ଲଣ୍ଠନ ଧରି ସାରା ରାତି ପହରା ଦେଉଥାଆନ୍ତି । ଜେଲରେ ଥିବା ସବୁ କଏଦୀଙ୍କୁ ଟୋକେଇ ଧରି ବନ୍ଧରେ ମାଟି ପକେଇବା କାମରେ ଲଗେଇ ଦିଆଗଲା । ସହର ଲୋକେ ସ୍ୱେଚ୍ଛାରେ ଟୋକେଇ କୋଡ଼ି ଧରି ଦଳ ଦଳ ହୋଇ ବନ୍ଧ ମରାମତି କରୁଥିଲେ । ସେତେବେଳେ ଆଉ ମୋଟେ ୫।୬ ଫୁଟ ପାଣି ବୃଦ୍ଧି ପାଇଥିଲେ ସହର ଏକାବେଳକେ ବୁଡ଼ି ଯାଇଥାନ୍ତା । ଭଗବାନଙ୍କ କୃପାରୁ ବର୍ଷା ଓ ପବନର ବେଗ ହ୍ରାସ ପାଇଲା । ସହର ରକ୍ଷା ହେଲା । ଏହି ବନ୍ୟାବେଳେ ବନ୍ଧର ପତ୍ତନ ବହୁ ସ୍ଥାନରେ ଦୁର୍ବଳ ହୋଇ ପଡ଼ିଥିବାର ଦେଖାଗଲା । କୌଣସି କୌଣସି ସ୍ଥାନରେ ବନ୍ଧ ଏକାବେଳକେ ଭୁଷୁଡ଼ି ପଡ଼ିବା ଅବସ୍ଥାକୁ ଆସିଥିଲା ।

 

ବନ୍ଧ ମରାମତି

 

ବର୍ଷା ଛାଡ଼ିବା ସଙ୍ଗେ ସଙ୍ଗେ ବନ୍ଧ ମରାମତି ପାଇଁ ବ୍ୟବସ୍ଥା ହେଲା । ଆସନ୍ତା ବର୍ଷ ବଢ଼ି ପୂର୍ବରୁ ବନ୍ଧକୁ ସମ୍ପୂର୍ଣ୍ଣ ରୂପେ ଶକ୍ତିଶାଳୀ କରିବାକୁ ସରକାରୀ କର୍ମଚାରୀମାନେ ତତ୍ପର ହୋଇଥିଲେ-। ବନ୍ଧକୁ ଆଉ ଟିକିଏ ଉଚ୍ଚ କରି ଦିଆଯିବା ପ୍ରସ୍ତାବ ହେଲା । କେତେକ ଭଲ କନ୍ଦାକଟା ପଥର ଦେଇ ନୂତନ କାନ୍ଥ କରିବାର ପ୍ରସ୍ତାବ ମଧ୍ୟ ହେଲା ।

 

ବାରବାଟି ଦୁର୍ଗ ଓ ମନ୍ଦିରରୁ ପଥରବୁହା

 

ତେବେ ପାଞ୍ଚ ଛଅ ମାସ ଭିତରେ ଏତେ ପଥର ଆସିବ କୁଆଡ଼ୁ ? ଚିଫ୍‍ଇଞ୍ଜିନିଅର ପ୍ରସ୍ତାବ କଲେ ଯେ ବାରବାଟି ଦୁର୍ଗର ଭଗ୍ନାବଶେଷରୁ ଲକ୍ଷାଧିକ କଟାପଥର ମିଳିବ । ସେଥିରୁ କିଛି ଆଣି ବନ୍ଧରେ ଲଗେଇ ଦିଆଯାଉ । କଟକ ଜିଲ୍ଲା କଲେକ୍‌ଟର ଏହି ପ୍ରାଚୀନ କୀର୍ତ୍ତି ରକ୍ଷାକରିବା ଉଦ୍ଦେଶ୍ୟରେ ଏଠାରୁ ପଥର ଦେବାକୁ ମନା କଲେ; କିନ୍ତୁ ପରେ ଲାଟ ସାହେବଙ୍କ ଆଦେଶରେ ଏଥିରୁ ପଥର ବୁହା ଆରମ୍ଭ ହେଲା । ଡଗରପଡ଼ା, ଚାନ୍ଦିନୀଚଉକ ଓ ବାଲୁବଜାରରେ କେତେକ ଭଙ୍ଗା ଦେଉଳ ଥିଲା । ସେସବୁ ଦେଉଳରୁ ମଧ୍ୟ ପଥରସବୁ ତାଡ଼ିନେଇ ବନ୍ଧ କାମରେ ଲଗେଇଲେ-। ଦର୍ପଣୀ ରଜା ତାଙ୍କର ଗୋଟିଏ ଦେବାଳୟରୁ ପଥର ବୁହା ହୋଇ ଯାଉଥିବା ବିଷୟ କମିଶନରଙ୍କଠାରେ ଆପତ୍ତି କରିଥିଲେ । କେବଳ ସହରକୁ ରକ୍ଷା କରିବା ଉଦ୍ଦେଶ୍ୟ ଥିବାରୁ ଏହି ଅତି ଜରୁରୀ କାର୍ଯ୍ୟ ଯେ କୌଣସି ଭାବରେ ସମ୍ପନ୍ନ କରିବା ପାଇଁ ଇଞ୍ଜିନିଅରମାନେ ଲାଗି ପଡ଼ିଥିଲେ । ବର୍ତ୍ତମାନ କାଠଯୋଡ଼ି ବନ୍ଧରେ ଡଗରପଡ଼ା ଘାଟଠାରୁ ବଡ଼ ବୁରୁଜ ଭିତରେ ପ୍ରାୟ ୪୦-୫୦ ଖଣ୍ଡ ସୁନ୍ଦର ସୁନ୍ଦର କନ୍ଦା କଟା ପଥର ଉପରେ ଖୁଣ୍ଟା ହୋଇଥିବା ପ୍ରତିମୂର୍ତ୍ତି ଦେଖାଯାଉଛି । ସେସବୁ ଏହି ଦେଉଳ କାନ୍ଥର ପ୍ରତିମୂର୍ତ୍ତି ।

 

ଡଗରପଡ଼ାଠାରୁ ତେଲଙ୍ଗାବଜାର ପର୍ଯ୍ୟନ୍ତ ନଈ ବନ୍ଧଟି ସମ୍ରାଟ ଜାହାଙ୍ଗୀରଙ୍କ ଆଦେଶରେ ଯେତିକି ମରମତି ଓ ତିଆରି ହୋଇଥିଲା, ତାହା ଅପେକ୍ଷା ୧୮୫୫ ଠାରୁ ୧୮୬୦ ଭିତରେ ବହୁତ ଉନ୍ନତି ଲାଭକଲା ।

 

କଟକ ସହର ଉଠୁ-ନୂଆ ସହର ଗଢ଼

 

ଏହି ୧୮୫୫ ବନ୍ୟା ପରେ କଟକ ସହରର ଅବସ୍ଥା ନେଇ ଇଞ୍ଜିନିଅରମାନଙ୍କ ଭିତରେ ବହୁତ ଆଲୋଚନା ହେଲା । କେପ୍‌ଟେନ୍‌ ସର୍ଟ ସେତେବେଳେ ବନ୍ଧବିଭାଗର ଅସ୍ଥାୟୀ ସୁପରିଣ୍ଟେଣ୍ଡେଣ୍ଟ ଥିଲେ । ସେ କହିଲେ ଯେ କଟକ ସହରର ଅବସ୍ଥା ଯାହା, ସେଥିରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତାକୁ ସାମୟିକ ଭାବରେ ରକ୍ଷା କରିବାକୁ ପଡ଼ୁଥିବ । ଚିରସ୍ଥାୟୀ ଭାବରେ ରକ୍ଷା ବ୍ୟବସ୍ଥା କରିବା ଅସମ୍ଭବ । ୧୮୫୫-୫୬ରେ ତିନି ଲକ୍ଷ ନବେ ହଜାର ଟଙ୍କା ଖର୍ଚ୍ଚ କରା ଯାଇଥିଲା । ସର୍ଟ କହିଲେ ଯେ କଟକ ସହରକୁ ଏହି ସ୍ଥାନରୁ ଉଠେଇ ଦିଆଯାଇ ମହାନଦୀର ଦକ୍ଷିଣ ଉପକୂଳକୁ ନିଆଯାଉ । ଚଉଦ୍ୱାରଠାରୁ ଧବଳେଶ୍ୱର ନିକଟ ପର୍ଯ୍ୟନ୍ତ ଅତି ସୁନ୍ଦର ସ୍ଥାନରେ ନୂତନ ସହର ତିଆରି ହୋଇ ପାରିବ । ସ୍ଥାନଟି ଉଚ୍ଚ ଓ ମାଙ୍କଡ଼ା ପଥରର ଟାଙ୍ଗି । ନଦୀବଢ଼ି ଏହାର କିଛି କ୍ଷତି କରିପାରିବ ନାହିଁ । ପୁଣି ପଛରେ ପାହାଡ଼ ଜଙ୍ଗଲ ଥିବାରୁ ଅଧିବାସୀଙ୍କର ବହୁତ ସୁବିଧା ହେବ । ସ୍ଥାନଟି ମଧ୍ୟ ସ୍ୱାସ୍ଥ୍ୟକର ହେବ । ଭବିଷ୍ୟତରେ ସହର ବୃଦ୍ଧି ପାଇଁ ଯଥେଷ୍ଟ ସ୍ଥାନ ମିଳିବ । ସର୍ଟ ପ୍ରସ୍ତାବ କଲେ ଯେ ଏହି ନୂତନ ସହରପାଇଁ ଯୋଜନା କରାଯାଉ । ସେ ପରାମର୍ଶ ଦେଲେ, ମଝିରେ ସୈନ୍ୟବିଭାଗର ଅଫିସ ଘରବାଡ଼ି ସବୁ ରହୁ । ତାକୁ ଘେରି ଅନ୍ୟାନ୍ୟ କଚେରୀ ଓ ଲୋକମାନଙ୍କର ଘର ତିଆରି ହେଉ । ମଝିରେ ମଝିରେ ସହରବାସୀଙ୍କର ବ୍ୟବହାର ପାଇଁ ବଡ଼ ବଡ଼ ପୋଖରୀ ଖୋଳାଇ ପାଣି ଭର୍ତ୍ତିକରି ରଖାଯାଉ । ଯେଉଁମାନେ କଟକରୁ ଉଠିଯାଇ ସେଠାରେ ଘର କରିବା ପାଇଁ ଇଚ୍ଛା କରିବେ, ସେମାନଙ୍କୁ କଟକ ଘର ଛାଡ଼ିବା ବାବତ୍‌ରେ କିଛି ସାହାଯ୍ୟ ଦିଆଯାଉ । ଯେଉଁ ମାନଙ୍କର ଘର ନାହିଁ, ସେମାନଙ୍କୁ ଘର କରିବା ପାଇଁ ସାହାଯ୍ୟ ଦିଆଯାଉ । ସର୍ଟ ସାହେବ ନୂତନ ସହର କରିବା ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ, ତାହା ସେତେବେଳ ସରକାର ଗ୍ରହଣ କରିଥିଲେ ପ୍ରାୟ ଅଶୀବର୍ଷ ପରେ ଓଡ଼ିଶା ପ୍ରଦେଶର ନୂତନ ରାଜଧାନୀ ପାଇଁ ଭାଳେଣି ପଡ଼ି ନ ଥାଆନ୍ତା । ବୋଧହୁଏ ଭୁବନେଶ୍ୱର ରାଜଧାନୀ ନ ହୋଇ ସ୍ୱାଭାବିକ ଗତିରେ ଚଉଦ୍ୱାର ଅଞ୍ଚଳହିଁ ରାଜଧାନୀ ହୋଇଥାଆନ୍ତା ।

Image

 

ସତୀଦାହ

 

ଭାରତର ସତୀଦାହ ପ୍ରଥା ୧୮୨୯ରେ ଲର୍ଡ଼ ଉଇଲିଇମ ବେଣ୍ଟିକ ଆଇନଦ୍ୱାରା ବନ୍ଦ କରି ଦେଇଥିଲେ । ଏହି ଆଇନ ସମଗ୍ର ଭାରବର୍ଷରେ ଚଳିବା ଆଗରୁ ଏହି ପ୍ରଥା କେତେକ ଅଂଶରେ ବଙ୍ଗପ୍ରଦେଶରେ ବନ୍ଦ ହୋଇ ଯାଇଥିଲା କହିଲେ ଚଳେ । ପ୍ରଥମେ ପ୍ରଥମେ ବ୍ରିଟିଶ ଶାସକମାନେ ହିନ୍ଦୁଧର୍ମ ଉପରେ ହସ୍ତକ୍ଷେପ ନ କରିବା ମନସ୍ଥ କରି ଲୋକଙ୍କ ଭିତରେ ପ୍ରଚାର ସାହାଯ୍ୟରେ ଏହି ପ୍ରଥାକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ । ଜିଲା ହାକିମମାନେ ଖବର ପାଇବା ମାତ୍ରେ କର୍ମଚାରୀମାନଙ୍କୁ ପଠାଇ ବା ନିଜେ ଯାଇ ସତୀ ହେବାକୁ ଇଚ୍ଛାପ୍ରକାଶ କରୁଥିବା ବିଧବାମାନଙ୍କୁ ବହୁତ ବୁଝାଇବା ନିମିତ୍ତ ସରକାରୀ ହୁକୁମ ଥିଲା । ସେ ଅନୁସାରେ କେତେକ ସ୍ଥାନରେ ‘‘ସତୀ ହେବା’’ ବନ୍ଦ ହୋଇ ଯାଇଥିଲା ।

 

କିନ୍ତୁ କେତେକ ଖଳ ପ୍ରକୃତିର ଲୋକ ସମ୍ପତ୍ତି ଲୋଭରେ ଭାଇ ଭାଇନାଙ୍କ ବିଧବାମାନଙ୍କୁ ସତୀ ହେବା ପାଇଁ ପ୍ରବର୍ତ୍ତାଉଥିଲେ । ‘‘ଲୋକେ କଣ କହିବେ’’ ଏହି ଦୃଷ୍ଟିରୁ କେତେକ ସ୍ଥାନରେ ବିଧବାମାନେ ସ୍ୱଇଚ୍ଛା ବିରୁଦ୍ଧରେ ସତୀ ହେବାକୁ ସଙ୍କଳ୍ପ କରୁଥିଲେ । ଏଭଳି ସ୍ଥଳରେ ବିଧବାମାନଙ୍କୁ ସଜ୍ଞାହୀନ କରିଦେବା ପାଇଁ କେତେପ୍ରକାର ମାଦକଦ୍ରବ୍ୟ ମଧ୍ୟ ସେବନ କରିବାକୁ ଦିଆ ଯାଉଥିଲା । କେତେକ ସ୍ଥଳରେ ବିଧବାମାନେ ଚିତା ଉପରେ ଚଢ଼ି ମଧ୍ୟ ନିଆଁ ତାପ ସହି ନ ପାରି ଚିତା ଉପରୁ ଡ଼େଇଁ ପଡ଼ି ବାହାରି ଆସୁଥିଲେ । ଏପରି ବିଧବାମାନଙ୍କର ସ୍ଥାନ ସମାଜରେ ଅତି ଯନ୍ତ୍ରଣାଦାୟକ ଥିଲା । ଏହାର ପ୍ରଭାବ ସମାଜ ଉପରେ ନିଶ୍ଚୟ ପଡ଼ିଥିଲା । ବ୍ରିଟିଶ ସରକାର କ୍ରମେ ଏହି ପ୍ରଥାକୁ ଏକାବେଳକେ ବନ୍ଦ କରିବା ପାଇଁ ବଦ୍ଧପରିକର ହୋଇଥିଲେ-

 

ଆମ ଓଡ଼ିଶାରେ ସତୀଦାହ ଥିଲା । କଟକ, ପୁରୀ, ବାଲେଶ୍ୱର ବଙ୍ଗ ଅଧୀନରେ ଓ ଗଞ୍ଜାମ, କରାପୁଟ ମାନ୍ଦ୍ରାଜ ଅଧୀନରେ ଥିଲା । ୧୮୧୫ ପୂର୍ବରୁ ମଧ୍ୟ ସରକାର ଭାରତର ବିଭିନ୍ନ ସ୍ଥାନରେ ଏହି ସତୀଦାହ ସମ୍ପର୍କରେ ଅନୁସନ୍ଧାନ କରୁଥିଲେ, ବହୁ ପଣ୍ଡିତଙ୍କର ମତ ଲୋଡ଼ିଥିଲେ । ଶେଷକୁ ଏହି ପ୍ରଥା ଶାସ୍ତ୍ରୀୟ ନୁହେଁ ବୋଲି ଦେଶର ମୁଖ୍ୟ ପଣ୍ଡିତମାନେ ମତ ଦେଲେ । ସରକାର ମଧ୍ୟ ସାମାଜିକ କଲ୍ୟାଣ ଦିଗରୁ ଏହା ବନ୍ଦ କରିବାକୁ ସ୍ଥିର କଲେ ।

 

ଓଡ଼ିଶାରେ କେତୋଟି ‘‘ସତୀ’’ର କରୁଣ କାହାଣୀ ସରକାରୀ ରିପୋର୍ଟ ମାନଙ୍କରୁ ମିଳୁଛି । ଏହି ରିପୋର୍ଟ ଭିତରୁ କେତୋଟି ଛାଡ଼ିଦେଲେ ଅଧିକାଂଶ ଅପ୍ରକାଶିତ । ଏହି ଅପ୍ରକାଶିତ ରିପୋର୍ଟ ସାହାଯ୍ୟରେ ଓଡ଼ିଶାରେ ସତୀଦାହ ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣୀ ଦେବା ପାଇଁ ଏଠାରେ ଚେଷ୍ଟା ହୋଇଛି ।

 

ଖ୍ରୀ : ୧୮୨୮ରେ ସତୀଦାହ

 

ଖ୍ରୀ: ୧୮୨୮ ନଭେମ୍ବର ୪ ତାରିଖରେ କଟକ ଜିଲା ମାଜିଷ୍ଟ୍ରେଟଙ୍କ ପାଖକୁ କମିଶନର ଥୋମାସ୍‌ ପାକେନ୍‌ହାମ୍‌ ଯେଉଁ ଚିଠି ଲେଖିଛନ୍ତି, ସେଥିରୁ ଜଣାଯାଏ ଯେ କେବଳ କଟକ ଜିଲାରେ ଆଠଟି ସତୀଦାହର ଖବର ସରକାରଙ୍କଠାରେ ପହଞ୍ଚିଥିଲା ।

 

ହରିହରପୁର ଥାନା ଇଲାକାରେ ଗୋଟିଏ ସତୀଦାହ ହୋଇଥିଲା । ସତୀଦାହ ବେଳକୁ ପୋଲିସ ଉପସ୍ଥିତ ଥିଲେ ମଧ୍ୟ କିଛି କରିପାରି ନ ଥିଲେ ।

 

ପୁରୀଜିଲାର କରମଳ ଗ୍ରାମର ପଦ୍ମଚରଣ ଛୋଟରାଙ୍କ ଭାଉଜ ମାର୍ଚ୍ଚ ୧୫ ତାରିଖରେ ସତୀ ହୋଇଥିଲେ । ପୂର୍ବରୁ ଛୋଟରାଣୀ ସତୀ ହେବେ ବୋଲି ଜଣା ପଡ଼ିଥିଲା; କିନ୍ତୁ ଗ୍ରାମର ସରବରାକାର ଭାଇଗ ମହାନ୍ତି କି ଚଉକିଦାର ଥାନାକୁ ଖବର ଠିକ୍‌ ସମୟରେ ଦେଇ ନଥିଲେ । ଚଉକିଦାର ଝିଅ ବିଭାଘର ବାହାନାରେ ଅନ୍ୟ ଗ୍ରାମକୁ ଚାଲିଗଲା ଏବଂ ସରବରାକାର ତୁନୀହୋଇ ରହିଲେ ଥାନାର ଦାରୋଗାବାବୁ ଅନ୍ୟ ସୂତ୍ରରୁ ଖବର ପାଇ କରମଳରେ ପହଞ୍ଚିଲାବେଳକୁ ଦାହକ୍ରିୟା ଶେଷ ହୋଇ ସାରିଥିଲା । ଦାରୋଗାବାବୁ ପଦ୍ମଚରଣ ଛୋଟରାଙ୍କୁ ଧରିଆଣି ୧୭ ତାରିଖ ଦିନ ହାଜତରେ ରଖିଲେ । ସେ ୧୯ ତାରିଖରେ ଜେରାରେ କହିବା ଅନୁସାରେ ତିନିଜଣ ସାକ୍ଷୀ, ସରବରାକାର ଭାଇଗ ମହାନ୍ତି ଓ ଚଉକିଦାରକୁ ଗିରଫ କରି ୨୭ ତାରିଖ ଦିନ ପୁରୀକୁ ଅଣାଗଲା । ୨୮ ତାରିଖରେ ଜମାନବନ୍ଦୀ ନେବାପରେ ଚଉକିଦାରକୁ ଦଶ ବେତ ମାଡ଼ ଦଣ୍ଡ ଦିଆଗଲା । ପୁଣି ସତୀଙ୍କୁ ମନ୍ତ୍ର ଦେଇଥିବା ଗୁରୁ ଚିନ୍ତାମଣି ମିଶ୍ର ଓ ରଘୁନାଥ ଶତପଥୀଙ୍କୁ ମଧ୍ୟ ଗିରଫ କରି ଅଣାଗଲା । ଅପ୍ରେଲ ୫ ତାରିଖରେ ଏମାନଙ୍କୁ ପଦ୍ମଚରଣଙ୍କ ସାଙ୍ଗରେ ଜେଲରେ ରଖାଗଲା । ସେ ଗାଁର ଦୁଅ ଜଣ ଭଦ୍ରବ୍ୟକ୍ତିଙ୍କୁ ଡକା ଯାଇ ସେମାନଙ୍କର ସାକ୍ଷ୍ୟ ନିଆଗଲା । ଏହାପରେ ଗିରଫ ହୋଇଥିବା ଲୋକଙ୍କଠାରୁ ମୁଚିଲିକା ଲେଖାଇ ନେଇ ଛାଡ଼ି ଦିଆଗଲା । ଏମାନେ ପୋଲିସ ଆସିବା ପର୍ଯ୍ୟନ୍ତ କୌଣସି ସତୀଦାହରେ ସାହାଯ୍ୟ କରିବେ ନାହିଁ ବୋଲି ଲେଖିଦେଲେ । ପଦ୍ମଚରଣ ଏକମାସ ଦୁଇଦିନ ଓ ଅନ୍ୟମାନେ ଦଶଦିନ ଜେଲରେ ରହିଲେ । ଏହି ବିଷୟ କମିଶନରଙ୍କ କାନୁ ଯିବାରୁ ସେ ଏଭଳି ଦଣ୍ଡ ନିୟମାନୁମୋଦିତ ନୁହେଁ ବୋଲି ମତଦେଇ ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ ଶୀଘ୍ର ଛାଡ଼ିଦେବାକୁ ହୁକୁମଦେଲେ । ସଂପୃକ୍ତ ବ୍ୟକ୍ତିମାନେ ଆଇନ ଅମାନ୍ୟ କରିବା ଉଦ୍ଦେଶ୍ୟରେ ଏପରି କରି ନାହାନ୍ତି ବୋଲି ସେ ମତଦେଲେ ଏବଂ ୧୮୧୮ ଓ ୧୮୨୦ରେ ନିଜାମତ୍‌ ଅଦାଲତ କୋର୍ଟ (ସେତେବେଳର ହାଇକୋର୍ଟ) ଏଭଳି ମତବ୍ୟକ୍ତ କରିଥିବା ସଜିର ଦେଖାଇଥିଲେ । ଚୌକିଦାର ଅନୁପସ୍ଥିତ ରହିବାର କୈଫିୟତ ମଗା ଯାଇ ନଥିବାରୁ ତାକୁ ଦଶବେତ ମାଡ଼ ହୁକୁମ ମଧ୍ୟ ଠିକ ହୋଇନାହିଁ-ଏହି ମତ କମିଶନର ଦେଲେ ।

 

ଅପ୍ରେଲ ମାସ ୩୦ ତାରିଖରେ ଖୋର୍ଦ୍ଧାଥାନା ଇଲାକାରେ ଗୋଟିଏ ସତୀଦାହ ହୋଇଥିଲା । ତା ପୂର୍ବଦିନ ରୋଗୀର ଅବସ୍ଥା ଖରାପ ହେବାର ଦେଖି ତାର ଭାର୍ଯ୍ୟା ସତୀ ହେବା ସ୍ଥିର କଲା । ସେତେବେଳେ ସ୍ୱାମୀର ସଂଜ୍ଞା ଥିଲା । ଦାରୋଗାବାବୁ ସେଠାରେ ପହଞ୍ଚି ସ୍ୱାମୀଙ୍କ ସାହାଯ୍ୟରେ ସ୍ତ୍ରୀକୁ ସତୀ ନହେବା ପାଇଁ ପରାମର୍ଶ ଦେଲେ । କିନ୍ତୁ ସେ ସ୍ତ୍ରୀ ରାଜି ହେଲା ନାହିଁ । ସ୍ୱାମୀ ମରିଯିବା ପରେ ସେ ସ୍ତ୍ରୀ ସତୀ ହେଲା । ନିଜେ ଦାରୋଗା ମଧ୍ୟ ସେତେବେଳେ ଉପସ୍ଥିତ ଥିଲେ । ଜିଲା କଲେକ୍‌ଟର ଏ ଖବର ପାଇ ଗ୍ରାମର ସରବରାକାର, ଚଉକିଦାର ସମେତ କେତେକ ଲୋକଙ୍କୁ ଡ଼କେଇ ଆଣିଲେ । ଆଖପାଖ ଗାଁର ପାଞ୍ଚଜଣ ସରବରାକାରଙ୍କୁ ମଧ୍ୟ ଡ଼କାଇ ଆଣିଲେ । ଏମାନେ ପହଞ୍ଚିବା ପରେ ଗୋଡ଼ରେ ଦଉଡ଼ି ଛନ୍ଦି ହାଜତ ଭିତରେ ବନ୍ଦ କରି ରଖିଦେଲେ । ଦାରୋଗା ସତୀ ହେବା ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ବନ୍ଦ କରି ନ ଥିବାରୁ ତାଙ୍କୁ ଦଶଟଙ୍କା ଜରିମାନା ହେଲା । ପୁରୋହିତଙ୍କୁ ଜ୍ୱର ହୋଇଥିବାରୁ ଆସିପାରି ନ ଥିଲେ । ତା ୨୩ ରିଖରେ ସେ ପହଞ୍ଚିବାକ୍ଷଣି ହାଜତରେ ବନ୍ଦ ହୋଇ ରହିଲେ । ତା ୩୧ ରିଖରେ ସମସ୍ତଙ୍କୁ ଖଲାସ କରି ଦିଆ ଯାଇଥିଲା । କମିଶନରଙ୍କ ଦୃଷ୍ଟି ଏଥିପ୍ରତି ଆକୃଷ୍ଟ ହେବାରୁ ସେ ମାଜିଷ୍ଟ୍ରେଟଙ୍କ କାମକୁ ବେଆଇନ ବୋଲି କହିଲେ । ଉପଯୁକ୍ତ କୈଫିୟତ୍‌ ମଗା ନ ଯାଇ ପକ୍ଷମାନଙ୍କୁ ଏପରି ହଇରାଇ କରିବା ଉଚିତ ହେଲାନାହିଁ ବୋଲି ତାକିତ୍‌ କଲେ ।

 

ଏପରି ଅନ୍ୟାନ୍ୟ ଘଟଣାମାନଙ୍କରେ ମଧ୍ୟ ଜିଲା ମାଜିଷ୍ଟ୍ରେଟ ଆଇନସମ୍ମତ କାର୍ଯ୍ୟ କରି ନ ଥିବା ରିପୋର୍ଟ ହୋଇଛି । କଟକ ଜିଲାର ଅସୁରେଶ୍ୱର ଗ୍ରାମରେ ଜଣେ ଅଳ୍ପ ବୟସ୍କା ବିଧବା ସତୀ ହେବାପାଇଁ ଇଚ୍ଛା ପ୍ରକାଶ କଲେ । ଜୁଲାଇ ୧୯ ତାରିଖରେ ତାଙ୍କର ସ୍ୱାମୀ ମରିଗଲେ । ତାଙ୍କର ଶବକୁ ନଅ ଦିନ ରଖାହୋଇଥିଲା ଏବଂ ୨୮ ତାରିଖରେ ସ୍ୱାମୀଙ୍କ ଶବ ସହିତ ବିଧବା ସ୍ତ୍ରୀ ଚିତରେ ପୋଡ଼ିହୋଇ ମରିଥିଲେ । ସେତେବେଳର ପ୍ରଚଳିତ ଆଇନ ଅନୁସାରେ ସତୀଦାହ ହୋଇଥିବାରୁ ଏହି ଘଟଣାକୁ ବେଆଇନ ବୋଲି କମିଶନର ଧରି ନ ଥିଲେ; କିନ୍ତୁ ଜିଲା ମାଜିଷ୍ଟ୍ରେଟ ବିଧବାକୁ ୧୫ ବର୍ଷରୁ କମ୍‌ ବୟସ ହୋଇଛି ବୋଲି ସନ୍ଦେହ କରି ତାର ପିତା, ଭାଇ, ପୁରୋହିତ ଓ ଅନ୍ୟ କେତେ ଜଣଙ୍କୁ ଧରି ଆଣି ଅଟକ କରି ରଖିଲେ । ପରେ ବିଧବାର ବୟସ ୧୭ ବର୍ଷ ଥିବା ଜାଣି ଏବଂ ସେ ସ୍ୱଇଚ୍ଛାରେ ସତୀ ହେବାକୁ ସ୍ଥିର କରିଥିବାରୁ ଅନ୍ୟମାନଙ୍କର ଅପରାଧ ହୋଇ ନ ଥିବା ସାବ୍ୟସ୍ତ ହେଲା ଓ ସେମାନେ ଖଲାସ ହେଲେ ।

 

ସତୀଦାହ ପ୍ରଥାକୁ ବନ୍ଦ କରିବା ଉଦ୍ଦେଶ୍ୟ ଥିଲେ ମଧ୍ୟ ସେତେବେଳେ ବ୍ରିଟିଶ ସରକାର (ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାର) ବନ୍ଦ କରିବା ପାଇଁ ଆଇନ କରି ନ ଥିଲେ । ଯଦି କେହି ସତୀ ହେବା ଇଚ୍ଛା ପ୍ରକାଶ କଲା, ତାହାହେଲେ ତାକୁ ଉପଯୁକ୍ତ ସମୟ ଭିତରେ ନୋଟିସ ଦେବାକୁ ପଡ଼ୁଥିଲା । ଥାନାର ଦାରୋଗା ବା ତାଙ୍କ ତରଫରୁ ଜଣେ କେହି ପୋଲିସ ଅଫିସରଙ୍କ ଉପସ୍ଥିତିରେ ସତୀ ହେଉଥିଲା । ସ୍ୱାମୀର ଶବଦାହର ପରେ ମଧ୍ୟ ବିଧବା ସ୍ତ୍ରୀ ଅଗ୍ନିରେ ଝାସ ଦେଇ ମୃତ୍ୟୁକୁ ବରଣ କରୁଥିଲେ । ବିଧବାର ବୟସ କମ୍‌ ଥିଲେ କିମ୍ବା ସତୀ ହେବା ପାଇଁ ତାର କାଣିଚାଏ ହେଲେ ଅରାଜି ଥିଲେ ପୋଲିସ ଅଫିସରମାନେ କଡ଼ା ପହରା ଦେଇ ବନ୍ଦ କରି ଦେଉଥିଲେ । ପ୍ରତ୍ୟେକ କ୍ଷେତ୍ରରେ ଅଫିସରମାନେ ବିଧବାକୁ ସତୀ ନ ହେବା ପାଇଁ ପ୍ରବର୍ତ୍ତାଉଥିଲେ ।

 

ସତୀଦାହ ପ୍ରଥାକୁ ଘୃଣ୍ୟ ବୋଲି ମନେ କରୁଥିବାରୁ କେତେ ଇଂରେଜ ଅଫିସର ସରକାରଙ୍କ ଆଇନକୁ ମଧ୍ୟ ଏ କ୍ଷେତ୍ରରେ ଅମାନ୍ୟ କରି ସତୀଦାହ ବନ୍ଦ କରିବାପାଇଁ ଚେଷ୍ଟା କରୁଥିଲେ । ଏହି ଅଫିସରମାନଙ୍କ ଭିତରେ କଟକର ଜିଲା ମାଜିଷ୍ଟ୍ରେଟ ମି. ପିଗୁ ଜଣେ । ପାକେନ୍‌ହାମ ସାହେବ କମିଶନରରୂପେ ତାଙ୍କୁ ବହୁତ ତାକିତ୍‌ କରିଥିଲେ ମଧ୍ୟ ସେ କଥା ସେ ଶୁଣି ନ ଥିଲେ । ଶେଷକୁ ନିଜାମତ୍‌ ଅଦାଲତ୍‌ଙ୍କ ଦୃଷ୍ଟିକୁ ମଧ୍ୟ ଏ କଥା ଅଣାଯାଇଥିଲା ।

 

୧୮୧୫ ଠାରୁ ୧୮୨୮ ଭିତରେ କେତେକ ବର୍ଷର ଯେଉଁ ରିପୋର୍ଟ ମିଳିଛି ସେଥିରୁ କେତେଜଣ ସତୀଙ୍କ ନାମ ଓ ଠିକଣା ପରପୃଷ୍ଟାରେ ଦିଆଗଲା–

 

ଏହାଛଡ଼ା କଟକ ଓ ପୁରୀରେ ୧୮୧୮ରେ ୯ ଜଣ, ୧୮୧୯ ରେ ୧୩ ଜଣ, ୧୮୨୦ ରେ ୧୭ ଜଣ, ଗଞ୍ଜାମରେ ୧୮୧୪, ୧୮୧୫, ୧୮୧୬ରେ ୪୫, ୧୮୧୭,୧୮୧୮,୧୮୧୯ ରେ ୩୬ ଜଣ ସତୀ ହୋଇଥିବା ଜଣାଯାଏ ।

 

Image

 

Image

 

ପୁରୀର ଜଗନ୍ନାଥ ମନ୍ଦିର ଓ ଇଂରେଜ

 

ସରକାର

 

ଓଡ଼ିଆ ରାଜାମାନଙ୍କ ଅମଳରେ ଜଗନ୍ନାଥ ମନ୍ଦିର ସରକାରଙ୍କ ଅଧୀନରେ ଥିଲା । ସେବକମାନଙ୍କୁ ସେବକ ରୂପରେ ହିଁ ଦେଖା ହେଉଥିଲା । ଦୋଷ ଅନୁସାରେ ଦଣ୍ଡ ଦିଆ ଯାଉଥିଲା-। ବେତ ମାଡ଼ଠାରୁ ଆରମ୍ଭ କରି ଜେଲ ପର୍ଯ୍ୟନ୍ତ ଦଣ୍ଡବିଧାନ ଥିଲା । ବଡ଼ ଦୋଷୀକୁ କାର୍ଯ୍ୟରୁ ଅନ୍ତର କରି ଦିଆ ଯାଉଥିଲା । ମରହଟ୍ଟାମାନଙ୍କ ରାଜତ୍ୱ ସମୟରେ ମଧ୍ୟ ସରକାରଙ୍କର ପୂର୍ଣ୍ଣ କ୍ଷମତା ମନ୍ଦିର ଉପରେ ଥିଲା । ପ୍ରାୟ ଚାରିଶହ ବର୍ଷ ପୂର୍ବେ ଦେଉଳ ଭିତରେ ୩୬ ଟି ନିଯୋଗ ଥିଲା । କିନ୍ତୁ କାଳକ୍ରମେ ଏହା ବୃଦ୍ଧି ପାଇ ଖ୍ରୀ: ୧୮୦୫ ବେଳକୁ ସେ ସମୟର କଲେକ୍‌ଟର ଗ୍ରୁମ୍‌ ସାହେବ ୨୫୦ ନିଯୋଗର ତାଲିକା ଦେଇଥିଲେ । ବର୍ତ୍ତମାନ ଆଉ କିଛି ବଢ଼ି ଥିବାର ଆଶଙ୍କା କରାଯାଉଛି । ମରହଟ୍ଟାମାନଙ୍କ ଅମଳରେ ଦଣ୍ଡର ପରିମାଣ ଟିକିଏ କମି ଯାଇଥିବା କଥା ଗ୍ରୁମ୍‌ ସାହେବ ଲେଖିଛନ୍ତି । ପିଆଦା ଲଗେଇ ଦୋଷୀକୁ ଦଣ୍ଡ ଦିଆ ଯାଉଥିଲା । ନ ହେଲେ ଦିନେ ଦୁଇଦିନ ପାଇଁ ତାଙ୍କର ଭୋଗ ଖୋଇ ବନ୍ଦ କରି ଦିଆ ଯାଉଥିଲା । ଦେଉଳର ପରିଚାଳନା ଭାର ମରହଟ୍ଟାମାନଙ୍କ ଅମଳରେ ଦେଉଳ ପରିଚ୍ଛାଙ୍କ ଉପରେ ଥିଲା । ସେ ବାଜୀ ଅଙ୍ଗ୍‍ଟିସ ଖ୍ରୀ ୧୮୦୩ ବେଳକୁ ଦେଉଳ ପରିଛା ରୂପେ ନିଯୁକ୍ତ ଥିଲେ । ପ୍ରାୟ ୨୫୦ ବର୍ଷ ପୂର୍ବେ ଦେଉଳର ପରିଚାଳନା ଭାର ଜଣେ ପରିଛାଙ୍କ ଉପରେ ଥିଲା । ତାଙ୍କୁ ବଡ଼ ଦେଉଳ ପରିଛା କୁହାଯାଉଥିଲା । କିନ୍ତୁ ମରହଟ୍ଟାମାନଙ୍କ ରାଜତ୍ୱରେ ପରିଚାଳନାରେ ସୁବିଧା ହେବା ଉଦ୍ଦେଶ୍ୟରେ ଚାରିଜଣ ପରିଛା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ ।

 

ଖ୍ରୀ: ୧୮୦୩ ରେ ଇଂରେଜମାନେ ମରହଟ୍ଟାମାନଙ୍କ ହାତରୁ ଓଡ଼ିଶାକୁ ଛଡ଼ାଇ ନେଲେ-। ସେହି ବର୍ଷ ପୁରୀର ଜଗନ୍ନାଥ ମନ୍ଦିର ମଧ୍ୟ ଇଂରେଜମାନେ ଦଖଲ କଲେ । ମନ୍ଦିରଟି ଦଖଲ କରି ସାରିବା ପରେ ଇଂରେଜ ସରକାର ମନ୍ଦିର ଉପରେ ପୂର୍ଣ୍ଣ କ୍ଷମତା ବିସ୍ତାର କରିଥିଲେ ଲଡ଼ଓ୍ୱେଲେସ୍‌ଲି ମନ୍ଦିର ଦଖଲ ବେଳେ କିପରି ଭାବରେ ଚଳିବାକୁ ହେବ ସେ ସମ୍ବନ୍ଧରେ ସୈନିକମାନଙ୍କୁ ଆଦେଶ ଦେଇଥିଲେ-‘‘ତୁମ୍ଭେମାନେ ଜଗନ୍ନାଥରେ ପହଞ୍ଚିବା ପରେ ବଡ଼ ଦେଉଳର ମାନମର୍ଯ୍ୟାଦା ବ୍ରାହ୍ମଣ ଓ ଯାତ୍ରୀମାନଙ୍କର ଧର୍ମ ବିଶ୍ୱାସ ପ୍ରତି ଯେପରି କୌଣସି ଆଘାତ ନ ଲାଗେ ସେଥିପାଇଁ ସତର୍କ ରହିବ । ବ୍ରାହ୍ମଣମାନଙ୍କର ଏବଂ ଦେବମନ୍ଦିରମାନଙ୍କର ନିରାପତ୍ତା ପାଇଁ ଯଥେଷ୍ଟ ଜଗୁଆଳ ରଖିବ । ନୀତି, ପର୍ବପର୍ବାଣି ଯେପରି ନିରାପଦରେ ସମାହିତ ହୁଏ, ସେଥିପ୍ରତି ଦୃଷ୍ଟି ରଖିବ । X X” ଇତ୍ୟାଦି । ପୁଣି ମରହଟ୍ଟାମାନଙ୍କ ସମୟରେ ଯେଉଁସବୁ କର ଆଦାୟ ହେଉଥିଲା ସେତିକି କେବଳ ଆଦାୟ କରିବା ପାଇଁ ଓ୍ୱେଲସ୍‌ଲି ଆଦେଶ ଦେଇଥିଲେ । ଓ୍ୱେଲସ୍‌ଲିଙ୍କ ଆଦେଶ ବଳରୁ ତାଙ୍କ ଅଫିସରମାନେ ଭଲ ବ୍ୟବହାର କରିବାକୁ ସେହି ବର୍ଷ (ଖ୍ରୀ ୧୮୦୩) ପୁରୀର ବିଶିଷ୍ଟ ବ୍ରାହ୍ମଣ ପଣ୍ଡିତ, ମଠମାନଙ୍କର ମହନ୍ତ ଓ ମୁଖ୍ୟ ସେବକମାନେ ଇଂରେଜ ଶାସକଙ୍କୁ ଦେଖା କରି ଇଂରେଜମାନେ ଓଡ଼ିଶା ଦଖଲ କରିଥିବାରୁ ଆନନ୍ଦ ପ୍ରକାଶ କରିଥିଲେ ଏବଂ ବଡ଼ ଦେଉଳ ଉପରେ ଇଂରେଜମାନଙ୍କ କର୍ତ୍ତୃତ୍ୱକୁ ସ୍ୱୀକାର କରି ନେଇଥିଲେ ।

 

ମରହଟ୍ଟା ସରକାରଙ୍କ ରାଜତ୍ୱ ବେଳେ ବଡ଼ ଦେଉଳର ନୀତି ସବୁ ଯେପରି ଚଳୁଥିଲା ଇଂରେଜ ସରକାର ସେହିପରି ଚଳେଇଲେ । ତିନି ଚାରି ବର୍ଷ ଏହିପରି ଚଳାଇବା ପରେ ଆୟଠାରୁ ବ୍ୟୟ ବେଶୀ ହୋଇଥିବାରୁ ସରକାର ନିଜ ହାତରୁ ଟଙ୍କା ଦେଇ ମନ୍ଦିର କାର୍ଯ୍ୟ ନିର୍ବାହ କରିବାକୁ ବାଧ୍ୟ ହେଲେ । ଇଂରଜମାନେ ଖ୍ରୀଷ୍ଟଧର୍ମାବଲମ୍ବୀ ଥିବାରୁ ସେମାନଙ୍କ ସରକାର ନିଜ ପାଣ୍ଠିରୁ ‘‘ପ୍ରତିମାପୂଜା’’ ବାବତରେ ଟଙ୍କା ଖର୍ଚ୍ଚ କରୁଥିବାରୁ ଏହି ‘‘ଧର୍ମବିରୋଧୀ’’ କାର୍ଯ୍ୟ ବିରୋଧରେ ବିଲାତରେ ଆନ୍ଦୋଳନ ଆରମ୍ଭ ହେଲା । ଏହି ଆନ୍ଦୋଳନ ଫଳରେ ଇଂରେଜ ସରକାର ମନ୍ଦିରକୁ ପ୍ରତ୍ୟକ୍ଷ ଭାବରେ ନବୁଝି ଅନ୍ୟଦ୍ୱାରା ପରିଚାଳନା କରାଇବାର ବ୍ୟବସ୍ଥା କଲେ । ଖ୍ରୀ: ୧୮୦୮ରେ ଏକ ରେଗୁଲେଶନ (ନଂ୪) ଜାରି କରି ତିନିଜଣ ପଣ୍ଡିତଙ୍କୁ ନେଇ ଗୋଟିଏ କମିଟି ଗଠନ କଲେ ଏବଂ ଏହି କମିଟି ହାତରେ ମନ୍ଦିରର ପରିଚାଳନା ଭାର ରହିଲା । ସେତେବେଳେ ଯାତ୍ରୀକର ଆଦାୟ ହେଉଥିଲା । ଯାତ୍ରୀକର କଲେକ୍‌ଟର ଏହି କମିଟିକୁ ସଭ୍ୟ ମନୋନୀତ କରୁଥିଲେ ।

 

୧୯୦୮ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧା ରାଜା ମୁକୁନ୍ଦ ଦେବ ଇଂରେଜ ଶାସନ ବିରୁଦ୍ଧରେ ବିଦ୍ରୋହ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ତାହାଙ୍କୁ ଇଂରେଜ ସରକାର ଅଟକ କରି ରଖିଲେ ଏବଂ ଏହି ସମୟରୁ ଖୋର୍ଦ୍ଧା ରାଜବଂଶ ଉପାଧି ଲୋପ ପାଇଲା । ପରେ ସରକାର ମୁକୁନ୍ଦ ଦେବଙ୍କୁ ଛାଡ଼ି ଦେଲେ ଏବଂ ପୁରୀରେ ଅବସ୍ଥାନ କରିବାକୁ ଅନୁମତି ଦେଲେ । ମୁକୁନ୍ଦ ଦେବଙ୍କ ରାଜ୍ୟ ବା ଜମିଦାରୀ ନ ଥିଲେ ମଧ୍ୟ ତାଙ୍କୁ ‘‘ପୁରୀରାଜା’’ ଉପାଧି ସରକାର ଦେଲେ । ୧୮୦୯ର ଆଇନ ବଳରେ ତାଙ୍କୁ ବଡ଼ଦେଉଳ ଚଳାଇବା ପାଇଁ ନିଯୁକ୍ତ କରାଗଲା । ତାଙ୍କର ପଦବୀ ରହିଲା ‘‘ମନ୍ଦିର ସୁପରିଂଟେଣ୍ଡେଟ’’ ଓ ଏହି ପଦବୀ ମୌରସୀ ସୂତ୍ରରେ ତାଙ୍କୁ ଦିଆଗଲା । ମନ୍ଦିର ଉପରେ ତାଙ୍କର ମାଲିକତ୍ୱ ସ୍ୱୀକାର କରାଯାଇ ନ ଥିଲା । ଚିରାଚରିତ ବିଧିବିଧାନ ମାନି ସୁଚାରୁରୂପେ ନ୍ୟାୟାନୁମୋଦିତ ଭାବରେ ମନ୍ଦିର ପରିଚାଳନା କରିବା ପାଇଁ ଏହି ଆଇନରେ ନିର୍ଦ୍ଦେଶ ଦିଆଯାଇଥିଲା । ମନ୍ଦିର ପରିଚାଳନାରେ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ସାହାଯ୍ୟ କରିବା ପାଇଁ ତିନିଜଣ ମୁଖ୍ୟ ସେବକଙ୍କୁ ମନୋନୀତ କରାଗଲା । ମନ୍ଦିରର ନୀତି ଚଳାଇବାରେ କୌଣସି ତ୍ରୁଟି ଦେଖା ଗଲେ ରାଜାଙ୍କ ବିରୁଦ୍ଧରେ ସରକାରଙ୍କଠାରେ ରିପୋର୍ଟ କରିବା ପାଇଁ ଏମାନଙ୍କୁ କ୍ଷମତା ଦିଆଗଲା ।

 

ମରହଟ୍ଟାମାନଙ୍କ ଅମଳରେ ସରକାର ବହୁତ ସମ୍ପତ୍ତି ଜଗନ୍ନାଥଙ୍କ ସେବା ପାଇଁ ଖଞ୍ଜିଥିଲେ । ସତାଇଶ ହଜାରୀ ମାହାଲ ସମ୍ପୂର୍ଣ୍ଣଭାବେ ଠାକୁରଙ୍କ ସେବାପାଇଁ ଦିଆଯାଇଥିଲା । ଏହାଛଡ଼ା ଯାତ୍ରୀକର ମଧ୍ୟ ଆଦାୟ କରି ସରକାର ମନ୍ଦିର ପରିଚାଳନାରେ ବ୍ୟୟ କରୁଥିଲେ । ଇଂରେଜ ଅମଳରେ ସରକାର ମରହଟ୍ଟାସମୟର ବ୍ୟବସ୍ଥା କାଏମ ରଖିଥିଲେ । ୧୮୦୩ ରେ ପୁରୀର ସେବକ, ମହନ୍ତ ଓ ବିଶିଷ୍ଟ ବ୍ରାହ୍ମଣ ପଣ୍ଡିତମାନେ ଇଂରେଜ ସରକାରଙ୍କଠାରେ ଆସ୍ଥା ସ୍ଥାପନ କରି ମନ୍ଦିରଟିକୁ ଇଂରେଜ ସରକାରଙ୍କ ହାତରେ ଅର୍ପଣ କରି ଦେଇଥିବାରୁ ଇଂରେଜ ସରକାର ମନ୍ଦିରର ଖର୍ଚ୍ଚପାଇଁ ପୂର୍ବ ସରକାରଙ୍କ ରୀତି ଅନୁସରଣ କରି, ବାର୍ଷିକ ଟ ୫୩୦୦୦/ ଦେଉଥିଲେ । ସତେଇଶ ହଜାର ମାହାଲର ବାର୍ଷିକ ଆୟ ଟ ୧୭୪୮୦/ ଥିଲା । ଏହାକୁ ଛାଡ଼ି ସରକାର ବାର୍ଷିକ ଟ ୩୫୭୩୮/ ମଧ୍ୟ ଦେଉଥିଲେ ।

 

ପୁରୀ ରାଜାଙ୍କୁ ସୁପରିଣ୍ଟେଣ୍ଡେଣ୍ଟରୂପେ ସ୍ୱୀକାର କରି ତାଙ୍କ ହାତରେ ମନ୍ଦିର ପରିଚାଳନା ଭାର ଦେବା ପରେ ବିଲାତରେ ଖ୍ରୀଷ୍ଟିୟାନ୍‌ ସମ୍ପ୍ରଦାୟର ସମାଲୋଚନା ହ୍ରାସ ପାଇ ଯିବାର ଆଶା କରାଯାଇଥିଲା । କିନ୍ତୁ ତାହା ହେଲା ନାହିଁ, କ୍ରମେ ଆନ୍ଦୋଳନ ତୀବ୍ର ହେଲା । ୧୮୩୨ ଖ୍ରୀଷ୍ଟାବ୍ଦରେ ହିନ୍ଦୁ ମନ୍ଦିରମାନଙ୍କର ପରିଚାଳନାରେ ସରକାରଙ୍କ ପ୍ରତ୍ୟକ୍ଷ ସମ୍ପର୍କ ତୁଟୁ ବୋଲି ବିଧିବଦ୍ଧ ଭାବରେ ଆନ୍ଦୋଳନ ଆରମ୍ଭ ହେଲା । ହିନ୍ଦୁ ଦେବୋତ୍ତର ସମ୍ପତ୍ତିର ପର୍ଯ୍ୟବେକ୍ଷଣରୁ ସରକାର କ୍ଷାନ୍ତ ହେବା ଉଚିତ ବୋଲି ଲର୍ଡ଼ ଗ୍ଳେନ୍‌ଲେଗ୍‌ ମତ ଦେଲେ । ଖ୍ରୀଷ୍ଟିଆନ ଧର୍ମଯାଜକମାନଙ୍କ ପ୍ରଚାର ମଧ୍ୟ ତୀବ୍ର ହେଲା । ଜଗନ୍ନାଥମନ୍ଦିର ଉପରେ ସେମାନଙ୍କର କଡ଼ା ନଜର ପଡ଼ିଲା । ଏହି ମନ୍ଦିର ଉପରେ ସରକାରଙ୍କର ସମ୍ପୂର୍ଣ୍ଣ କର୍ତ୍ତୂତ୍ୱଥିବାରୁ ଖ୍ରୀଷ୍ଟିଆନ ଧର୍ମଯାଜକଙ୍କ ଦୃଷ୍ଟି ଏହା ଉପରେ ବେଶୀ ପଡ଼ିଥିଲା । ବିଲାତରେ ଇଷ୍ଟଇଣ୍ଡିଆ କମ୍ପାନୀ ଡିରେକ୍‌ଟର ବୋର୍ଡ଼ ଓ ଭାରତ ସରକାର ଏହି ଆନ୍ଦୋଳନରେ ବିଚଳିତ ହୋଇପଡ଼ିଲେ ଏବଂ ୧୮୪୦ ଖ୍ରୀଷ୍ଟାବ୍ଦରେ ଯାତ୍ରୀକର ଆଦାୟ ବନ୍ଦ କରି ଦିଆଗଲା ଏବଂ ସେହି ବର୍ଷର ନ ୧୦ ଆଇନରେ ମନ୍ଦିରର ପର୍ଯ୍ୟବେକ୍ଷଣ ଭାର ପୁରୀ ରାଜାଙ୍କ ହାତରେ ରହିଲା ।

 

ଖ୍ରୀ ୧୮୪୦ର ଆଇନରେ ଚାରୋଟି ଧାରା ଥିଲା । ପ୍ରଥମ ଧାରାରେ ପୁରୀ ଓ ଗୟାରେ ଯାତ୍ରୀକର ବନ୍ଦ କରି ଦିଆଗଲା । ଦ୍ୱିତୀୟ ଧାରାରେ ଜଗନ୍ନାଥ ମନ୍ଦିରର ପରିଚାଳନା ଭାର ପୁରୀ ରାଜାଙ୍କ ହାତରେ ନ୍ୟସ୍ତ ରହିଲା ଏବଂ ସେ ଓ ଅନ୍ୟାନ୍ୟ ସଂପୃକ୍ତ ବ୍ୟକ୍ତିମାନେ ପରମ୍ପରା ଅନୁଯାୟୀ ବିଧିବିଧାନ ରକ୍ଷା କରି ମନ୍ଦିର କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦିଆଗଲା । ତୃତୀୟ ଧାରାରେ ରାଜା ଯାତ୍ରୀମାନଙ୍କଠାରୁ ବାଧ୍ୟ କରି କୌଣସି ପାଉଣା ଆଦାୟ କରିବେ ନାହିଁ ବୋଲି ବିଧାନ ରହିଲା । ଚତୁର୍ଥ ଧାରାରେ ରାଜା ଓ ଅନ୍ୟମାନେ ବିଧିବିଧାନ ରକ୍ଷା ନ କଲେ, ଠାକୁରଙ୍କ ସମ୍ପତ୍ତି ତୋସରଫ କଲେ କିମ୍ବା ଏଭଳି ଅନ୍ୟାନ୍ୟ ବିଶୃଙ୍ଖଳା ଘଟିଲେ ସରକାର ସେମାନଙ୍କ ବିରୁଦ୍ଧରେ ଦେବାନୀ ଅଦାଲତରେ ମକଦ୍ଦମା କରି ପାରିବେ ବୋଲି ବିଧାନ ରହିଲା । କିନ୍ତୁ ଏହି ଆଇନର ଚାରୋଟି ଧାରା ଭିତରୁ ତିନୋଟି ଧାରା ପରେ ବିଭିନ୍ନ ସମୟରେ ରଦ୍ଦ କରି ଦିଆଗଲା । ପ୍ରଥମ ଧାରାଟି ଆଉ ଆବଶ୍ୟକ ନ ଥିବାରୁ ଖ୍ରୀ ୧୮୬୮ର ୮ ନମ୍ବର ଆଇନରେ ଉଠାଇ ଦିଆଗଲା । ରାଜାଙ୍କ ପରିଚାଳନା ସଂପର୍କୀୟ ଧାରାଟି ୧୮୮୨ର ୧୪ ନମ୍ବର ଆଇନର ୫୩୯ ଧାରା ଦ୍ୱାରା ଉଠାଇ ଦିଆଗଲା । ଚତୁର୍ଥ ଧାରାଟି ଖ୍ରୀ ୧୮୬୮ର ୮ ନମ୍ବର ଆଇନ ଦ୍ୱାରା ରଦ୍ଦ କରି ଦିଆଗଲା । ପୁଣି ଅବଶିଷ୍ଟ ଧାରା ସହିତ ଖ୍ରୀ ୧୮୪୦ର ୧୦ ନମ୍ବର ଆଇନଟି ସଂପୂର୍ଣ୍ଣ ଭାବରେ ଖ୍ରୀ ୧୮୯୧ରେ ରଦ୍ଦ କରି ଦିଆଗଲା । ଅତଏବ ଖ୍ରୀ ୧୮୯୧ ବେଳକୁ ମନ୍ଦିର ସମ୍ବନ୍ଧରେ ସରକାରଙ୍କର କ୍ଷମତା ହସ୍ତାନ୍ତର ସମ୍ପର୍କୀୟ କୌଣସି ଆଇନ ଆଉ ବଳବତ୍ତର ନାହିଁ । ଯେଉଁ ଆଇନ ବଳରେ ପୁରୀ ରାଜାଙ୍କୁ ମନ୍ଦିର ପରିଚାଳନା କରିବା ପାଇଁ ଯେଉ ଭାର ଦିଆଯାଇଥିଲା ସେହି ଆଇନଟି ସରକାର ରଦ୍ଦ କରି ଦେବାରୁ ମନ୍ଦିର କର୍ତ୍ତୃତ୍ୱ ସରକାରଙ୍କ ହାତକୁ ପୁଣି ଫେରି ଆସିଲା ବୋଲିବାକୁ ହେବ । ଖ୍ରୀ ୧୮୯୧ରେ ପୂର୍ବ ଆଇନ ସବୁ ରଦ୍ଦ ହୋଇଯିବାରୁ ଖ୍ରୀ ୧୮୯୭ରେ ପୁରୀ ରାଜା ମୁକୁନ୍ଦ ଦେବ ସରକାରଙ୍କ ସହିତ ଏକ ଚୁକ୍ତି ବଳରେ ମନ୍ଦିରର ସୁପରିଂଟେଣ୍ଡେଣ୍ଟ ନିଯୁକ୍ତ ହେଲେ ।

 

ଏହାପୂର୍ବରୁ ୧୮୭୮ ଖ୍ରୀଷ୍ଟାବ୍ଦରେ ପୁରୀ ରାଜା ଦିବ୍ୟସିଂହ ଦେବଙ୍କୁ ଦ୍ୱୀପାନ୍ତର ଦଣ୍ଡ ହେବାରୁ ମନ୍ଦିର ପରିଚାଳନା ବିଭ୍ରାଟ ଘଟିଲା । ସେତେବେଳକୁ ମୁକୁନ୍ଦଦେବ ନାବାଳକ ଥିଲେ । ସରକାର କିଛି ନ କରି ତୁନି ରହିଲେ । ୧୮୮୨ ଖ୍ରୀଷ୍ଟାବ୍ଦରେ ଖ୍ରୀ୧୮୪୦ର ରାଜାଙ୍କୁ ସୁପରିଂଟେଣ୍ଡେଣ୍ଟ ନିଯୁକ୍ତ କରିଥିବା ଧାରାଟି ଉଠି ଯାଇଥିବାରୁ ପୁରୀ ରାଜାଙ୍କୁ ମନ୍ଦିରର ପରିଚାଳନା ଭାର ସରକାର ଆଉ ଦେବାକୁ ଇଚ୍ଛା ନ କରି ନିଜ ହାତକୁ ନେବା ବ୍ୟବସ୍ଥା କଲେ । କିନ୍ତୁ ନାବାଳକଙ୍କ ମାହାଫିସ ତାଙ୍କ ପିତାମହୀ ସୂର୍ଯ୍ୟମଣି ପାଟମହାଦେବୀ ଆପତ୍ତି କଲେ । ଓଡ଼ିଶାରେ ମଧ୍ୟ ରାଜାଙ୍କ ସପକ୍ଷରେ ଆନ୍ଦୋଳନ ହେଲା । ସରକାର ନିଜେ ଆଇନ ବଳରେ କିଛି ନ କରି ମନ୍ଦିରର ସୁପରିଂଟେଣ୍ଡେଣ୍ଟ ସ୍ଥାନ ଶୂନ୍ୟ ହେଲା ବୋଲି ଘୋଷଣା କରିବାକୁ ଦେବାନୀ କୋର୍ଟରେ ମକଦ୍ଦମା ଦାଏର କଲେ । କିନ୍ତୁ ଆଇନରେ ସରକାରଙ୍କ ମନ୍ଦିର ଉରେ କର୍ତ୍ତୃତ୍ୱ ପୂର୍ଣ୍ଣମାତ୍ରାରେ ଥିଲା-। ପରେ ଆନ୍ଦୋଳନରେ ବିଚଳିତ ହୋଇ ସରକାର ସୂର୍ଯ୍ୟମଣି ପାଟମହାଦେବୀଙ୍କ ସହିତ ଖ୍ରୀ ୧୮୮୮ରେ ଏକ ଚୁକ୍ତି କଲେ ଏବଂ କୋର୍ଟରେ ନିଷ୍ପତ୍ତି ହେବା ପୂର୍ବରୁ ମକଦ୍ଦମା ଉଠାଇ ନେଲେ । ଖ୍ରୀ ୧୮୮୮ର ଏହି ଚୁକ୍ତି ପରେ ଖ୍ରୀ ୧୮୯୧ର ୧୨ ନମ୍ବର ଆଇନ ଜାରି ହେବାରୁ ସରକାର କେବଳ ଖୁସିରେ ମୁକୁନ୍ଦ ଦେବ ସାବାଳକ ହେବା ପରେ ତାଙ୍କୁ ଖ୍ରୀ ୧୮୯୭ରେ ସୁପରିଂଟେଣ୍ଡେଣ୍ଟ ନିଯୁକ୍ତ କରିଥିଲେ । ପୂର୍ବରୁ ସବୁ ଆଇନ ରଦ୍ଦ ହୋଇଯାଇଥିବାରୁ ମୁକୁନ୍ଦ ଦେବଙ୍କ ନିଯୁକ୍ତିକୁ ବ୍ୟକ୍ତିଗତ ନିଯୁକ୍ତିହିଁ ବୋଲିବାକୁ ହେବ । ଏଥିରେ ଆଇନର ବଳ ନାହିଁ । ମୁକୁନ୍ଦ ଦେବଙ୍କ ପରେ ବର୍ତ୍ତମାନର ରାଜା ରାମଚନ୍ଦ୍ର ଦେବଙ୍କ ସୁପରିଂଟେଣ୍ଡେଣ୍ଟ ଗିରି ମଧ୍ୟ ସରକାରଙ୍କ ଖୁସୀ ଉପରେ ନିର୍ଭର କରେ ।

Image